ବିସିସିଆଇ ନୂତନ ଅଧ୍ୟକ୍ଷ ଭାବେ ମିଥୁନ ମନହାସ୍ ନିର୍ବାଚିତ ହୋଇଛନ୍ତି । ରାଜୀବ ଶୁକ୍ଲା ଓ ଦେବଜିତ ସାଇକିୟା ବିସିସିଆଇ ଉପାଧ୍ୟକ୍ଷ ଓ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଚନ୍ତି । ପ୍ରଭତେଜ ସିଂ ଭାଟିଆଙ୍କୁ ଯୁଗ୍ମ ସମ୍ପାଦକ କରାଯାଇଛି । ଏ ରଘୁରାମ ଭାଟଙ୍କୁ ନୂତନ କୋଷାଧ୍ୟକ୍ଷ କରାଯାଇଛି ।
ଦିଲ୍ଲୀ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମିଥୁନ ମନହାସ ଏକଦା ଜମ୍ମୁ-କଶ୍ମୀର କ୍ରିକେଟ୍ ଆସୋସିଏସନ ପରିଚାଳକ ଥିଲେ । ୧୯୯୭/୯୮ ମସିହାରେ ମନହାସ ପ୍ରଥମ ଶ୍ରେଣୀର କ୍ରିକେଟ ଦୁନିଆରେ ପାଦ ଦେଇଥିଲେ ।
୧୯ ବର୍ଷରୁ କମ୍ ବୟସର କ୍ରିକେଟ୍ ଦଳକୁ ପ୍ରତିନିଧିତ୍ୱ କରି ସାରିଛନ୍ତି । ପ୍ରଥମ ଶ୍ରେଣୀର କ୍ରିକେଟ୍ ଦୁନିଆରେ ତାଙ୍କର ଭଲ ରେକର୍ଡ ଥିଲେ ମଧ୍ୟ ଟିମ୍ ଇଣ୍ଡିଆରେ ତାଙ୍କୁ ଖେଳିବାର ସୁଯୋଗ ମିଳିଲାନି ।
ବିଶେଷ କରି ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ, ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ଙ୍କ ଭଳି ଟାଣୁଆ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବାରୁ ମନହାସଙ୍କୁ ନିରାଶ ହେବାକୁ ପଡ଼ିଥିଲା ।
ମନହାସ ପ୍ରାୟ ୧୪୭ଟି ପ୍ରଥମ ଶ୍ରେଣୀର କ୍ରିକେଟ୍ ଖେଳିଛନ୍ତି, ହାରାହାରି ୪୫.୮୨ ହାରରେ ୯,୭୧୪ ରନ୍ ହାସଲ କରିଛନ୍ତି ।
ସେ ୨୭ଟି ଶତକ ଓ ୪୯ଟି ଅର୍ଦ୍ଧ-ଶତକ ଅଧିକାରୀ । ୨୦୦୭-୦୮ ମସିହାରେ ଦିଲ୍ଲୀ ଟିମକୁ ରଣଜୀ ଟ୍ରଫି ଟପର୍ କରିବା ପଛରେ ମନହାସଙ୍କ ଦକ୍ଷ ନେତୃତ୍ୱ ଦାୟୀ ।
ବ୍ୟାଟିଂ ସହିତ ବୋଲିଂ କ୍ଷେତ୍ରରେ ମଧ୍ୟ ମନହାସ ତାଙ୍କର ଦକ୍ଷତା ପ୍ରତିପାଦନ କରିପାରିଥିଲେ । ସେ ପ୍ରାୟ ୭୫ଟି ୱିକେଟ୍ ହାସଲ କରିଛନ୍ତି । ଜଣେ ଭଲ ୱିକେଟ୍ ରକ୍ଷକ ଭାବେ ତାଙ୍କର ନାମ ରହିଛି ।