Editorial: Shame to Anti-corruption program କହିଲେ କୁଳ କୁଟୁମ୍ବକୁ ଲାଜ

Editorial: Shame to Anti-corruption program, କହିଲେ କୁଳ କୁଟୁମ୍ବକୁ ଲାଜ

ଦୁର୍ନୀତିଟା ସତେ ଯେପରି ଗୋଟିଏ ଜୀବ । ତାକୁ ଲୋପ କରିବା ସରକାରଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି । ସେଥିପାଇଁ କବାଟକିଳା ଆଲୋଚନା ଚାଲିଛି । ସବୁ ଗୋଟିଏ ଢାଂଚାରେ ପଡ଼ିଯାଇଛି । ମୁହଁରେ ‘ଜୟ ଶ୍ରୀରାମ’, ହାତରେ ଖଣ୍ଡା ଧରି ଧର୍ମ ସୁରକ୍ଷା ଆଳରେ ଯାବତୀୟ ଭଣ୍ଡାମି ଚାଲିଛି ।

ଲୋକସେବା ଭବନର ଶୀତତାପ ନିୟନ୍ତ୍ରିତ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଥିବା ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ହାତଗଣତି ସରକାରୀ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କଥା ଓ କାମରେ ଆଦୌ ତାଳମେଳ ନାହିଁ ।

ଆଲୋଚନା ଚକ୍ରରେ ଯୋଗଦାନ କରିଥିବା ପ୍ରତ୍ୟେକ ବକ୍ତାଙ୍କ ବାଣୀ ଓ ଠାଣି ଭିତରେ ତାଳମେଳ ନଥିଲା । ମୁଖ୍ୟମନ୍ତ୍ରୀଙ୍କ ଓଠରୁ ବାହାରୁଥିବା ଭାଷାଗୁଡ଼ାକ ଶ୍ରୁତିମଧୁର ଥିଲା ମାତ୍ର ତାଙ୍କ ମନରେ ଜମା ରହିଥିବା ଅବ୍ୟକ୍ତ ଭାଷାଗୁଡ଼ାକ ହାତଗୋଡ଼ରେ ପ୍ରତିଫଳିତ ହେଉଥିଲା ।

ଅସଲ କଥା ହେଉଛି, ଦୁର୍ନୀତି ନିବାରଣ ପାଇଁ ସଂକଳ୍ପବଦ୍ଧ ସରକାରୀ ଅଧିକାରୀ ଓ କ୍ଷମତାସୀନ ରାଜନୈତିକ ଦଳ ଦୁର୍ନୀତି ମହାଦ୍ରୁମକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଜରିଆରେ ମହିଳାଙ୍କ ହାତରେ ୫୦ ହଜାର ଟଙ୍କା ଧରାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ନୀତି ନିବାରଣ ଆଭିମୁଖ୍ୟ ପୋଷଣ କରିଛନ୍ତି?

ମହିଳାଙ୍କ ହାତରେ ସୁଭଦ୍ରା ଟଙ୍କା ଧରାଇ ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କ ପିଠିରେ ୫୦ ହଜାର କୋଟି ଟଙ୍କାର ଋଣବୋଝ ଲଦି ଦିଆଯିବା ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମର କୋଉ ଧାରାକୁ ଉଲ୍ଲଙ୍ଘନ କରୁଛି, ଆଲୋଚନା ଚକ୍ରରେ ଯୋଗଦାନ କରିଥିବା ବକ୍ତାମାନେ ଜାଣନ୍ତି?

ଲୋକସେବା ଭବନରେ ପ୍ରତୀକାତ୍ମକ ଭାବେ ପାଳିତ ହୋଇଯାଇଛି । ଦୁର୍ନୀତି ଆମ ଶାସନ ବ୍ୟବସ୍ଥାକୁ ଦୁର୍ବଳ କରୁଥିବା କଥାଟି ସମସ୍ତେ ଜାଣନ୍ତି । କିନ୍ତୁ ତାକୁ କଠୋର ହସ୍ତରେ ଦମନ କରିବାର ଦୃଢ଼ ସାହସ ନା ୟେ ଦେଶର ଜନତାଙ୍କ ମନରେ ଅଛି ନା ଅଛି ଜନତାଙ୍କର ସେବକ ବୋଲାଉଥିବା ଆଇଏଏସ୍ ଆଇପିଏସ୍ ପଦାଧିକାରୀଙ୍କ ନିକଟରେ ।

ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଆଳରେ ସିସିଟିଭି ଲଗାଯିବା କାର୍ଯ୍ୟକ୍ରମର ଆମୂଳଚୁଳ ଉପରେ ଦୃଷ୍ଟି ପକାଇଲେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆହୁଜା ଓ ଡିଜିପି ଶ୍ରୀଯୁକ୍ତ ଖୁରାନିୟାଙ୍କ ଦୁର୍ନୀତି ନିବାରଣ ପଦକ୍ଷେପଟା ଜଳଜଳ ହୋଇ ଦିଶିଯାଉଛି ।

ତା’ପରେ ଯଦି ମୁଖ୍ୟମନ୍ତ୍ରୀ ମାଝି କୁହନ୍ତି ଯେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ କ୍ଷମା କରିବନି କି କାହାରିକୁ ଛାଡ଼ିବନି, ତା’ ହେଲେ ଧରି ନିଆଯିବ ମୁଖ୍ୟମନ୍ତ୍ରୀ ମାଝି ଏକ ନମ୍ବର ଧୂର୍ତ୍ତ ।

ରାଜ୍ୟବାସୀ ଯେ ପର୍ଯ୍ୟନ୍ତ ରୋଗଭୋଗ ଶୋକଭୋକ ଦୁଃଖଯନ୍ତ୍ରଣା ବିକି ଚାଲିଥିବେ, ସେ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ ଆଲୋଚନା ଭିତରେ ସୀମିତ ହୋଇ ରହିଥିବ ।