ମହିଷାସୁରକୁ ମାରିବା ପରେ କୁଆଡ଼େ ଗଲେ ମା’ ଦୁର୍ଗା ?

ମହିଷାସୁରକୁ ମାରିବା ପରେ ମା’ ଦୁର୍ଗା ଦେବତାଙ୍କୁ ମାରିବା ପାଇଁ ବିରାଟ ରୂପ ଧାରଣ କଲେ । ଦେବତାମାନେ କପଟ କରି ତାଙ୍କୁ ମଦ ପିଆଇ ଦେବା କଥାଟି ମା’ ଦୁର୍ଗାଙ୍କ କାନରେ ବାରମ୍ବାର ବାଜୁଥିଲା ।

ଦେବତାଗଣ କିଛି ଉପାୟ ନପାଇ ମହାଦେବଙ୍କ ଶରଣାପନ୍ନ ହେଲେ ।

କାମନାର ଅଗ୍ନିରେ ଜର୍ଜରିତ ମା’ ଦୁର୍ଗାଙ୍କ ଆଗରେ ଦିଗମ୍ବର ହୋଇ ଠିଆ ହୋଇଗଲେ ମହାଦେବ । ମା’ ଦୁର୍ଗାଙ୍କ କ୍ରୋଧକୁ ସାମ୍ନା କରିବାର କ୍ଷମତା କେବଳ ମହାଦେବଙ୍କ ନିକଟରେ ରହିଛି । ମା’ ପାର୍ବତୀଙ୍କର ଉଗ୍ର ରୂପ ହେଉଛି ମା’ ଦୁର୍ଗା ।

ବାପାକୁ ହରାଇବା ପରେ ମହିଷାସୁର ପୁଅ ଗଜାସୁର ବ୍ରହ୍ମାଙ୍କ ଉଦ୍ଦେଶ୍ୟ କଠୋର ତପସ୍ୟା କଲା ।

ବ୍ରହ୍ମଦେବଙ୍କ ନିକଟରୁ ବର ପାଇବା ପରେ ଦେବତାଙ୍କ ସହିତ ଯୁଦ୍ଧ କଲା । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳକୁ ଦଖଲ କଲା ।

ଇତି ମଧ୍ୟରେ ମା’ ପାର୍ବତୀ ଓ ମହାଦେବଙ୍କ ଭିତରେ ପାରିବାରିକ କଳି ଭୀଷଣ ରୂପ ନେଇ ସାରିଥିଲା । କୈଳାସପୁର ଛାଡ଼ି ମା’ ପାର୍ବତୀ ବିନ୍ଧ୍ୟ ପର୍ବତରେ ସଖି ଜୟାବିଜୟାଙ୍କ ସହିତ ରହୁଥିଲେ ।

ଦିନକର କଥା, ମା’ ପାର୍ବତୀ ତାଙ୍କ ଶରୀରରୁ ଛଡ଼ାଇଥିବା ହଳଦି ମଳୁଖରେ ମହାଦେବଙ୍କୁ ମନେ ପକାଇ ପକାଇ ଏକ ଦିବ୍ୟ ପ୍ରତିମା ତିଆରି କରିଦେଲେ ।

ପ୍ରତିମାଟିରେ ପ୍ରାଣ ସଂଚାର କରିବାକୁ ତାଙ୍କର ଇଛା ହେଲା । ନାରାୟଣଙ୍କୁ ମନେମନେ ଧ୍ୟାନ କଲେ । ଯଥା ସମୟରେ ପ୍ରଭୁ ନାରାୟଣ ମା’ ପାର୍ବତୀଙ୍କ ନିକଟରେ ହାଜର ହେଲେ ।

ମା’ଙ୍କ ଅନୁରୋଧ ରକ୍ଷା କରି ନାରାୟଣ ପ୍ରତିମାଟିରେ ପ୍ରାଣ ସଂଚାର କଲେ ଓ ତା’ର ନାମ ଗଣେଶ ରଖିଲେ । ନାରାୟଣ ତାଙ୍କ ବାଟରେ ଚାଲିଗଲେ ।

ବାଳକ ଗଣେଶ ମା’ ପାର୍ବତୀଙ୍କୁ କର୍ମ ଜିଜ୍ଞାସା କଲେ । ତହୁଁ ଗୌରୀମାତା ଶ୍ରୀଗଣେଶଙ୍କୁ ଗୁମ୍ଫା ଦ୍ୱାର ଜଗିବା କାମରେ ଲଗାଇ ନିଜେ ଗାଧୋଇବାକୁ ଚାଲିଗଲେ । ଗାଧୋଇ ସାରିବା ପରେ ତପରେ ବସିଗଲେ ।

ପାର୍ବତୀଙ୍କ କଠୋର ତପସ୍ୟାରେ ମହାଦେବଙ୍କ ଆସନ ଟଳମଳ ହେଲା । ତାଙ୍କର ଧ୍ୟାନଭଗ୍ନ ହୋଇଗଲା । ପାର୍ବତୀଙ୍କୁ ଖୋଜିବାକୁ ଲାଗିଲେ ମହାଦେବ ।

ଶିବଗଣଙ୍କ ନିକଟରୁ ପାର୍ବତୀଙ୍କ ଠିକଣା ପାଇ ମହାଦେବ ବିନ୍ଧ୍ୟ ପର୍ବତ ଗୁମ୍ଫା ନିକଟରେ ପହଂଚିଲେ ।

ଗୁମ୍ଫା ଭିତରକୁ ଯିବା ପାଇଁ ଉଦ୍ୟମ କଲାବେଳେ ଶ୍ରୀଗଣେଶ ମହାଦେବଙ୍କ ବାଟ ଓଗାଳିଲେ । ତହୁଁ ମହାଦେବ-ଶ୍ରୀଗଣେଶଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଅବଶେଷରେ ଶ୍ରୀଗଣେଶଙ୍କ ମୁଣ୍ଡ କାଟି ମହାଦେବ ଗୁମ୍ଫା ଭିତରକୁ ପ୍ରବେଶ କଲେ ।

କଥା ପ୍ରସଙ୍ଗରେ ଶ୍ରୀଗଣେଶଙ୍କ ମୁଣ୍ଡ କାଟି ଦିଆଯାଇଥିବା ଶୁଣି ମାତା ପାର୍ବତୀ ଗୁମ୍ଫା ଦ୍ୱାର ନିକଟକୁ ଧାଇଁଲେ । ଶ୍ରୀଗଣେଶଙ୍କ ଗଣ୍ଡିଟି ପଡ଼ିଥିଲା, ମାତ୍ର ମୁଣ୍ଡଟି ଉଭାନ ହୋଇ ଯାଇଥିଲା ।

ମାତା ପାର୍ବତୀଙ୍କ ଆକୁଳ କ୍ରନ୍ଦନରେ ମହାଦେବ ବିଚଳିତ ହୋଇ ଶ୍ରୀଗଣେଶଙ୍କ ପରିଚୟ ଲୋଡ଼ିଲେ । ଶ୍ରୀଗଣେଶ ମା’ ଗୌରୀଙ୍କର ମାନସ ସନ୍ତାନ ଜାଣିବା ପରେ ମହାଦେବ କାଳବିଳମ୍ବ ନକରି ଶ୍ରୀଗଣେଶଙ୍କୁ ଜୀବନ ଦାନ କଥା ଚିନ୍ତା କଲେ ।

ଦୈବଯୋଗକୁ ସେହି ସମୟରେ ଗଜାସୁର କବଳରୁ ରକ୍ଷା ପାଇବା ପାଇଁ ଦେବତାମାନେ ମହାଦେବଙ୍କ ନିକଟରେ ଗୁହାରି କଲେ । ଗଜାସୁରକୁ ମାରି ତା’ର ମୁଣ୍ଡଟିକୁ ଆଣି ଶ୍ରୀଗଣେଶଙ୍କ ଗଣ୍ଡିରେ ଲଗାଇ ଦେଲେ ମହାଦେବ ।

ଗଜାସୁର ମଧ୍ୟ ତା’ ବାପା ମହିଷାସୁର ଭଳି ମହାଦେବଙ୍କ ପାଖେ ପାଖେ ରହିବାର ଅଭିଳାଷ ପୋଷଣ କରିଥିଲା । ସବୁ ଦିଗରୁ ଚିନ୍ତା କରି ମହାଦେବ ଗଜାସୁର ମୁଣ୍ଡଟିକୁ ଶ୍ରୀଗଣେଶଙ୍କ ଗଣ୍ଡିରେ ଯୋଡ଼ିବା ଯୁକ୍ତିସଂଗତ ମନେକଲେ ।