ଭୁବନେଶ୍ୱର୍: ଦରମା ବୃଦ୍ଧି, ଚାକିରି ନିୟମିତ କରିବା, ଉନ୍ନତ ସେବା ସର୍ତ୍ତାବଳୀ ସମେତ ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ସବୁ ବର୍ଗର ଶିକ୍ଷକ। ତିନି ଦିନ ଧରି ଶିକ୍ଷକମାନେ ରାସ୍ତାକୁ ଓହ୍ଲାଇବା ଫଳରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଛି। ସରକାରଙ୍କ ପକ୍ଷରୁ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ସତ୍ତେ୍ୱ ଶିକ୍ଷକମାନେ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରଖିବାକୁ ଘୋଷଣା କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ କିମ୍ବା ଲିଖିତ ଆକାରରେ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ସ୍କୁଲକୁ ଯିବୁ ନାହିଁ ବୋଲି ଶିକ୍ଷକ ସଂଘ କହିଛି। ତେବେ ଏପରି କାରଣ ଲାଗି କେଉଁଠି ପାଠ ପଢ଼ା ହେଉଛି ତ ଆଉ କେଉଁଠି ହେଉନାହିଁ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସୁଥିବାବେଳେ ବିଦ୍ୟାଳୟରେ ପାଠପଢ଼ା ଠପ ହୋଇଯିବାରୁ ତେଜୁଛି ଅଭଭାବକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି।
ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନକ୍ରମେ, ୨ ଦଫା ଦାବି ନେଇ ଶୁକ୍ରବାରଠାରୁ ଶିକ୍ଷୟିତ୍ରୀଶିକ୍ଷକମାନେ ଗାନ୍ଧୀମାର୍ଗରେ ଧାରଣା ଦେବା ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ପଦବୀ ଅନୁଯାୟୀ ମୂଳ ବେତନ ଦେବାକୁ ଦାବି ରହିଥିବା ବେଳେ ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ ହଜାର ୪୦୦ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି । ଏହା ସହିତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଛେଦ କରିବାକୁ ମଧ୍ୟ ଦାବି କରୁଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ। ପ୍ରାଥମିକ ଶିକ୍ଷକ ମହାସଂଘର ଆବାହକ ରାମଲାଲ ପଟେଲ କହିଛନ୍ତି, ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନି ବା ଲିଖିତ ପ୍ରତିଶ୍ରୁତି ମିଳିନି ସେ ପର୍ଯ୍ୟନ୍ତ ଆମେ ରାଜରାସ୍ତାରେ ଆନ୍ଦୋଳନ କରିବୁ। କେବଳ ପ୍ରାଥମିକ ଶିକ୍ଷକ ନୁହନ୍ତି, ୧୩ ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଗଠନର ୫ ହଜାର ଶିକ୍ଷକ ଲୋୟର ପିଏମଜି ବିଧାନ ସଭା ସମ୍ମୁଖରେ ଧାରଣା ଦେଇଛନ୍ତି।