ଉଡ଼ିଗଲା ନାଗପୁର ଆର୍ ଡି ଏକ୍ସ ଉତ୍ପାଦନ କେନ୍ଦ୍ର

ଉଡ଼ିଯାଇଛି ନାଗପୁର ଆର୍ ଡି ଏକ୍ସ ଉତ୍ପାଦନ କେନ୍ଦ୍ର । ଗୁରୁବାର ଦିନ ବିଳମ୍ବିତ ରାତିରେ ନାଗପୁର ନିକଟରୁ ପ୍ରାୟ ୪୦ କିଲୋମିଟର ଦୂର ଚକଦୋହ-ବାଜାରଗାଁ ଅଂଚଳରେ ଅବସ୍ଥିତ ସୋଲାର ଡିଫେନ୍ସ ଆଣ୍ଡ୍ ଏରୋସ୍ପେଶ ଲିମିଟେଡ୍ ପରିସରରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଏତେ ଭୟାନକ ଥିଲା ଯେ କମ୍ପାନୀ ନିକଟରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ରହିଥିବା ଘରଗୁଡ଼ିକର କାନ୍ଥ କ୍ଷତିଗ୍ରସ୍ତ ହୋଇଥିଲା । କମ୍ପାନୀ ପରିସରରେ ଥିବା ଏକ ଦୁଇମହଲା କୋଠା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ବିସ୍ଫୋରଣରୁ ସୃଷ୍ଟି ଧୂଅାଁ ଏତେ ପରିମାଣରେ ଉପରକୁ ଉଠିଥିଲା ଓ ଚାରିଆଡ଼କୁ ବ୍ୟାପି ଯାଇଥିଲା ଯେ ଦେଢ଼ କିଲୋମିଟର ଦୂରରୁ ତାହା ସ୍ପଷ୍ଟ ଦିଶୁଥିଲା ।

ବିସ୍ଫୋରଣରେ ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି ଓ ପ୍ରାୟ ୨୫ ଜଣ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

ବିସ୍ଫୋରଣ ପ୍ରଭାବରେ ଉଡ଼ି ଯାଇଥିଲା କାରଖାନାର କିଛି ଭଗ୍ନାଂଶ ଓ ପଡ଼ିଥିଲା କାରଖାନା ନିକଟରୁ ପ୍ରାୟ ୭୦୦ ମିଟର ଦୂରରେ । କିଛି ଶ୍ରମିକ ଉଡ଼ି ଯାଇଥିବା କାରଖାନାର ଭଙ୍ଗା ଇଟା ଓ ପଥର ମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛି ।

ଆହତଙ୍କ ଭିତରୁ ୭ ଜଣ ଏବେ ଆଇସିୟୁରେ ଅଛନ୍ତି ।