ବିଜେପିରେ ମିଶିଲେ୧୧ ତୃଣମୂଳ କଂଗ୍ରେସ ନେତା-shaksi news

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ମମତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ଆଗାମୀ ନିର୍ବାଚନ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ କଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି । ଏହି ସମୟରେ ଦୁଇ ଦିନିଆ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗର ମେଦିନପୁରରେ ରାଲି କରିଛନ୍ତି । ସୋଭାଯାତ୍ରା ସମୟରେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ୧୧ ଜଣ ତୃଣମୂଳ କଂଗ୍ରେସ ନେତା ।

ଏମାନଙ୍କ ମଧ୍ୟରେ ୫ ବିଧାୟକ, ଜଣେ ସାଂସଦ ଏବଂ ଜଣେ ପୂର୍ବତନ ସାଂସଦ ମଧ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ଛାଡ଼ିଥିବା ପ୍ରଭାବଶାଳୀ ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ସାସଦ ସୁନୀଲ୍ ମଣ୍ଡଲ ମଧ୍ୟ ସାମିଲ୍ ଅଛନ୍ତି। ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଶୁଭେନ୍ଦୁ ଅଧିକାରୀ, ତାପସୀ ମଣ୍ଡଲ, ଅଶୋକେ ଦିଣ୍ଡା, ସୁଦୀପ ମୁଖାର୍ଜୀ, ସାଇକତ ପଞ୍ଜା, ଶିଳ୍ପଭଦ୍ର ଦତ୍ତା,ଦୀପାଲି ବିଶ୍ବାସ, ସୁକ୍ରା ମୁଣ୍ଡା, ଶ୍ୟାମ୍ପଦା ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଏବଂ ବନାସ୍ରୀ ମୈତ୍ରୀ ।

ତେବେ ୧୧ଜଣ ବିଧାୟକ ଦଳ ଛାଡ଼ିବା ପରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହା। ସେ କହିଛନ୍ତି, ବିଜେପି ଅନ୍ୟ ଦଳରୁ ନେତା ନେଉଥିବା କଥା ମମତା ବାନାର୍ଜୀ କହୁଥିଲେ। କିନ୍ତୁ ସେ ଭୁଲି ଯାଇଛନ୍ତି ଯେ, ସେ ନିଜେ ମଧ୍ୟ କଂଗ୍ରେସ ସହ ସେଭଳି କରିଥିଲେ। କଂଗ୍ରେସ ଛାଡ଼ି ସେ ନିଜର ସ୍ବତନ୍ତ୍ର ଦଳ ଟିଏମସି ତିଆରି କରିଥିଲେ। ଯଦି ପଶ୍ଚିମବଙ୍ଗର ଲୋକମାନେ ପରିବର୍ତ୍ତନ ପାଇଁ ବିଜେପି ସହିତ ହାତ ମିଳାଉଛନ୍ତି, ତେବେ ସେ କାହିଁକି ଚିନ୍ତାରେ ପଡି ଯାଉଛନ୍ତି। ନେତାମାନେ ନିଜ ଇଚ୍ଛାରେ ଟିଏମସି ଦଳ ଛାଡୁଛନ୍ତି । ଆଉ ଏହା ଆରମ୍ଭ ବୋଲି କହିିଛନ୍ତି ଅମିତ ଶାହା।

ଅନ୍ୟପଟେ ଉତ୍ତର କୋଲ୍‌କାତାରେ ଥିବା ସ୍ୱାମୀ ବିବେକାନନ୍ଦଙ୍କର ପୈତୃକ ଗୃହ ଦର୍ଶନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ କୋଲ୍‌କାତାରେ ପହଞ୍ଚିଥିବା ଶାହ ଦୁଇଟି ଜିଲ୍ଲା ଗସ୍ତ କରିବା ସହ ରାଲିରେ ଉଦ୍‌ବୋଧନ ଦେବେ ଓ ରୋଡ୍‌ ସୋ’ କରିବେ । ଶାନ୍ତି ନିକେତନରେ ଥିବା ବିଶ୍ୱ ଭାରତୀ ପରିଦର୍ଶନ କରିବା ସହ ଜଣେ କୃଷକ ପରିବାରଙ୍କ ଘରେ ଭୋଜନ କରିଛନ୍ତି ।

ସେହିପରି ସ୍ଵାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରିଛନ୍ତି ଏବଂ କହିଛନ୍ତି ଯେ, “ଖୁଦିରାମ ବୋଷ ଯିଏକି ବୀରତ୍ୱ ଏବଂ ସାହସର ଏକ ଉଦାହରଣ ସୃଷ୍ଟି କରିଛନ୍ତି ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସ୍ଵାମୀ ବିବେକାନନ୍ଦ ଆଶ୍ରମ ବୁଲି ଦେଖିବା ପରେ ଶାହ କହିଛନ୍ତି, “କେବଳ ଭାରତୀୟଙ୍କୁ ନୁହେଁ ସମଗ୍ର ବିଶ୍ୱକୁ ପ୍ରେରିତ କରୁଥିବା ସ୍ଥାନ ଦର୍ଶନ କରି ମୁଁ ଖୁବ୍‌ ଆନନ୍ଦିତ ହେବା ସହ ଭାଗ୍ୟବାନ ମନେକରୁଛି । ଏଇଟା ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମସ୍ଥାନ । ଜୀବଦ୍ଦଶା ମଧ୍ୟରେ ସ୍ୱାମୀଜୀ ସମଗ୍ର ବିଶ୍ୱରେ ଭାରତର ଜ୍ଞାନ ଓ ସଂସ୍କୃତିର ପ୍ରସାର କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଧର୍ମ ମହାସଭାରେ ଭାଷଣରେ ସେ ବିଶ୍ୱକୁ ଜାଗତିକ ଭ୍ରାତୃତ୍ୱ ସହ ପରିଚିତ କରାଇଥିଲେ । ସେ ହିଁ ଆଧୁନିକତାକୁ ଅଧ୍ୟାତ୍ମିକତା ସହ ସଂଯୋଗ କରିଥିଲେ ବୋଲି କହିଛନ୍ତି ।

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଳ ରାୟ, ପ୍ରାଦେଶିକ ସମ୍ପାଦକ ଦିଲୀପ ଘୋଷ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ସମେତ ୧୧ଜଣିଆ ଟିମ୍‌ ଶାହଙ୍କ ସହ ଉପସ୍ଥିତ ଥିଲେ ।