ଟେମ୍ପଲ୍ ସିଟିରୁ ସ୍ମାର୍ଟ ସିଟି, ଆଗକୁ ହେବ ହାଇଟେକ୍ ସିଟି, ସହରବାସୀଙ୍କୁ ଆଉ ଗନ୍ଧାଇବନି ଆବର୍ଜନାର ପାହାଡ
ଗୁଜରାଟ ଗିଫ୍ଟ ଢାଞ୍ଚାରେ ଉଠିବ ନିଉ ସିଟି …..
ଗୁଜରାଟ ଗିଫ୍ଟ ଢାଞ୍ଚାରେ ଉଠିବ ନିଉ ସିଟି । ହାଉସିଂଠାରୁ ନେଇ ବ୍ୟବସାୟିକ ଓ ଇନୋଭେସନ୍ ହେବ । ଆବର୍ଜନାର ପାହାଡ ଆଉ ସହରବାସୀଙ୍କୁ ଗନ୍ଧାଇବନି । ବର୍ଜ୍ୟରୁ ବାହାରିବ ବାୟୋ ଗ୍ୟାସ୍ । ଜଳବନ୍ଦୀ କଷ୍ଟ ଦୂରେଇଯିବ । ଭୁବନେଶ୍ୱରରେ ମିଶିବ ନୂଆ ପଞ୍ଚାୟତ । ସହରର କଳେବର ଆହୁରି ବଢିବ ଟ୍ରାଫିକ୍ ଭିଡରୁ ମୁକ୍ତି ପାଇଁ ଆରମ୍ଭ ହେଲା ମେଗା ଡିକନଜେସନ ପ୍ଲାନ୍। କଟକ ଓ ପୁରୀକୁ ମିଶାଇ ଗ୍ରେଟର ଭୁବନେଶ୍ୱରର ବିରାଟ ପରିକଳ୍ପନା । ସ୍ୱଛ ଭାରତ ପରୀକ୍ଷାରେ ଦେଶର ନବମ ସ୍ଥାନ ହାତେଇବାର ଗୌରବ । ପୁଣି ବିଏମ୍ସି ଅଫିସରଙ୍କୁ ମାଡରୁ ରାଜ୍ୟ ହୁଲସ୍ତୁଲ । ବର୍ଷତମାମ ଖୋଳାତଡାର ଯନ୍ତ୍ରଣା । ଏଭଳି ଅନେକ ମିଠା ଆଉ ଖଟା ଅନୁଭୂତିର ସାକ୍ଷୀ ଥିଲା ‘୨୦୨୫’
ଉପକଣ୍ଠରେ ନୂଆ ସହର
ରାଜଧାନୀ ଉପକଣ୍ଠରେ ହେବ ନୂଆ ସହର । ଦାସପୁର, ମଳିପଡା, ଆନ୍ଧାରୁଆରେ ପ୍ରାୟ ୮୦୦ ଏକର ଜମିରେ ଠିଆ ହେବ ନୂଆ ପ୍ରକଳ୍ପ । ପ୍ରସ୍ତାବିତ ନ୍ୟୁ ସିଟିର ଡିଜାଇନ୍ ଚାଲିଛି । ସିଙ୍ଗାପୁରର ଖ୍ୟାତନାମା ସୁବର୍ଣ୍ଣ ଜୁରଙ୍ଗ ସଂସ୍ଥା ଏହାର ଡିଜାଇନ୍ କରୁଛି । ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ୍ ଟେକ୍ସିଟି (ଗିଫ୍ଟ) ଢାଞ୍ଚାରେ ନୂଆ ସହର ପରିବ୍ୟାପ୍ତ ହେବ ସ୍ମାର୍ଟ ସିଟି ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ପ୍ଲାନିଂ ଏଥିରେ ବ୍ୟବହାର କରାଯିବ । ସବୁଜ ସହର ଭାବେ ଏହାକୁ ବିକଶିତ କରାଯିବ । ସହରରେ ୪୦ ପ୍ରତିଶତ ସବୁଜ ସ୍ଥାନ ରହିବ । ତାଛଡା ବଡ ବଡ କୋଠା ନିର୍ମାଣର ଯୋଜନା ହୋଇଛି । ମାର୍କେଟ କମ୍ପ୍ଲେକ୍ସ, ଖେଳ ପଡିଆ, ସ୍କୁଲ, ହସ୍ପିଟାଲ, କଲ୍ୟାଣ ମଣ୍ଡପ ରହିବ । ସବୁଠୁ ବଡ କଥା ହେଉଛି, ଏହି ସହରକୁ ସମ୍ପୂର୍ଣ୍ଣ ସୋଲାର ସିଟି କରାଯିବ । ଏହା ସହ ସହରରେ ଇ-ବସ୍, ଇ-ଯାନ ବ୍ୟବହାର କରିବାକୁ ଯୋଜନା କରାଯାଇଛି । ସେହିପରି ମେଟ୍ରୋ ମଧ୍ୟ ସହରରେ ସ୍ଥାନ ପାଇବ ।