Our Parliament and Legislative Assembly are in the hands of criminals
ଧିରେ ଧିରେ ଅପରାଧିଙ୍କ କବଳକୁ ଚାଲିଯାଉଛି ଆମ ସଂସଦ ଓ ବିଧାନସଭା । ଧିରେ ଧିରେ ଅପରାଧିଙ୍କ ଦଖଲକୁ ଚାଲିଯାଉଛି ଆମ ଗଣତନ୍ତ୍ର । ଧିରେ ଧିରେ ଅପରାଧିଙ୍କ ଦଖଲକୁ ଚାଲିଯାଉଛି ରାଜନୈତିକ ଦଳ । ଧିରେ ଧିରେ ଅପରାଧିଙ୍କ କବଳକୁ ଚାଲିଯାଉଛି ୟେ ଦେଶର ଶାସନ କ୍ଷମତା ।
କୁଖ୍ୟାତ ଆତଙ୍କବାଦୀ ସଂଗଠନ ତାଲିବାନକୁ ମାଟିରେ ମିଶାଇ ପାରିଲାନି ଯୁକ୍ତରାଷ୍ଟ୍ର ଆମେରିକା ଓ ନାଟୋ ସେନାବାହିନୀ । ଆଫଗାନିସ୍ତାନ ଶାସନ କ୍ଷମତାକୁ ଦଖଲ କରି ଏବେ ସେଠାକାର ତାଲିବାନ ସରକାର ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ୱତନ୍ତ୍ର ଅତିଥି ।
ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମଂଚରେ ଠିଆ ହୋଇ ଆତଙ୍କୀ ସଂଗଠନ ବିରୋଧରେ ସିଂହନାଦ କରୁଥିଲେ । ଆଜି ସେହି ଆତଙ୍କୀ ସଂଗଠନକୁ ସୁବର୍ଣ୍ଣ ଥାଳିରେ ହୀରା ପରସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଓ ପ୍ରଶ୍ରୟ ଦେବା ଅଭିଯୋଗରେ ପାକିସ୍ତାନକୁ ଦାୟୀ କରୁଥିବା ନରେନ୍ଦ୍ର ମୋଦୀ ଆଜି ତାଲିବାନ ସହିତ ହାତ ମିଳାଇଛନ୍ତି ।
ୟେ ସମୟର ଖେଳ ।
ଏଠି ସମୟ ସବୁଠାରୁ ବଳବାନ ।
ଅତୀତରେ ଯୋଉ ତାଲିବାନ ବିଶ୍ୱ ଦରବାରରେ କୁଖ୍ୟାତ ଆତଙ୍କୀ ସଂଗଠନ ପରିଚୟ ଲାଭ କରିଥିଲା, ଆଜି ସେହି ତାଲିବାନ ଆଫଗାନିସ୍ତାନକୁ ଶାସନ କରୁଛି, ସେହି ତାଲିବାନ ପାଇଁ ନୂଆଦିଲ୍ଲୀ ଏକ ନୂଆ ଠିକଣା ହୋଇଛି ଖାସ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିଶ ପାଇବା ପରେ ।
ପାଣି ଗୋଳିଆ କରି ଫାଇଦା ଉଠାଇବା ଚକ୍କରରେ କଂଗ୍ରେସ, ବିଜେପି ଓ ବିଜେଡି ଭଳି ରାଜନୈତିକ ଦଳଗୁଡ଼ିକ ଆଜିକାଲି ଉଭୟ ପୁଲିସ ଓ ଅପରାଧିଙ୍କୁ ବ୍ୟବହାର କରି ଆସୁଛନ୍ତି । ଦିନ ଥିଲା ଓଡ଼ିଶାକୁ ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଧରି ନିଆଯାଉଥିଲା ।
ସମୟ ସୁଅରେ ଓଡ଼ିଶାର ପରିଚୟ ବଦଳି ଯାଇଛି । ଓଡ଼ିଶା କ୍ରମେ ଅପରାଧିଙ୍କ ଚରାଭୂଇଁ ହେବାକୁ ଯାଉଛି ।
ଅପରାଧିଙ୍କ ବିନା ରାଜନୀତି କରିବା ଅସମ୍ଭବ, ଏ ପ୍ରକାର ମାନସିକତା ପ୍ରାୟ ସବୁ ରାଜନେତା ଓ ରାଜନୈତିକ ଦଳଗୁଡ଼ିକ ଜାବୁଡ଼ି ଧରିଛନ୍ତି । ପରିଣାମ ସ୍ୱରୂପ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବେ ଦେଶୀ ବନ୍ଧୁକ ବଜାର ହୋଇଗଲାଣି । ବ୍ୟକ୍ତିଗତ ଶତ୍ରୁତା ଅବା ରାଜନୈତିକ ଶତ୍ରୁତା ବନ୍ଧୁକ ବେପାରୀଙ୍କୁ ସୁହାଉଛି ।
ନିଶା ମାଫିଆ, ଖଣି ମାଫିଆ, ଗୋରୁ ମାଫିଆ, ଜମି ମାଫିଆ, ସୁନା ମାଫିଆ, ଦାଦନ ମାଫିଆଙ୍କ ହାତରେ ବନ୍ଧୁକଟିଏ ରହିବା ଜରୁରୀ । ବିଗତ ୧୦ ମାସ ଭିତରେ ୪୦ରୁ ଅଧିକ ବନ୍ଧୁକ ଜବତ କରାଯିବା ଘଟଣା ପୁଲିସ ପାଇଁ ଏକ ଚାଲେଂଜ ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଭଡା ସୂତ୍ରରେ ବନ୍ଧୁକ ଦିଆଯିବା ।
ଓଡ଼ିଶା ବଜାରରେ ବିହାର, ଉତର ପ୍ରଦେଶ ଓ ଗୁଜରାଟ ତିଆରି ବନ୍ଧୁକ ବିକାଯାଉଛି । ଯେତେ ଚେଷ୍ଟା କଲେ ମଧ୍ୟ ଓଡ଼ିଶା ପୁଲିସ ବେଆଇନ ବନ୍ଧୁକ କାରବାର ରୋକିପାରୁନି । କେମିତି ରୋକିବ?
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କ୍ୟାବିନେଟରେ ପ୍ରାୟ ୧୪ ଜଣ ସାଂଘାତିକ ଅପରାଧ ଅଭିଯୁକ୍ତ ଅଛନ୍ତି ।
ବିଧାନସଭା ଓ ସଂସଦରେ ଦିନକୁ ଦିନ ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସମୟ ଆସିବ, କୁଖ୍ୟାତ ଅପରାଧିଙ୍କ କବଳକୁ ଚାଲିଯାଉଛି ଗଣତନ୍ତ୍ରର ମନ୍ଦିର ସଂସଦ ବା ବିଧାନସଭା । କୁଖ୍ୟାତ ଅପରାଧିଙ୍କ କବଳକୁ ଚାଲିଯାଉଛି ବିଭିନ୍ନ ରାଜ୍ୟର ବିଧାନସଭା ।