କ’ଣ କରୁଛି ମହିଷାସୁର ମା’ ଦୁର୍ଗାଙ୍କ ଚରଣ ତଳେ? କେବେ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆସିଛି?
ଛୋଟିଆ ପିଲାଟିଏ ମା’ ଦୁର୍ଗାଙ୍କ ପାଦତଳେ ମହିଷାସୁରକୁ ଶୋଇଥିବାର ଦେଖି ଭାରି ଖୁସି ହୋଇଯାଏ । ମା’ ବାପାମାନେ ଛୋଟ ପିଲାଟିକୁ ବୁଝାଇ ଦିଅନ୍ତି, ତଳେ ଶୋଇଥିବା ରାକ୍ଷସଟିର ନାମ ମହିଷାସୁର ।
ସେ ରମ୍ଭା ନାମକ ଗୋଟିଏ ରାକ୍ଷସର ପୁଅ ଓ ମଇଁଷି ମୁଣ୍ଡିଆ ରାକ୍ଷସୀର ଭାଇ । ମହିଷାସୁର କଠୋର ତପସ୍ୟା ବଳରେ ସୃଷ୍ଟିକର୍ତ୍ତା ବ୍ରହ୍ମଦେବଙ୍କୁ ସନ୍ତୁଷ୍ଟ କରି ଦେବତା କି ମଣିଷଙ୍କ ହାତରେ ନ ମରିବା ବରଲାଭ କରିଥିଲା ।
ବର ପାଇବା ପରେ ମହିଷାସୁର ତା’ର ରାକ୍ଷସ ସେନାକୁ ଧରି ସ୍ୱର୍ଗକୁ ଆକ୍ରମଣ କଲା । ଦେବରାଜ ଇନ୍ଦ୍ର ଓ ସବୁ ଦେବତା ଦେବୀମାନଙ୍କୁ ସ୍ୱର୍ଗରୁ ତଡ଼ିଦେଲା । ତାକୁ ମାରିବା ପାଇଁ ବ୍ରହ୍ମା, ବିଷ୍ଣୁ, ମହାଦେବଙ୍କ ସମେତ ସବୁ ଠାକୁର ଠାକୁରାଣୀ ଗୋଟିଏ ସଭା କଲେ । ସେହି ସଭାରେ ମା’ ଦୁର୍ଗାଙ୍କୁ ଡକାଗଲା । ମା’ ଦୁର୍ଗା ଆସିଲେ, ସବୁ ଦେବତା ଓ ଦେବୀଗଣ ତାଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ ।
ଦେବତାଙ୍କୁ ପୁନର୍ବାର ସ୍ୱର୍ଗରେ ଥଇଥାନ କରିବା ପାଇଁ ମା’ ଦୁର୍ଗା ମହିଷାସୁର ସହିତ ଦୀର୍ଘ ୯ ଦିନ ଧରି ଲଢ଼ିଥିଲେ । ମା’ ଦୁର୍ଗାଙ୍କ ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ଶୁମ୍ଭ ନିଶୁମ୍ଭ, ଚଣ୍ଡ ମୁଣ୍ଡ ଭଳି ରାକ୍ଷସମାନେ ମଲେ । କିନ୍ତୁ ମହିଷାସୁର ମଲାନି । ବିବସନା ନାରୀ ହାତରେ ମହିଷାସୁର ମରିବ ବୋଲି ବ୍ରହ୍ମା ବରଦାନ କରିଥିଲେ ।
କଥା କ’ଣ କି, ମହିଷାସୁର ଅମର ବର ମାଗିଥିଲା । ବ୍ରହ୍ମା ସଫା ସଫା କହିଦେଲେ, ଅମର ବର ଦେବାର କ୍ଷମତା ତାଙ୍କ ନିକଟରେ ନାହିଁ । ତହୁଁ ମହିଷାସୁର ଭାବିଲା, ଏମିତି ଗୋଟିଏ ବର ମାଗିବ ଯାହା ସମସ୍ତଙ୍କ ପାଇଁ କଳ୍ପନାତୀତ ହେବ ।
ମହିଷାସୁର ଜଣେ ବିବସନା ନାରୀ ହାତରେ ମରିବ ବୋଲି ବର ମାଗିଲା ।
ବ୍ରହ୍ମଦେବ କାଳବିଳମ୍ବ ନକରି ସେହି ବରଟାକୁ ପ୍ରଦାନ କଲେ । ମା’ ଦୁର୍ଗା ବ୍ରହ୍ମଦେବଙ୍କ ନିକଟରୁ ଏପରି କଥା ଶୁଣି ଦେବତାମାନଙ୍କୁ ରୋକଠୋକ୍ ଶୁଣାଇଦେଲେ, ସେ କୌଣସି ପରିସ୍ଥିତିରେ ସଂପୂର୍ଣ୍ଣ ବିବସ୍ତ୍ର ହୋଇ ମହିଷାସୁର ସାମ୍ନାକୁ ଯିବେନି ।
ଦେବତାଙ୍କ ଭିତରେ ଭାଳେଣି ପଡ଼ିଗଲା । କ’ଣ କରାଯିବ? ବିଷ୍ଣୁ ମନେ ମନେ ଗୋଟିଏ ଉପାୟ ପାଂଚିଲେ । ଦେବତାମାନେ ମେରୁ ପର୍ବତ ଉପରେ ଗୋଟିଏ ଭୋଜିଭାତ ଆୟୋଜନ କଲେ, ସେଠାକୁ ମା’ ଦୁର୍ଗାଙ୍କୁ ଆମନ୍ତ୍ରଣ କଲେ ।
ସବୁ ଦେବତାଙ୍କ ଗହଣରେ ବସି ମା’ ଦୁର୍ଗା ଭୋଜି ଖାଇଲେ । ପ୍ରଭୁ ନାରାୟଣ ଚତୁରେ ଚତୁରେ ମା’ ଦୁର୍ଗାଙ୍କୁ ମଦ ପିଆଇଲେ, ମାଂସ ଖୁଆଇଲେ । ମଦମାଂସ ପ୍ରଭାବରେ ମା’ ଚେତନା ଶକ୍ତି ହଜାଇଲେ ।
ମା’ଙ୍କ ହାତରେ ତ୍ରିଶୂଳ ଧରାଇ ମହିଷାସୁର ସହିତ ଲଢ଼ିବାକୁ ପଠାଇଦେଲେ । ମା’ ଦୁର୍ଗା ନିଶାଗ୍ରସ୍ତ ଅବସ୍ଥାରେ ମହିଷାସୁର ସହିତ ଲଢୁଥିବା ସମୟରେ ମା’ଙ୍କ ଶରୀରରୁ ଲୁଗା ଖସିଗଲା । ମା’ଙ୍କର ବିବସନା ରୂପ ଦେଖି ମହିଷାସୁର କାଠ ପରି ଠିଆ ହୋଇଗଲା ।
ୟେ କ’ଣ ଦେଖୁଛି ମହିଷାସୁର? ଆଖି ଆଗରେ ଜଣେ ନାରୀକୁ ସଂପୂର୍ଣ୍ଣ ବିବସନା ରୂପରେ? ମହିଷାସୁର ଶରୀରକୁ ବୀର୍ଯ୍ୟ ସ୍ଖଳିତ ହେଲା । ତା’ ହାତରୁ ଖଣ୍ଡା ଖସିଗଲା ।
ମଉକା ଦେଖି ମା’ ଦୁର୍ଗା ମହିଷାସୁର ଛାତିରେ ତ୍ରିଶୂଳ ବିଦ୍ଧ କଲେ । ମହିଷାସୁର ମରିବାର ଦେଖି ଦେବତାଙ୍କର ଆନନ୍ଦ କାହିଁରେ କ’ଣ? ଖୁସିରେ ଆତ୍ମହରା ହୋଇ ଦେବତାମାନେ ବେଶ କିଛି ସମୟ ପାଇଁ ପରସ୍ପରକୁ ଆଲିଙ୍ଗନ କଲେ ।
ତା’ରି ଭିତରେ ମହିଷାସୁର ମା’ ଦୁର୍ଗାଙ୍କର ଚରଣ ତଳେ ହାତଯୋଡ଼ି ପ୍ରାର୍ଥନା କଲା । ମହିଷାସୁର କହିଲା, ‘ମା’, ଆପଣ ଜଣେ ନାରୀ, ଆପଣଙ୍କ ଶରୀରରେ ବସନ ନାହିଁ, ଭୂଷଣ ନାହିଁ । ଆପଣଙ୍କ କେଶ ମୁକୁଳା । ଏପରି ଅବସ୍ଥାରେ ଆପଣ ଯୁଦ୍ଧକ୍ଷେତ୍ରକୁ ଧାଇଁ ଆସିଛନ୍ତି ମୋତେ ମାରିବା ପାଇଁ ।
ଆପଣଙ୍କର ୟେ ରୂପ ଦେଖିବା ପରେ ମୋର ଆଉ ବଂଚିବାର ଆଗ୍ରହ ନାହିଁ । ଧିକ ମୋ ଜୀବନ, ଧିକ ମୋର ପୁଅ ପଣିଆ । କାଳବିଳମ୍ବ ନ କରି ମୋତେ ମାରି ଦିଅନ୍ତୁ ।
ସାରା ଦୁନିଆକୁ ଜଣାଇ ଦିଅନ୍ତୁ ଯେ ମୋ ପରି ଗୋଟିଏ ଅଯୋଗ୍ୟ ପୁଅ ପାଇଁ ଆପଣଙ୍କୁ ବିବସନା ହେବାକୁ ପଡ଼ିଛି । ଯୁଗ ଯୁଗ ଧରି ଏହି କଥାଟି ସମସ୍ତଙ୍କ ମନରେ ସାଇତି ରଖିବା ପାଇଁ ମୋତେ ଆପଣଙ୍କ ଚରଣ ତଳେ ସ୍ଥାନ ଦିଅନ୍ତୁ ।