ଭୁବନେଶ୍ୱର( ଏସ୍ ନ୍ୟୁଜ ): କରୋନା ମହାମାରୀ ଯୋଗୁ ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ପଡିଛି। ଆଉ ଏହାକୁ ଖୋଲିବା ଦିଗରେ ପଦକ୍ଷେପ ନେବା ଲାଗି ହାଇକୋର୍ଟ ନିର୍ଦେଶ ଦେବା ପରେ ଦେବୋତ୍ତର ବିଭାଗ ତତ୍ପର ହୋଇଛି। ଦେବୋତ୍ତର ବିଭାଗ ଅଧୀନରେ ଥିବା୧୮ ହଜାର ମନ୍ଦିର ଖୋଲିବା ନେଇ ଦେବୋତ୍ତର କମିଶନର ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।
ଦେବୋତ୍ତର କମିଶନର ସରକାରଙ୍କୁ ଦେଇଥିବା ମୋଡାଲିଟିରେ ଏକକାଳୀନ ଭକ୍ତ ପ୍ରବେଶ କରିବା ବାରଣ ରହିଛି। ସାମାଜିକ ଦୂରତା, ମନ୍ଦିର ଦ୍ବାରରେ ସାନିଟାଇଜର ରଖିବା ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ମନ୍ଦିରଗୁଡ଼ିକରେ କେବଳ ଦର୍ଶନ କରାଯିବ। ବଡ଼ ପୂଜା ହେବ ନାହିଁ।ଏସବୁ ନିୟମ ମାନି ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନିୟମ ନ ମାନିଲେ ମନ୍ଦିର ଖୋଲିବ ନାହିଁ। ଏ ଦିଗରେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଦେବୋତ୍ତର କମିଶନର କହିଛନ୍ତି।
ଅନ୍ୟପଟେ ମନ୍ଦିର ଖୋଲିବା ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । କେନ୍ଦ୍ର ସରକାରଙ୍କ ଅନଲକ-୧ ଗାଇଡଲାଇନ ଅନୁଯାୟୀ ଜୁନ୍ ୮ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଏଯାବତ୍ ରାଜ୍ୟସରକାର ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଛୋଟ ବଡ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ତେଣୁ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଦାବି କରିଛି ।