ଏଣିକି ମଜୁରି ଡେରି ହେଲେ କାର୍ଯ୍ୟାନୁଷ୍ଠାନ,ଦାୟୀ ରହିବେ ଜିଲ୍ଲାପାଳ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। କରୋନା ମହାମାରୀ ଯୋଗୁ ଗରୀବ ଲୋକଙ୍କ ଜୀବନ, ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଆଉ ରୋଜଗାର ହରାଇ ଅଧିକ ସେମାନେ ଦୁର୍ବିସହ ଜୀବନ ବିତାଉଛନ୍ତି । ଏପରି ସ୍ଥିତିରେ ସେମାନଙ୍କୁ କାମଧନ୍ଦା ସହ ମଜୁରୀ ଯୋଗାଇବାକୁ ସରକାରୀ ଅଧିକାରୀ ଅଧିକ ଯତ୍ନବାନ ହେବା ଉଚିତ। ଏଥିରେ କିଛି ବି ଏପାଖ ସେପାଖ ହେଲେ ଜିଲ୍ଲାପାଳ ହିଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ତେବେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳଙ୍କୁ ଏଭଳି ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାବ୍ୟତୀତ ଜାନୁଆରୀ ପହିଲାରୁ ପ୍ରତି ଜିଲ୍ଲାରେ ରୋଜଗାର ଯୋଜନା ସମ୍ପର୍କରେ ମତାମତ ନେବାକୁ ସ୍ୱତନ୍ତ୍ର ଭାବେ ‘ମୋ ସରକାର’ ସେଲ୍‌ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳମାନେ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀଙ୍କୁ ନିୟମିତ ଫୋନ୍‌ କରି ମଜୁରୀ ବିଷୟରେ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ ଯେଉଁ ଜିଲ୍ଲାରେ ଲୋକ ବାହାରକୁ ଯାଉଛନ୍ତି, ସେଠି ଅଧିକ ୧୦୦ ଦିନ କାମ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।