ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବ୍ରହ୍ମଜ୍ଞାନ, ‘ରାହୁଲଙ୍କ ପିଛା ଛାଡ଼ି ସାମ୍ବିଧାନିକ କର୍ତ୍ତବ୍ୟ ସାର’

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇତି ମଧ୍ୟରେ ତିନିଜଣ ପୂର୍ବତନ ନିର୍ବାଚନ କମିଶନରଙ୍କ ନିକଟରୁ ବ୍ରହ୍ମଜ୍ଞାନ ଲାଭ କରିଛନ୍ତି ।

ରାହୁଲ ଗାନ୍ଧୀଙ୍କ ନିକଟରୁ ‘ଭୋଟ ଚୋରି’ ସଂପର୍କୀତ ସତ୍ୟପାଠ ଦାବି କରିବା ଛାଡ଼ି ବିହାର ଭୋଟର ତାଲିକା ସଜାଡ଼ି ନିଅନ୍ତୁ । କାଳ ବିଳମ୍ବ ନକରି ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ ।

ଏମିତି ତାଗିଦ କରିଛନ୍ତି ଦୁଇ ଜଣ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍ ୱାଇ କୁ୍ୟରେଶି ଓ ଓପି ରାୱତଙ୍କ ସମେତ ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସା ।

ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଏସ୍ ୱାଇ କୁ୍ୟରେଶି ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପ୍ରତି ନିର୍ବାଚନ ଆୟୋଗର ଉଗ୍ର ଆଚରଣ ଓ ଟିପ୍ପଣୀକୁ ତୀବ୍ର ସମାଲୋଚନା କରିଛନ୍ତି ।

କୁ୍ୟରେଶିଙ୍କ ମତରେ ରାହୁଲ ଗାନ୍ଧୀଙ୍କ ଭଳି ଜଣେ ଜନ ପ୍ରତିନିଧିଙ୍କ ଅଭିଯୋଗକୁ ଏତେ ହାଲୁକା ମଣିବା ଅନୁଚିତ । ଜଣେ ଜନ ପ୍ରତିନିଧିଙ୍କ ଭିତରେ ଏକାଧିକ ଲୋକଙ୍କ ମାନସିକତା ଲୁଚି ରହିଥାଏ ।

ଜନ ପ୍ରତିନିଧିଙ୍କ ଅଭିଯୋଗକୁ ଦକ୍ଷତାର ସହିତ ସାମ୍ନା କରିବା ଜରୁରୀ ।

‘ଜ୍ଞାନେଶ କୁମାରଙ୍କ ଜାଗାରେ ସେ (କୁ୍ୟରେଶି) ଥିଲେ ନିଶ୍ଚିତ ରୂପେ ଘଟଣାର ଯାଂଚ ଆଦେଶ ପ୍ରଦାନ କରିଥାନ୍ତେ ।’

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ କହିଛନ୍ତି, ‘ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ସଂର୍ପକୀତ ଅଭିଯୋଗ କାନରେ ପଡ଼ିବା ମାତ୍ରେ କାଳ ବିଳମ୍ବ ନକରି ତା’ର ପ୍ରତିକାର କରାଯିବା ଦରକାର ।

କାହା ସହିତ ତୁ ତୁ ମେଁ ମେଁ କରିବା ଛାଡ଼ି ଚୁପଚାପ ଦାୟିତ୍ୱ ତୁଲାଇବା ଦରକାର । କାହାର ଅଭିଯୋଗକୁ ସଂପୂର୍ଣ୍ଣ ଏଡ଼ାଇ ଦେଇ ମନମାନି କରିବା ଆଦୌ ଗ୍ରହଣୀୟ ନୁହେଁ ।

ପୂର୍ବତନ ନିର୍ବାଚନ କମିଶନର ଲାଭାସା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନିକଟରୁ ଭୋଟ ଚୋରୀ ସତ୍ୟପାଠ ଦାବି କରିବା ଆଦୌ ଠିକ ହୋଇନି । ନିର୍ବାଚନ କମିଶନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ତିଆରି କରାଯିବା ଦରକାର ।