ପିଲାଙ୍କ ଆଖିରେ ଅଠା ଲଗାଇ ଆଶ୍ରମ ସ୍କୁଲ ଅଧ୍ୟକ୍ଷ ବହିଷ୍କୃତ
ପିଲାଙ୍କୁ ଆକଟ କରିବାକୁ ଯାଇ ସେମାନଙ୍କ ଆଖିରେ ଶକ୍ତିଶାଳୀ ଅଠା ଲଗାଇବା ଅଭିଯୋଗରେ ଆଶ୍ରମ ବିଦ୍ୟାଳୟରୁ ବିଦା ହୋଇଛନ୍ତି ଅଧ୍ୟକ୍ଷ ମନୋରଂଜନ ସାହୁ ।
କନ୍ଧମାଳ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ନିକଟରୁ ଆଦେଶ ପାଇବା ପରେ ଜିଲ୍ଲା କଲ୍ୟାଣ ଅଧିକାରୀ ବିଦ୍ୟାଳୟର ପ୍ରିନସିପାଲଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଘଟଣାଟି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଶାଳଗୁଡ଼ା ପଂଚାୟତସ୍ଥିତ ଶାଳଗୁଡ଼ା ସେବାଶ୍ରମରେ ଘଟିଛି । ସେବାଶ୍ରମର ଆଠଜଣ ଅନ୍ତେବାସୀଙ୍କ ଆଖିରେ କାରଖାନାରେ ବ୍ୟବହୃତ ଅଠା ମାରି ଦିଆଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଲା ।
ପିଲାମାନେ ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ମନୋରଂଜନ ସେମାନଙ୍କ ଆଖିରେ ଅଠା ମାରି ସିଲ୍ କରି ଦେଇଥିଲେ । ପୀଡ଼ିତ ଛାତ୍ରମାନଙ୍କୁ ଗୋଚ୍ଛାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।
ପରିସ୍ଥିତି ଅଣାୟତ୍ତ ହେବାରୁ ପୀଡ଼ିତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।