ଭୁବନେଶ୍ୱର: ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକର ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ପାଇଁ ଉତ୍ସର୍ଗ କରିଥିଲେ ଓ ଦେଶକୁ ସମ୍ବିଧାନ ଭଳି ଅମୂଲ୍ୟ ଉପହାର ଦେଇଯାଇଛନ୍ତି। ଯାହା ଆଜି ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଭାବେ ସ୍ଥାପିତ ହୋଇଛି। ଏଥିପାଇଁ ଦେଶବାସୀ ତାଙ୍କ ପ୍ରତି ଚିରକୃତଜ୍ଞ ରହିବେ। ବାବାସାହେବ ଆମ୍ବେଦକରଙ୍କର ଦୂରଦୃଷ୍ଟି ଓ ଜ୍ଞାନରୁ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହେବା ଉଚିତ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦଣ୍ଡପାଟ ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ପକ୍ଷରୁ ପିଜି କାଉନସିଲ ହଲଠାରେ ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କର ୭୦ତମ ମହାପରିନିର୍ବାଣ ଦିବସ ପାଳନ ଅବସରରେ ’ବିକଶିତ ଭାରତ ପାଇଁ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଦୃଷ୍ଟିକୋଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର ଗରଡ଼ା ସ୍ୱାଗତ ଭାଷଣ ଅଭିଭାଷଣ ରଖି ଭାରତର ଭବିଷ୍ୟତ ଗଠନରେ ଶିକ୍ଷିତ, କୁଶଳୀ ଏବଂ ସାମାଜିକ ସଚେତନ ଯୁବକମାନଙ୍କ ନିର୍ଣ୍ଣାୟକ ଭୂମିକା ଉପରେ ଆମ୍ବେଦକରଙ୍କ ମାର୍ଗଦର୍ଶନ ଉପରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଳପତି ଯଜେ୍ଞଶ୍ୱର ପ୍ରଫେସର ଦଣ୍ଡପାଟ ବିକଶିତ ଭାରତ ପାଇଁ ଆମ୍ବେଦକରଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ।
ସମ୍ମାନୀତ ଅତିଥି ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ମିତାଲି ଚିନ୍ନାରା ତାଙ୍କ ବକ୍ତବ୍ୟରେ ଡକ୍ଟର ଆମ୍ବେଦକରଙ୍କୁ ଜାତୀୟ ପ୍ରଗତିର ମାର୍ଗଦର୍ଶକ ଭାବେ ଅଭିହିତ କରିଥିଲେ। ଆମ୍ବେଦକରଙ୍କ ଦର୍ଶନ ଦେଶକୁ ସମାନତା, ନବସୃଜନ ଏବଂ ସାମୂହିକ ଉନ୍ନତି ଦିଗରେ ମାର୍ଗଦର୍ଶନ ଜାରି ରଖିଛି ଏବଂ ଏହା ବିକଶିତ ଭାରତ ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୁଳସଚିବ ଡକ୍ଟର ସ୍ୱାତୀ ମିଶ୍ର ବିକଶିତ ଭାରତ ୨୦୪୭ ର ଜାତୀୟ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ମୁମ୍ବାଇର ଟିଆଇଏସଏସର ପୂର୍ବତନ ଡିନ୍ ପ୍ରଫେସର ସ୍ଥବୀର ଖୋରା ଏକ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ଆମ୍ବେଦକରଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭେଦଭାବ ବିନା ସୁଯୋଗର ସ୍ୱାଧୀନତା ଉପଭୋଗ କରନ୍ତି ବୋଲି ପ୍ରକାଶ କରିଥିଲେ। ସାମ୍ବିଧାନିକ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ମାଧ୍ୟମରେ ଆଦିବାସୀ ସମାଜର ବିକାଶରେ ଆମ୍ବେଦକରଙ୍କ ଅବଦାନ ଉପରେ ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଦେବେନ୍ଦ୍ର ବିଶ୍ୱାଳ, ଡ, ସୁରେଶ ମୁର୍ମୁ, ଡ.ତନ୍ନୟା ମହାନ୍ତି, ସସ୍ମିତା ସାମଲ, ପପେସ୍ କୁମାର ଲେଙ୍କା, ହରପ୍ରସାଦ ନାଏକ, ଦୀପକ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆମ୍ବେଦକର ଅଧ୍ୟୟନ କେନ୍ଦ୍ରର ଉପନିର୍ଦ୍ଦେଣକ ଡକ୍ଟର ପରମାନନ୍ଦ ନାୟକଙ୍କ ଧନ୍ୟବାଦ ଦେଇଥିବାବେଳେ ଡକ୍ଟର ସୁମିତ୍ରା ମୁର୍ମୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।