କୃଷି ଆଇନ ବିରୋଧରେ କୃଷକମାନଙ୍କର ଦିନିକିଆ ଅନଶନ ଆରମ୍ଭ-shaksi news

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ୧୯ ଦିନ ହେବ ଦିଲ୍ଲୀରେ ବିରାଟ କୃଷକ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆଜି ଅନଶନ ଆରମ୍ଭ କରିଛନ୍ତି। ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି କୃଷକ ସଙ୍ଗଠନମାନେ କହିଛନ୍ତି।

ସେହିପରି ପଞ୍ଜାବରେ ‘ଭାରତୀୟ କିଷାନ୍‌ ୟୁନିୟନ୍‌’ ବା ‘ବିକେୟୁ’ର ସାଧାରଣ ସମ୍ପାଦକ ହରିନ୍ଦର ସିଂହ ଲଖୋଓ୍ଵାଲ୍‌ କହିଛନ୍ତି, ଆମେ ସରକାରଙ୍କୁ ଜାଗ୍ରତ କରିବାକୁ ଚାହୁଁଛୁ। ସେଥିପାଇଁ ‘ସଂଯୁକ୍ତ କୃଷକ ସାମ୍ମୁଖ୍ୟ’ର ୪୦ଜଣ କୃଷକ ନେତା ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୀମାର ସମସ୍ତ ଅଞ୍ଚଳରେ ଅନଶନରେ ବସିବେ। ସେମାନଙ୍କ ମଧ୍ୟରୁ ୨୫ଜଣ ସିଂଘୁ ସୀମାରେ, ୧୦ଜଣ ଟିକ୍‌ରୀ ସୀମାରେ ଏବଂ ୫ଜଣ ଉତ୍ତର ପ୍ରଦେଶ ସୀମାରେ ବସି ଅନଶନ କରିବେ।

ତେବେ ଦିଲ୍ଲୀର ବିଭିନ୍ନ ସୀମାରେ ଡେରା ପକାଇଥିବା ଲକ୍ଷଲକ୍ଷ କୃଷକ ଆଜିଠାରୁ ସିଂଘୁ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ଯାଏ ଉପବାସ କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ କୃଷକଙ୍କ ଏହି ଅନଶନକୁ ସମର୍ଥନ ଜଣାଇବା ସହ ସେ ଓ ଆପ୍ କର୍ମୀମାନେ ଆସନ୍ତାକାଲି କୃଷକଙ୍କ ସହ ଉପବାସରେ ରହିବେ ବୋଲି ସୂଚନା ଦେଇଛନ୍ତି।

ଦିଲ୍ଲୀର ଗାଜିପୁର ସୀମାରେ ଥିବା ପ୍ରତିବାଦକାରୀମାନେ କହିଛନ୍ତି ଯେ ସେମାନେ ଏହି ଦିନିକିଆ ଅନଶନ ପାଇଁ ପ୍ରସ୍ତୁତ। ଲକ୍ଷ୍ମୀପୁର ଖେରିର ଜଣେ କୃଷକ କହିଛନ୍ତି, କଳକୁ ଆଖୁ ଟ୍ରଲି ନେଇ ଗଲାବେଳେ ଆମକୁ ୨୪ ଘଣ୍ଟା ଉପବାସ ରହିବାକୁ ପଡ଼େ। ଉପବାସ ପାଇଁ ଆମେ ପ୍ରସ୍ତୁତ। କୃଷି ଆଇନ ପ୍ରତ୍ୟାହାର ନିମନ୍ତେ ପ୍ରାୟ ୨୦ ଦିନ ହେବ କୃଷକମାନେ ଚଳାଇଥିବା ଏହି ଆନ୍ଦୋଳନ କ୍ରମଶଃ ତୀବ୍ରତର ହେଉଛି। ରବିବାର ଦିନ ଆହୁରି ଅନେକ କୃଷକ ଆସି ହରିୟାଣା ସୀମାନ୍ତ ସିଂଘୁରେ ପ୍ରତିବାଦକାରୀ କୃଷକମାନଙ୍କ ସହ ଯୋଗ ଦେଇଛନ୍ତି।

ତେବେ ନୂତନ କୃଷି ଆଇନରେ କେତେକ ସଂଶୋଧନ ପାଇଁ କେନ୍ଦ୍ର ସରକ‌ାର ପ୍ରସ୍ତାବ ଦେଇଥିବା ସତ୍ତ୍ବେ କୃଷକ ସଂଗଠନଗୁଡ଼ିକ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସରକାର କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଏବେ ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରୁଥିବାରୁ ରାଜସ୍ଥାନ ଓ ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଚାଷୀମାନେ ଅବରୋଧ କରି ରଖିଛନ୍ତି। ଦିଲ୍ଲୀକୁ ସଂ‌‌ଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ ବ୍ୟାରିକେଡ୍‌ ନିର୍ମାଣ କରି ପରିସ୍ଥିତି ଉପରେ କଡ଼ା ନଜର ରଖିଛି।