ଓଡିଶାର ପୂର୍ବତନ ସୈନିକଙ୍କ ଐତିହାସିକ ବିଜୟ କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ ସର୍କିଟ୍ ବେଂଚ୍
ଭାରତୀୟ ସେନାନୀରେ ଓଡିଶାରୁ କାର୍ଯ୍ୟ କରିଥିବା ….
କଟକ: ଭାରତୀୟ ସେନାନୀରେ ଓଡିଶାରୁ କାର୍ଯ୍ୟ କରିଥିବା ତଥା ଅବସର ନେଇଥିବା ସୈନିକ ଓ ସେମାନଙ୍କ ପରିବାରର ଦୀର୍ଘଦିନର ଦାବି ପୂରଣ ହୋଇଛି। ଇଣ୍ଡିଆନ୍ ଏକ୍ସ ସର୍ଭିସେସ୍ ଲିଗ୍ ଓଡିଶା ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ଅଦାଲତ କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ସର୍କିଟ୍ ବେଂଚ୍ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ୨୦୨୬ ପୂର୍ବତନ ସୈନିକମାନଙ୍କ ପାଇଁ ବଡ ଖୁସି ଆଣିବାକୁ ଦେଇଛି।
ଆସନ୍ତା ଜାନୁଆରୀ ୭ ତାରିଖରୁ ଆର୍ଆରଡିସି କାର୍ଯ୍ୟାଳୟ ପରିସରରେ ଏହି ସର୍କିଟ୍ ବେଂଚ୍ କାର୍ଯ୍ୟ କରିବ। ଓଡିଶାରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ ନ ଥିବାରୁ ସେନାରେ ଓଡିଶାରୁ କାର୍ଯ୍ୟ କରିଥିବା ପୂର୍ବତନ ସୈନିକମାନଙ୍କୁ ବିଭିନ୍ନ ମାମଲା ପାଇଁ କୋଲକାତା କିମ୍ବା ଦିଲ୍ଲୀ ଯିବାକୁ ପଡୁଥିଲା। ଫଳରେ ପୂର୍ବତନ ସୈନିକ ବା ସେମାନଙ୍କ ପରିବାରକୁ ଏଥିପାଇଁ ଉଭୟ ଶାରୀରିକ, ମାନସିକ ଏବଂ ଆର୍ଥିକ ନିର୍ଯାତନା ସହିବାକୁ ପଡୁଥିଲା। ଏ ନେଇ ଇଣ୍ଡିଆନ୍ ଏକ୍ସ ସର୍ଭିସେସ୍ ଲିଗ୍ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମ୍କୋର୍ଟଙ୍କ ଆବେଦନକାରୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି କଟକରେ ଆର୍ମସ୍ ଫୋର୍ସେସ୍ ଟ୍ରିବ୍ୟୁନାଲ୍ର ଏକ ସର୍କିଟ୍ ବେଂଚ୍ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀ ପ୍ରଧାନ ବେଂଚ୍ର ନ୍ୟାୟିକ ସଦସ୍ୟ ବିଚାରପତି ନନ୍ଦିତା ଦୁବେ ଏବଂ କୋଲକାତା ବେଂଚ୍ର ପ୍ରଶାସନିକ ସଦସ୍ୟ ଲେଃ ଜେନେରାଲ୍ ଶଶାଙ୍କ ଶେଖର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍କିଟ୍ ବେଂଚ୍ ବିଭିନ୍ନ ମାମଲାର ଶୁଣାଣି କରିବେ। ଜାନୁଆରୀ ୭, ୮ ଏବଂ ୯ ତାରିଖ ତିନିଦିନ ପ୍ରଥମେ ବେଂଚ୍ କାମ କରିବ। ମାମଲା ସଂଖ୍ୟା ଅନୁସାରେ ପୁଣି ପରବର୍ତୀ ମାସକୁ ଦିନ ଧାର୍ଯ୍ୟ କରାଯିବ।