ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବ ଆମ୍ ଆଦ୍ମୀ ପାର୍ଟି (ଆପ୍)। ୨୦୨୨ରେ ହେବାକୁ ଥିବା ନିର୍ବାଚନକୁ ନେଇ ଆପ୍ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।
ଉତ୍ତର ପ୍ରଦେଶରେ ଭଲ ସ୍କୁଲ୍ ନାହିଁ କି ଭଲ ଡାକ୍ତରଖାନା ମଧ୍ୟ ନାହିଁ। ଆଜି ବି ଉତ୍ତର ପ୍ରଦେଶର ଲୋକେ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧା ପାଇଁ ଦିଲ୍ଲୀ ଆସୁଛନ୍ତି । ଦେଶର ସବୁଠୁ ବଡ଼ ରାଜ୍ୟ କ’ଣ ସବୁଠୁ ବିକଶିତ ରାଜ୍ୟରେ ପରିଣତ ହୋଇପାରିବ ନାହିଁ?ତେଣୁ ଏହାର ବିକାଶ ପାଇଁ ନିର୍ବାଚନ ଲଢ଼ିବା ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି। କାରଣ ଏଠାରେ ବିକାଶରେ ବାଧା ସାଜିଛନ୍ତି ସେଠାକାର ଦୁର୍ନୀତିଗ୍ରସ୍ତ ରାଜନେତା ଓ ଗୋଳିଆ ରାଜନୀତି। ଲୋକେ ସେଠାରେ ସବୁ ଦଳକୁ ଶାସନ କରିବାର ସୁଯୋଗ ଦେଇ ସାରିଲେଣି। କିନ୍ତୁ ସବୁ ସରକାର କେବଳ ଦୁର୍ନୀତିରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।
ଏହା ସହିତ ସେ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଯଦି ଦିଲ୍ଲୀର ସରକାରୀ ହସ୍ପିଟାଲ୍ ଗୁଡ଼ିକର ଅବସ୍ଥା ସୁଧୁରିପାରିଲା, ଲୋକେ ନିରବଚ୍ଛିନ୍ନ ଭାବେ ମାଗଣାରେ ବିଦ୍ୟୁତ୍ ସେବା ପାଇପାରିଲେ, ତା’ହେଲେ ଉତ୍ତର ପ୍ରଦେଶରେ କାହିଁକି ଏହା ହୋଇପାରିବ ନାହିଁ? ଉତ୍ତର ପ୍ରଦେଶର ସରକାରୀ ସ୍କୁଲ୍ ଗୁଡ଼ିକ କାହିଁକ ଦିଲ୍ଲୀର ସରକାରୀ ସ୍କୁଲ୍ ଭଳି ହୋଇପାରିବ ନାହିଁ? ମୋଟାମୋଟି ଭାବେ କହିବାକୁ ଗଲେ ଦିଲ୍ଲୀ ମଡେଲକୁ ଦେଖାଇ ଆପ୍ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ବିଜେପି ବିରୋଧରେ ଆପ୍ ପ୍ରଚାର କରିଥିଲା, କିନ୍ତୁ ନିଜେ ପ୍ରାର୍ଥୀ ଦେଇ ନଥିଲା। ଏଥିରେ ୪୦୩ ଆସନରୁ ବିଜେପି ୩୧୨ଟି ଆସନରେ ଜିତିଥିଲା। ସମାଜବାଦୀ ପାର୍ଟି ୪୭ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା।