ଭୁବନେଶ୍ୱର( ଏସ୍ ନ୍ୟୁଜ ): କରୋନା କଟକଣା ଯୋଗୁ ଦୀର୍ଘ ଦିନ ଧରି ଧର୍ମାନୁଷ୍ଠାନ ବନ୍ଦ ରହିବା ପରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି। ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଆସନ୍ତା ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ । ପରେ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ପରେ ଜାନୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ପାଇବେ । ୬ ତାରିଖରୁ ସାଧାରଣ ଭକ୍ତଙ୍କ ଲାଗି ଉନ୍ମୁକ୍ତ ହେବ ମନ୍ଦିର ପରିସର ।
ତେବେ ଲିଙ୍ଗରାଜ ମନ୍ଦିର ପ୍ରବେଶ ପାଇଁ ଚାହୁଁଥିବା ଭକ୍ତଙ୍କୁ ୪-୫ ଦିନ ତଳର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ତାହା ହେଲେ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ । କେବଳ ଆଡକାଠ ପର୍ଯ୍ୟନ୍ତ ଭକ୍ତମାନେ ଯାଇ ଦର୍ଶନ କରିପାରିବେ । ମନ୍ଦିରରେ ଏକକାଳୀନ ସର୍ବାଧିକ ୫ ଶହ ଭକ୍ତ ଉପସ୍ଥିତ ରହିବେ। ଦର୍ଶନ ପାଇଁ ଏସଓପି ଜାରି କରାଯାଇଥିବା ବେଳେ ମନ୍ଦିର ବାହାରଠାରୁ ଆରମ୍ଭ କରି ବେଢା ଭିତର ପର୍ଯ୍ୟନ୍ତ ବ୍ୟାରିକେଡ କଟକଣା ରହିବ ।