ବିଚକ୍ଷଣ ପ୍ରତିଭା ବଳରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅଧିକାରିଣୀ କୁନି ଝିଅ ଲାବଣ୍ୟ

ବିଚକ୍ଷଣ ପ୍ରତିଭା ବଳରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ତାଲିକାଭୁକ୍ତ ହୋଇଛନ୍ତି ୨ ବର୍ଷୀୟା କନ୍ୟା । ସଂସ୍କୃତ ଭାଷାରେ ଶ୍ଲୋକ ଗାୟନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ତାଲିକାଭୁକ୍ତ ହୋଇଛନ୍ତି ୨ ବର୍ଷର କୁନି ଝିଅ ।

ଝିଅଟିର ନାମ ଲାବଣ୍ୟ । ଘର ବୌଦ୍ଧ ଜିଲ୍ଲାର କଂଟାମାଳ ବ୍ଲକ ଗୁଡ଼ଭେଲିପଦର ପଂଚାୟତ ଅନ୍ତର୍ଗତ ଡାଙ୍ଗଝୋଲ । ସେହି ଗାଁର ପ୍ରେମାଂଶୁ ପଣ୍ଡା ଓ ଝରଣା ପଣ୍ଡାଙ୍କର ଟିକି ଝିଅ ଲାବଣ୍ୟ । ଲାବଣ୍ୟକୁ ପାଇ ଡାଙ୍ଗଝୋଲ ଆଜି ଗର୍ବିତ ।

ଯୋଉ ଶ୍ଲୋକ ବୟସ୍କ ଲୋକଙ୍କ ପାଟିରେ ପଶିବନି । ସେହି ଶ୍ଲୋକକୁ ଅତି ପ୍ରାଞ୍ଜଳ ଭାବେ ଗାୟନ କରୁଛି ଲାବଣ୍ୟ ।

ଖେଳରେ ଖେଳରେ ଲାବଣ୍ୟ ବହୁତ କିଛି ଶିଖିଯାଇଛି ତା’ ଜେଜେ ସତ୍ୟନାରାୟଣ ପଣ୍ଡାଙ୍କ ନିକଟରୁ । ଶ୍ଲୋକ ଗାୟନ ସାଙ୍ଗକୁ ପ୍ରାୟ ୨୪ ପ୍ରକାର ଫଳ, ୨୫ ପ୍ରକାର ପନିପରିବା, ୧୨ ପ୍ରକାର ପେଶା, ୧୫ ପ୍ରକାର ଫୁଲ, ୧୨ଟି ଜାତିର ଗୃହପାଳିତ ପଶୁ, ୨୫ ଜଣ ଜାତୀୟ ନେତା, ଇଂରାଜୀର ୨୬ଟି ଅକ୍ଷର, ୨୮ଟି ରାଜ୍ୟର ରାଜଧାନୀ, ୩୦ଟି ଜିଲ୍ଲାର ନାମ, ୧୮ ପ୍ରକାର ଜାତୀୟ ପ୍ରତୀକ, ୮ ମନ୍ତ୍ର, ଇଂରାଜୀ ନର୍ସରୀ ଗୀତମାଳା ଓ ୩୪ଟି ସାଧାରଣ ଜ୍ଞାନ ପ୍ରଶ୍ନର ସରଳ ଜବାବ ଲାବଣ୍ୟ କଣ୍ଠସ୍ଥ କରିଛି ।

ପିଲାଟିର ବିଚକ୍ଷଣ ପ୍ରତିଭା ସଂପନ୍ନ ଭିଡିଓ ଦେଖିବା ପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସଂସ୍ଥା ତା’ର ନାମଟିକୁ ତାଲିକାଭୁକ୍ତ କରିଥିବା ବିଷୟ ଜଣାଇଥିଲେ ।