ବିସିସିଆଇ ନିକଟରୁ କଦଳୀ କିଣା ରିପୋର୍ଟ ଲୋଡ଼ିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । କ୍ରିକେଟ୍ ଆସୋସିଏସନ୍ ଅଫ୍ ଉତ୍ତରାଖଣ୍ଡ ପାଣ୍ଠି ଆତ୍ମସାତ୍ ମାମଲା ଏବେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି ।
କ୍ରିକେଟ୍ ମଇଦାନ, କ୍ରିକେଟ୍ ବିକାଶ ଓ ଖେଳାଳିଙ୍କ କଲ୍ୟାଣ ପାଣ୍ଠି ବାବଦ ଅର୍ଥ ଉଚିତ ବାଟରେ ଖର୍ଚ୍ଚ ହେଉନି । ଏ ସଂପର୍କୀତ ଏକ ପିଟିସନ୍ ପାଇବା ପରେ ଉତ୍ତରାଖଣ୍ଡ ହାଇକୋର୍ଟ ବିସିସିଆଇ ନିକଟକୁ ନୋଟିସ୍ ପଠାଇଛନ୍ତି ।
ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ ଭିତରେ ଚାଲିଥିବା ଆର୍ଥିକ ହେରଫେର ମାମଲାରେ ବିସିସିଆଇ ନିକଟରୁ ବିସ୍ତାରିତ ରିପୋର୍ଟ ଲୋଡ଼ିଛନ୍ତି ହାଇକୋର୍ଟ ।
କ୍ରିକେଟ୍ ଆସୋସିଏସନ୍ ଅଫ୍ ଉତ୍ତରାଖଣ୍ଡ ପକ୍ଷରୁ ପ୍ରକାଶିତ ୨୦୨୪-୨୫ ଅଡିଟ୍ ରିପୋର୍ଟକୁ ତର୍ଜମା କରିବା ପରେ ଡେରାଡୁନ ନିବାସୀ ସଞ୍ଜୟ ରାୱତ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବିଭିନ୍ନ ସୂତ୍ରରୁ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ ନିକଟକୁ ଆସୁଥିବା ପାଣ୍ଠି ଓ ତା’ର ପରିଚାଳନାଗତ ତ୍ରୁଟିର ସୁବିଚାର କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।
ଆବେଦନକାରୀଙ୍କ ପିଟିସନକୁ ଟିକିନିଖି ଅନୁଧ୍ୟାନ କରିବା ପରେ ହାଇକୋର୍ଟ କ୍ରିକେଟ୍ ଆସୋସିଏସନର କଦଳୀ କିଣା ବାବଦ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ଘଟଣାକୁ ପ୍ରାଥମିକତା ଦେଇଛନ୍ତି ।
କଦଳୀ ପ୍ରତି ଖେଳାଳିଙ୍କ ମନରେ ଏତେ ଆବେଗ ବଢ଼ିଗଲା ଯେ ସେମାନଙ୍କୁ କଦଳୀ ଖୁଆଇବାରେ ୩୫ ଲକ୍ଷ ଟଙ୍କା ବୋହିଗଲା ।
ଇଭେଂଟ ମ୍ୟାନେଜମେଂଟ ବାବଦକୁ ୬.୪ କୋଟି ଖର୍ଚ୍ଚ କରାଯାଇଥିଲା ବେଳେ ୨୪-୨୫ ଆର୍ଥିକ ବର୍ଷରେ ମୋଟ ୨୬.୩ କୋଟି ଟଙ୍କା ଖର୍ଚ୍ଚ କରାଯିବା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ।
ଆବେଦନକାରୀଙ୍କ ପିଟିସନ୍ ମୁତାବକ କ୍ରିକେଟ୍ ବିକାଶ ଓ ଖେଳାଳିଙ୍କ କଲ୍ୟାଣ ପାଣ୍ଠିକୁ ଅନ୍ୟ ବାଟରେ ଖର୍ଚ୍ଚ କରାଯାଇଛି । ଜଷ୍ଟିସ୍ ମନୋଜ କୁମାର ଏ ସଂପର୍କରେ ବିସିସିଆଇ ନିକଟରୁ କୈଫିୟତ ତଲବ କରିଛନ୍ତି ।