ଯଥା ପୂର୍ବଂ ତଥା ପରଂ: ଜି ଏସ୍ ଟି ଛାଟରୁ ତ୍ରାହି ପାଇବେ ୫, ୧୦, ୨୦ ଟଙ୍କିଆ ଉପଭୋକ୍ତା !

ଯଥା ପୂର୍ବଂ ତଥା ପରଂ । ବେଶ କିଛି ବର୍ଷ ଧରି ୧୪୩ କୋଟି ଲୋକଙ୍କ ଉପରେ ଜି ଏସ୍ ଟି ଚାବୁକ୍ ମାଡ଼ ମାରି ମୋଦୀ ସରକାର ବଢ଼ିଆ ରୋଜଗାର କରିବା ପରେ ନିକଟ ଅତୀତରେ ଜି ଏସ୍ ଟି ବୋଝକୁ ଟିକିଏ ହାଲୁକା କରି ଦେଇଛନ୍ତି ।

ଜି ଏସ୍ ଟି ହାରକୁ ୫% ଓ ୧୮% କରିବା ପରେ ଭାରତ ସରକାର ବିରାଟ ଗଡ଼ ଜିଣିବା କଥା ଦାବି କରୁଛନ୍ତି । କିନ୍ତୁ ସତ କଥା ହେଉଛି, ବଜାରରେ ପୂର୍ବରୁ ବିକ୍ରି ହୋଇ ଆସୁଥିବା ୫ ଟଙ୍କିଆ ବିସ୍କୁଟ୍ ୧୦ ଟଙ୍କିଆ ସାବୁନ ଓ ୨୦ ଟଙ୍କିଆ ପେଷ୍ଟ୍ ଦର କମିବ ବୋଲି ସେମିତି କିଛି ଗନ୍ଧ ଖୁଚୁରା ଦୋକାନରୁ ବାହାରୁନି ।

ଆପଣ ଭାବୁଥିବେ, ୫, ୧୦, ୨୦ ଟଙ୍କିଆ ପାଉଚ୍ ସାମଗ୍ରୀ ଉପରୁ ଜି ଏସ୍ ଟି କମିବା କଥାଟି ଲୋକହସା କଥା । କିନ୍ତୁ ଆପଣମାନେ ଭଲ ଭାବରେ ଜାଣିଛନ୍ତି, ବଜାରରେ ପାଉଚ୍ ସାମଗ୍ରୀ କିଣିବା ଖାଉଟିଙ୍କ ସଂଖ୍ୟା ସବୁଠାରୁ ଅଧିକ । ୫ ଟଙ୍କିଆ ପାଉଚ୍ ଉପରୁ ଜି ଏସ୍ ଟି ବାବଦକୁ ୨୫ ପଇସା ବାଦ ଦେଲେ ପାଉଚ୍ ଦର ୪ ଟଙ୍କା ୭୫ ପଇସା ହେବା କଥା । କିନ୍ତୁ କମ୍ପାନୀ ମାଲିକ ୫ ଟଙ୍କିଆ ପାଉଚ୍ ଭିତରେ ୨୫ ପଇସାର ମାଲ୍ ପୁରାଇ ପୂର୍ବଭଳି ୫ ଟଙ୍କାରେ ବିକିବା କଥା ବିଚାର କରୁଛନ୍ତି ।

ସେହି ମାପକାଠିରେ ୧୦ ଟଙ୍କିଆ ସାବୁନ୍ ପ୍ୟାକେଟ୍ ଭିତରେ ୫୦ ପଇସାର ସାବୁନ୍ ପୁରାଇ ଦିଆଯିବ । ୨୦ ଟଙ୍କିଆ ଟୁଥ୍ ପେଷ୍ଟ୍ ପ୍ୟାକେଟ୍ ଭିତରେ ଟଙ୍କାକର ପେଷ୍ଟ ପୁରାଇ ଦିଆଯିବ ।

କମ୍ପାନୀ ମାଲିକ ପାଉଚକୁ ଟିକିଏ ବଡ଼ କରିବା ସପକ୍ଷରେ ଅଛନ୍ତି, କିନ୍ତୁ ୫ ଟଙ୍କିଆ ପାଉଚ ଉପରେ ୪ ଟଙ୍କା ୭୫ ପଇସା ଲେଖିବାକୁ ନାରାଜ ।

କମ୍ପାନୀ ମାଲିକ ଯୁକ୍ତି କରନ୍ତି, ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ୍ ଦର କମାଇବା ବଦଳରେ ଟିକିଏ ଅଧିକ ମାଲ ଭରିଦେଲେ, ଉପଭୋକ୍ତା ମହଲ ଖୁସ । ୧୦ ଟଙ୍କିଆ ସାବୁନକୁ ଆଉ ଟିକିଏ ବଡ଼ କରିଦେଲେ, ଖାଉଟି ଖୁସ ।

କମ୍ପାନୀ ମାଲିକଙ୍କର ଯୁକ୍ତିକୁ ଶୁଣିବା ପରେ ସରକାର କି ପଦକ୍ଷେପ ଗ୍ରହଣ କରିବେ, ଖାଉଟିଙ୍କ ମନକୁ ବୁଝାଇବା ଭଳି ପଦକ୍ଷେପ ଗ୍ରହଣ କରାଯିବା ଯେତିକି ଜରୁରୀ, କମ୍ପାନୀ ମାଲିକଙ୍କ ମନକୁ ଖୁସି କରିବା ମଧ୍ୟ ସେତିକି ଜରୁରୀ ।