ଭୁବନେଶ୍ୱର( ଏସ୍ ନ୍ୟୁଜ ): ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟ DDCEର ବରିଷ୍ଠ ଆକାଉଣ୍ଟ୍ସ୍ ଅଫିସର୍ଙ୍କ ଘରେ ଭିଜିଲାନ୍ସ୍ ଚଢ଼ାଉ କରିଛି । ଭୁବନେଶ୍ୱର ସ୍ପେସାଲ୍ ଭିଜିଲାନ୍ସ୍ ଜଜ୍ଙ୍କ ସର୍ଚ ଓ୍ଵାରେଣ୍ଟ୍ ବଳରେ କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଦୁର୍ଗାପୁର ଗାଁର ମୂଳ ବାସିନ୍ଦା ଏବଂ ସମ୍ପ୍ରତି ବାଣୀବିହାରର ‘ଡିଡିସିଇ’ରେ ବରିଷ୍ଠ ସହକାରୀଭାବେ କାର୍ଯ୍ୟରତ ଆକାଉଣ୍ଟ୍ସ୍ ଅଫିସର୍ ଅଶୋକ କୁମାର ମିଶ୍ରଙ୍କ ଅଫିସ୍ ଓ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ପରିବାର ଲୋକେ ରହୁଥିବା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୌଜା-ପାଣ୍ଡରାର ପ୍ଲଟ୍ ନମ୍ବର ୪୩୪/୬୦୦୬ରେ ଥିବା ଦୁଇମହଲା କୋଠା, ତାଙ୍କ ନାମରେ ପଟିଆର ପ୍ରଶାନ୍ତି ବିହାରର ପ୍ଲଟ୍ ନମ୍ବର ଏଲ୍ପି-୩୩୨ରେ ଥିବା ଦୁଇ ମହଲାକୋଠା, ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ନିୟୁ କଲୋନିର କ୍ୱାର୍ଟର୍ସ ନମ୍ବର ଡିଏଫ୍/୪, ବାଣୀ ବିହାରର ‘ଡିଡିସିଇ’ରେ ଥିବା ତାଙ୍କ କାର୍ଯ୍ୟାଳୟ, ଏବଂ ସାଲେପୁରର ରାମେଶ୍ୱର ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପୈତୃକ ଜାଗାରେ ସେ ନିର୍ମାଣ କରାଇଥିବା ଏକମହଲା କୋଠାରେ ଭିଜିଲାନ୍ସ୍ କର୍ମଚାରୀମାନେ ଚଢ଼ାଉ କରିଛନ୍ତି।
ସେହିପରି ଭୁବନେଶ୍ୱର ଅନ୍ତର୍ଗତ କଳିଙ୍ଗ ନଗରରେ ତାଙ୍କ ନାମରେ କେ-୪/୧୪୦ ନମ୍ବର ପ୍ଲଟ୍ଟି ଥିବା କଥା ଚଢ଼ାଉ ସମୟରେ ଜଣାପଡ଼ିଛି। ସେ ପ୍ଲଟ୍ରେ ୨୦୧୭-୧୮ରେ ଦୁଇ ମହଲାବିଶିଷ୍ଟ କୋଠଘର ନିର୍ମାଣ କରାଯାଇ ଭଡ଼ା ଦିଆଯାଇଛି। ଏହାସହ ଅଶୋକଙ୍କ ଘରୁ ନଗଦ ୩,୫୫,୦୦୦/- ଟଙ୍କା ଜବତ କରାଯାଇଛି।