ଭୁବନେଶ୍ୱର ପାଇଁ ମେଗା ପ୍ଲାନ୍‌

ଭୁବନେଶ୍ୱର ଭିତରେ ଓ ଏହାର ଚାରିପାଖର …

ଭୁବନେଶ୍ୱର ଭିତରେ ଓ ଏହାର ଚାରିପାଖର ରାସ୍ତା ନେଟୱର୍କ ବିଶ୍ୱସ୍ତରୀୟ ହେବ । ଆଉ କେହି ଟ୍ରାଫିକ୍‌ ଭିଡରେ ଫସିବେନି । ଚୁଟ୍‌କିରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ । ଏଥିପାଇଁ ଡିକନଜେସନ୍‌ ପ୍ଲାନ୍‌ ହେଲା । ଏଥିରେ ପ୍ରାୟ ୧୪ହଜାର ୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମ ଦଫାରେ ଇନର ରିଙ୍ଗରୋଡ୍‌ ପାଇଁ କାମ ଆରମ୍ଭ ହେଲା । ତମାଣ୍ଡୋରୁ ପାଇକରାପୁରର ୫କିମି ରାସ୍ତାରେ କାମ ଚାଲିଲା । ଇନର ରିଙ୍ଗରୋଡ୍‌ ତମାଣ୍ଡୋରୁ ପାଇକରାପୁରଚନ୍ଦକା-ବାରଙ୍ଗ-ନନ୍ଦନକାନନନ ହୋଇ ଧଉଳି ଯାଏ ଯିବ । ୧୫୫୯ କୋଟିରେ ମୋଟ ୬୪ କିମିର ୬ ଲେନ୍‌ ରାସ୍ତା ହେବ । ୬୧୫୨ କୋଟିରେ ଭୁବନେଶ୍ୱର ଆଉଟର ରିଙ୍ଗରୋଡ୍‌ ହେବ ।

ଏହା ଏନଏଚ୍‌-୩୧୬ ପିପିଲି ପାଖରୁ ବାହାରି ଏନଏଚ୍‌-୧୬ରେ ଥିବା କେଏମବିବି କଲେଜ, ଜାତୀୟ ରାଜପଥ-୫୭ ତରତୁଆ ଓ ବାଲିପାଟଣା ଓ ଶାଳଜଙ୍ଗ ହୋଇ ପୁଣି ପିପିଲି ପାଖରେ ସରିବ । କଳ୍ପନା ଛକରୁ ରବି ଟକିଜ୍‌ ଯାଏ ଏକ ଫ୍ଲାଏଓଭର ନିର୍ମାଣ ଯୋଜନା ହେଲା । ମାଉସୀ ମା’ ଛକରୁ ଶିଶୁଭବନ ଯାଏ ରେଳଲାଇନ୍‌ ଉପରେ ଆଉ ଏକ ନୂଆ ଓଭରବ୍ରିଜ୍‌ ହେବ । ଏଜି ଛକରେ ଭୂତଳ ରାସ୍ତା ହେବ । ସାଲିଆ ସାହି ବସ୍ତି ଉଚ୍ଛେଦ ପରେ ବାକି ଥିବା ବାମପାଶ୍ୱର୍‌ ସମାନ୍ତରାଳ ରାସ୍ତା ଜୋରସୋରରେ ଚାଲିଲା । ଇଣ୍ଡିଆନ୍‌ ରୋଡସ୍‌ କଂଗ୍ରେସ ଆଗରୁ ରାଜଧାନୀର ଏକାଧିକ ରାସ୍ତାରେ ମାଷ୍ଟିକ ଆସ୍ଫାଲଟ୍‌ ପଡିଲା । ସୈନିକ ସ୍କୁଲ-ଆଚାର୍ଯ୍ୟବିହାର ରାସ୍ତାରେ ପରୀକ୍ଷାମୂଳକ ଭାବେ ନୂଆ ଟେକ୍ନୋଲୋଜିର ହ୍ୱାଇଟ୍‌ ଟପିଂ ରାସ୍ତା ପାଇଁ କାମ ଚାଲିଲା । ନୂଆ କରି ସର୍କିଟ୍‌ ହାଉସ୍‌, ମୁଖ୍ୟମନ୍ତ୍ରୀଙ୍କ ନୂଆ ଅଭିଯୋଗ ପ୍ରକୋଷ୍ଠ, ରାଜସ୍ୱ ଭବନ, ବାଣିଜ୍ୟକର ଭବନ ଭଳି ଏକାଧିକ ଆଇକନିକ୍‌ କୋଠା ପାଇଁ ଏ ବର୍ଷ ଟେଣ୍ଡର ଆହ୍ୱାନ ହୋଇଛି । ପୁଣି ରାଜଧାନୀ ସହ ପୁରୀ, କଟକକୁ ମିଶାଇ ନୂଆ ଗ୍ରେଟର ଭୁବନେଶ୍ୱର ପାଇଁ ଯୋଜନା ହୋଇଛି ।