ଅପରେସନ୍‌ ‘ଗୋରକ୍ଷା’: ୪୬ ଠିକଣାରୁ ଦେଢ଼କୋଟି ଜବତ

କେନ୍ଦୁଝର ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍‌ ….

ଭୁବନେଶ୍ୱର: ଗୋରୁଚୋରଙ୍କୁ ତ୍ରାହି ମିଳିବନି। କେନ୍ଦୁଝର ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍‌ ‘ଗୋରକ୍ଷା’। ଏହି ଅପରେସନ୍‌ରେ ୫ଟି ଜିଲ୍ଲାର ୪୬ଟି ସ୍ଥାନରେ ପୁଲିସ ଚଢ଼ଉ କରି ଏବେସୁଦ୍ଧା ୧୦ ଜଣ ଗୋମାଫିଆଙ୍କୁ ଧରିଛି। ଅଭିଯୁକ୍ତଙ୍କ ଘରୁ ନଗଦ ୧ କୋଟି ୫୨ ଲକ୍ଷ ୮୨ ହଜାର ୫୦୫ ଟଙ୍କା, ୧ କେଜି ୧୩୦ ଗ୍ରାମ୍‌ ସୁନା, ୩ କେଜି ୮୦ ଗ୍ରାମ ରୁପା, ୨୩ଟି ଚାରି ଚକିଆ ଗାଡି, ୨୩ଟି ବାଇକ୍‌ ଜବତ କରିଛି।

ଗୋମାଫିଆଙ୍କ ବ୍ୟାଙ୍କଜମା, କୋଠା, ଜମି ଆଦି ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତି ପୁଲିସ ଚିହ୍ନଟ କରିସାରିଛି। ଏହାର ଜବତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଗୋଚାଲାଣରୁ ଅର୍ଜିତ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତି ଜବତ କରାଯିବ। ଖୁବ ଶୀଘ୍ର ବିସ୍ତାରିତ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ତୟାର ହେଉଛନ୍ତି। କେନ୍ଦୁଝର ପୁଲିସ ନେତୃତ୍ୱରେ ଆଜି ଭୋର୍‌ରୁ କେନ୍ଦୁଝର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାର ୪୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା।

ଆସନ୍ତାକାଲି ପର୍ଯ୍ୟନ୍ତ ଚଙଉ ଜାରି ରହିବ ବୋଲି ସୂଚନା ମିଳିଛି। ଦୈତାରି ଥାନା କେସ୍‌ ନମ୍ବର ୧୦୭/୨୦୨୫ର ତଦନ୍ତ ବେଳେ ଗୋଚାଲାଣ ପଛରେ ଏକ ସିଣ୍ଡିକେଟ୍‌ ଥିବା ଜଣାପଡିଥିଲା। ଖୋଳତାଡ ବେଳେ ଏହାର ଚେର ୫ଟି ଜିଲ୍ଲା ସମେତ କଟକ, ଭୁବନେଶ୍ୱରକୁ ଲମ୍ବିଥିବା ଜଣାପଡିଥିଲା। ତଦନୁଯାୟୀ ଦୁଇ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୫ ଡିଏସ୍‌ପି, ୨୫ ଇନ୍‌ସପେକ୍ଟର, ୩୬ ଏସ୍‌ଆଇ, ୧୮ ପ୍ଲାଟୁନ୍‌ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ। ଗୋମାଫିଆଙ୍କ ଏକାଧିକ କାଗଜପତ୍ର, ଗାଡିର ଗତିବିଧି ଠାବ କରାଯାଇଥିଲା। ଗୋଚାଲାଣର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ଭଦ୍ରକର ଶେଖ୍‌ ରାଜନକୁ ପୁଲିସ ଅଟକ ରଖିଛି। ତା’ ଘରୁ ନଗଦ ୬୦ ଲକ୍ଷ ଟଙ୍କା, ୨ଟି ସ୍କର୍ପିଓ ଓ ୭.୬୨ ଗ୍ରାମ୍‌ ସୁନା ଜବତ ହୋଇଛି। କେନ୍ଦୁଝର ସାମନ୍ତରାପୁରରୁ ଟିପୁ ସୁଲତାନକୁ ପୁଲିସ ଅଟକ ରଖିଛି। ତା’ ଘରୁ ନଗଦ ୩୦ ଲକ୍ଷ ଟଙ୍କା, ୨୦୦ ଗ୍ରାମ୍‌ ସୁନା, ୧ କିଲୋ ୧୭୦ ଗ୍ରାମ୍‌ ରୁପା ଅଳଙ୍କାର, ଗୋଟିଏ କାର୍‌ ଓ ୪ଟି ବାଇକ୍‌ ଜବତ ହୋଇଛି।
କେନ୍ଦୁଝର ତୁରୁମୁଙ୍ଗାରୁ କୁନୁ ସାହୁ, ମଂଟୁ ସାହୁ, ସିପୁ ସାହୁଙ୍କୁ ଅଟକ ରଖାଯାଇଛି। ସେମାନଙ୍କଠାରୁ ୫୧,୨୭୦ ଟଙ୍କା, ୧୧୩.୨୧ ଗ୍ରାମ୍‌ ସୁନା, ୬୮୩.୬୪ ଗ୍ରାମ୍‌ ରୁପା ଓ ୨ଟି ବାଇକ୍‌ ଜବତ ହୋଇଛି। ହରିଚନ୍ଦନପୁର ଜାମୁଯୋଡିରୁ କୁନୁ ପଠାଣ ଓ ନାସିରଙ୍କୁ ଅଟକ ରଖାଯାଇଛି।
ସେମାନଙ୍କଠାରୁ ୪ ଲକ୍ଷ ୧୩ ହଜାର ଟଙ୍କା ଜବତ ହୋଇଛି। ମୋଚିନ୍ଦାରୁ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ସହ ଗୋଟିଏ କିଆ କେରେନ୍‌ସ କାର, ଗୁହାଳିଆରୁ ପିକ୍‌ଅପ୍‌ ଭ୍ୟାନ୍‌ ଓ ବୋଲେରୋ ଜବତ କରାଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାର କୁଡୁମା, ମଣ୍ଡୁଆ, କରଞ୍ଜିଆ, ତେଂଟାପଶି ଆଦି ସ୍ଥାନରେ ଚଉ କରାଯାଇ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା, ୬୮ ଗ୍ରାମ୍‌ ସୁନା, ୩୧୪ ଗ୍ରାମ୍‌ ରୁପା ଜବତ ହୋଇଛି। ଠାକୁରମୁଣ୍ଡାରୁ ମାଫିଆଙ୍କଠାରୁ ୧୪ ଗ୍ରାମ୍‌ ସୁନା ଓ ନଗଦ ଟଙ୍କା ଜବତ ହୋଇଛି। ବିଶୋଇରେ ପୁଲିସ ଚଢ଼ଉ କରି ଟୁନା ମହାପାତ୍ରଙ୍କୁ ଅଟକ ରଖିଛି। ତାଙ୍କଠାରୁ ୩ ଲକ୍ଷ ୯,୧୦୦ ଟଙ୍କା, ୩୫.୭୬୦ ଗ୍ରାମ୍‌ ସୁନା, ୯୫.୬୦୦ ଗ୍ରାମ୍‌ ରୁପା ସହ ଗୋଟିଏ ମହିନ୍ଦ୍ରା ୩୦୦ ଓ ବୁଲେଟ୍‌ ଜବତ କରାଯାଇଛି।
ଝାରପୋଖରିଆର ସୁଜିତ ମହାନ୍ତିଙ୍କୁ ଅଟକ ରଖାଯାଇଛି। ତାଙ୍କଠାରୁ ୩୨ ଲକ୍ଷ ୫୫ ହଜାର ଟଙ୍କା, ୨୯୮.୮୭ ଗ୍ରାମ୍‌ ସୁନା, ୭୧ ଗ୍ରାମ୍‌ ରୁପା ଜବତ ହୋଇଛି।
କେଣ୍ଡ୍‌ରେଇଠାରେ ଚଢ଼ଉ କରାଯାଇ ୧୨ ହଜାର ୬୦୦ ଟଙ୍କା, ଗୋଟିଏ ବୋଲେରୋ ଜବତ କରାଯାଇଛି। ଯାଜପୁରର ବରୁଆଁଠାରେ ଚଢ଼ଉ କରାଯାଇ ୧ ଲକ୍ଷ ୬୫ ହଜାର ୫୦୦ ଟଙ୍କା, ୩୫ ଗ୍ରାମ୍‌ ସୁନା, ୫୦୦ ଗ୍ରାମ୍‌ ରୁପା, ଗୋଟିଏ ମହିନ୍ଦ୍ରା ଥର୍‌, କ୍ରେଟା ଓ ସୁଇଫ୍‌ଟ କାର, ୨ଟି ବୁଲେଟ୍‌, ୨ଟି ମୋଟରସାଇକେଲ, ୨ଟି ସ୍କୁଟି, ୨୧ଟି ହାତଘଂଟା ଓ ୧୩ଟି ମୋବାଇଲ ଜବତ କରାଯାଇଛି।

ଏସ୍‌ପି ନୀତିନ କୁଶଲକର କହିଛନ୍ତି, ଦୀର୍ଘ ଦିନ ଧରି ଏହି ସିଣ୍ଡିକେଟ୍‌ ଗୋଚାଲାଣ କରୁଥିଲେ। ଅନେକ ସମୟରେ ସେମାନେ ପୁଲିସ ଉପରେ ଆକ୍ରମଣ ମଧ୍ୟ କରିଥିଲେ। ଏମାନଙ୍କ ବିରୋଧରେ ୫୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। କେନ୍ଦୁଝର ଜେଏମ୍‌ଏଫ୍‌ସିର ସର୍ଚ୍ଚ ୱାରେଂଟ ବଳରେ ପୁଲିସ ଏହି ଚଢ଼ଉ କରିଥିବା ଏସ୍‌ପିଙ୍କ ନିକଟରୁ ପ୍ରକାଶ।