ଅହମଦାବାଦ:ଏକ ଅଢ଼େଇ ବର୍ଷର ଶିଶୁପୁତ୍ର ତା ନିଜ ଜୀବନ ବଦଳରେ ବଞ୍ଚାଇଛି ସାତ ଜୀବନ।ପଡ଼ୋଶୀଙ୍କ ଘରେ ଖେଳୁଥିବା ବେଳେ ଏହି ଅଢ଼େଇ ବର୍ଷର ଶିଶୁଟି ଦ୍ୱିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଡିସେମ୍ବର ୧୪ରେ ଡାକ୍ତରମାନେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ପରେ ଶିଶୁଟିର ଅଙ୍ଗଦାନ କରିଛନ୍ତି ତାର ବାପା (ସଞ୍ଜୀବ ଓଝା) ଓ ମା’ (ଅର୍ଚ୍ଚନା) ।ଏହାକୁ ନେଇ ସାତ ଜଣ ପାଇଛନ୍ତି ନୂଆ ଜୀବନ।
ତେବେ ଗୁଜରାଟର ସୁରତ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ମୃତ ଶିଶୁଟିର ନାଁ ଯଶ ଓଝା। ଯେକି ମୃତ୍ୟୁ ପୂର୍ବରୁ ସବୁଠାରୁ କମ୍ ବୟସରେ ଅଙ୍ଗଦାନ କରିବାରେ କରିଗଲେ ଏକ ରେକର୍ଡ। ତାଙ୍କର ହୃତପିଣ୍ଡ, ଲିଭର, ଫୁସଫୁସ୍, କିଡନୀ ଓ ଆଖି ଦାନ କରିଗଲେ।
ଯଶର ହୃତପିଣ୍ଡ ଓ ଫୁସଫୁସ୍କୁ ବିମାନରେ ଚେନ୍ନାଇ ପଠାଯାଇଥିଲା। ଋଷିଆର ଜଣେ ୪ ବର୍ଷର ଶିଶୁ ଶରୀରରେ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି। ସେହିପରି ଫୁସଫୁସକୁ ୟୁକ୍ରେନର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ୨ଟି ଯାକ ପ୍ରତିରୋପଣ ଚେନ୍ନାଇର ଏକ ହସ୍ପିଟାଲରେ ହୋଇଛି। ସେଠାରେ ଏହି ଦୁଇ ବିଦେଶୀ ଶିଶୁ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ।ସେହିପରି ଯଶର କିଡ୍ନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି। ତାଙ୍କ ଲିଭରକୁ ପ୍ରତିରୋପଣ କରି ଏକ ୨ ବର୍ଷର ଝିଅର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ଡାକ୍ତର।
ଏହି ଅଙ୍ଗଦାନ ପ୍ରକ୍ରିୟାରେ ବଡ଼ ଭୂମିକା ଲିଭାଇଛି ଏନଜିଓ ସଂସ୍ଥା ‘ଡୋନେଟ ଲାଇଫ୍’। ଏହି ସଂସ୍ଥାର ପ୍ରତିଷ୍ଠାତା ନୀଲେଶ ମାଣ୍ଡଲେଓ୍ୱାଲା କହିଛନ୍ତି, ପୁଅର ମୃତ୍ୟୁ ପରେ ଓଝାଙ୍କ ପରିବାର ଦୁଃଖରେ ଥିଲେ। ହେଲେ ଏହାପରେ ବି ସେମାନେ ଅଙ୍ଗଦାନ ଭଳି ଏକ ମହତ କାମ କରିବାରେ ପଛଘୁଞ୍ଚା ଦେଇ ନାହାନ୍ତି।