ଆତ୍ମଘୋଷିତ ଭଗବାନ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ବାବାଙ୍କ ନିକଟରୁ ଗୋଟିଏ ଜାଲ୍ ଆନ୍ତର୍ଜାତିକ କୂଟନୈତିକ ପରିଚୟ ପତ୍ର ମିଳିଛି ।
ସେହି ଜାଲ ପରିଚୟ ପତ୍ର ଦେଖାଇ ବାବା କିଛି ସାମାଜିକ ପ୍ରତିଷ୍ଠିତ ଲୋକଙ୍କୁ ହାତମୁଠାରେ ରଖିଥିଲେ ବୋଲି ପୁଲିସ ସନେ୍ଦହ କରୁଛି ।
ଏକାଧିକ ମହିଳା ବାବାଙ୍କ କାମାଗ୍ନିର ଶିକାର ଓ ଏକାଧିକ ଲୋକ ବାବାଙ୍କ ଠକାମିର ଶିକାର ହୋଇଥିବା ଆଶଙ୍କା କରାଯାଉଛି ।
ପ୍ରାଥମିକ ଖୋଳତାଡ଼ କରିବା ପରେ ପୁଲିସ ହାତରେ ଦୁଇଟି ଜାଲ ପରିଚୟ ପତ୍ର ପଡ଼ିଛି । ଗୋଟିଏ ପରିଚୟ ପତ୍ର ବଳରେ ବାବା ନିଜକୁ ମିଳିତ ଜାତିସଂଘର ସ୍ଥାୟୀ ରାଜଦୂତ ଦାବି କରୁଛନ୍ତି ।
ଅନ୍ୟ ଗୋଟିଏ ପରିଚୟ ପତ୍ର ବଳରେ ବାବା ନିଜକୁ ଭାରତ ସରକାରଙ୍କ ସ୍ୱତନ୍ତ୍ର କୂଟନୀତିଜ୍ଞ ଦାବି କରୁଛନ୍ତି ଓ ନିଜକୁ ବ୍ରିକ୍ସ ଦେଶ ସମୂହ ପକ୍ଷରୁ ନିଯୁକ୍ତ ପ୍ରାପ୍ତ ଯୁଗ୍ମ କମିଶନ ସଭ୍ୟ ବୋଲାଉଛନ୍ତି ।
ଲୋକଙ୍କୁ ଚୂନ ଲଗାଇବା ପାଇଁ ବାବା ଜାଲ ପରିଚୟ ପତ୍ର ବ୍ୟବହାର କରୁଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ରବିବାର ଦିନ ଭୋର ପ୍ରାୟ ସାଢ଼େ ୩ଟା ସମୟରେ ୬୨ ବର୍ଷୀୟ ବାବାଙ୍କୁ ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରୁ ଗିରଫ କରାଯାଇଛି ।
ଠକ ବାବାଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଏକାଧିକ ଟିମ ଗଠନ କରାଯାଇଥିଲା ।
ଆଗ୍ରା ଅଂଚଳରେ ପ୍ରତିଷ୍ଠିତ ଗୋଟିଏ ହୋଟେଲରେ ଠକ ବାବା ରହୁଥିବାର ସୂଚନା ପାଇ ପୁଲିସ ସଦଳବଳେ ସେଠାରେ ପହଂଚିଥିଲା ।