ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ମୁମ୍ୱାଇର ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମହିଳା କମିଶନ ମାମଲାକୁ ଗୁରୁତର ସହ ନେଇଛନ୍ତି।
ଅଭିଯୋଗକୁ ନେଇ ମହିଳା କମିଶନ କହିଛନ୍ତି ହେମନ୍ତଙ୍କ ବିରୋଧରେ କେବଳ ଦୁଷ୍କର୍ମ ନୁହେଁ ଧମକ ଦେବାର ଅଭିଯୋଗ ମଧ୍ୟ ରହିଛି। ୨୦୧୩ରେ ହେମନ୍ତ ମୁଖ୍ୟମନ୍ତ୍ରୀ ନଥିବା ବେଳେ ମଡେଲ ଜଣଙ୍କ ଏହି ଅଭିଯୋଗ ଆଣିଥିଲେ । ଏବେ ମାମଲାର ଷ୍ଟାଟସ ରିପୋର୍ଟ କଣ ରହିଛି ଜାଣିବା ପାଇଁ ମହାରାଷ୍ଟ୍ର ଡିଜିପିଙ୍କୁ ଜବାବ ମାଗିଛନ୍ତି ଜାତୀୟ ମହିଳା କମିଶନ। ମଡେଲ ହେମନ୍ତ ସୋରେନଙ୍କ ସହ ସୁରେଶ ନାଗରେ ନାମକ ବ୍ୟକ୍ତିଙ୍କ ନାମ ମଧ୍ୟ ଅଭିଯୋଗ ରହିଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ଗୋଡାର ସାଂସଦ ନିଶିକାନ୍ତ ଦୁବେ ପ୍ରଥମେ ଏହି ଘଟଣାକୁ ସାମ୍ନାକୁ ଆଣିଥିଲେ। ଦୁଷ୍କର୍ମ ପରେ ମଡେଲ ଜଣଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପରେ ମାମଲାଟି ଆପୋଷ ସମାଧାନ ହୋଇଥିଲା।ଜଣେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଭଳି ଅଭିଯୋଗ ଆସିଥିବାରୁ ମହାରାଷ୍ଟ୍ର ଡିଜିପି ମାମଲାକୁ ପୁଣିଥରେ ତଦନ୍ତ କରି ନ୍ୟାୟ ଦେବା ଦରକାର ବୋଲି ଏହି ବିଜେପି ସାଂସଦ ଟ୍ୱିଟ୍ କରି ସରକାରକୁ କହିଥିଲେ।