ହାଇଟେକ୍‌ ଟ୍ରେନ୍‌କୁ ଡଷ୍ଟବିନ୍‌ କରିଦେଲେ

ଦେଶର ପ୍ରଥମ ହାଇଟେକ୍‌ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ….

କୋଲକାତା/ଗୁଆହାଟୀ: ଦେଶର ପ୍ରଥମ ହାଇଟେକ୍‌ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ କେନ୍ଦ୍ର କରି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହାୱଡ଼ା ଓ ଗୁଆହାଟୀ ମଧ୍ୟରେ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ଟ୍ରେନଟି ଚାଲିବାର କିଛି ଘଂଟା ମଧ୍ୟରେ ଏକ ଭାଇରାଲ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ନୂଆ ଚକଚକିଆ କୋଚ୍‌ ଚଟାଣରେ ପ୍ଲାଷ୍ଟିକ୍‌ ପ୍ୟାକେଟ୍‌, ଚାମଚ ଓ ଅନ୍ୟାନ୍ୟ ଆବର୍ଜନା ପଡ଼ି ରହିଛି।

ଟ୍ରେନ୍‌ ଚାଲିବା ପୂର୍ବରୁ ରେଳବାଇ ଅଧିକାରୀ ଅନନ୍ତ ରୂପାନଗୁଡ଼ି ଯାତ୍ରୀମାନଙ୍କୁ ସତର୍କ କରି କହିଥିଲେ, ‘ଯଦି ଆପଣଙ୍କ ପାଖରେ ଶୌଚାଳୟ ବ୍ୟବହାରର ଶିଷ୍ଟାଚାର ଅଛି ଏବଂ ସାର୍ବଜନୀନ ସମ୍ପତି ପ୍ରତି ସମ୍ମାନ ଅଛି, ତେବେ ହିଁ ଏହି ଟ୍ରେନରେ ଯାତ୍ରା କରନ୍ତୁ।’ କିନ୍ତୁ ପ୍ରଥମ ଦିନର ଦୃଶ୍ୟ ପ୍ରମାଣିତ କରିଛି ଯେ, ଅନେକ ଯାତ୍ରୀଙ୍କ ପାଖରେ ନାଗରିକ ଜ୍ଞାନ ବା ‘ସିଭିକ୍‌ ସେନ୍ସ’ ଅଭାବ ରହିଛି।

ଭାଇରାଲ୍‌ ଭିଡିଓରେ ଉଦ୍‌ଘାଟନୀ ଯାତ୍ରା ସମୟରେ ହିଁ ଟ୍ରେନ୍‌କୁ ଏକ ‘ଡଷ୍ଟବିନ୍‌’ ଭଳି ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି। ବନ୍ଦେ ଭାରତ ସ୍ଲିପରର ୩-ଏସି ଭଡ଼ା ସାଧାରଣ ଟ୍ରେନ୍‌ (୧୫୦୦ ଟଙ୍କା) ତୁଳନାରେ ଯଥେଷ୍ଟ ଅଧିକ (୨୩୦୦ ଟଙ୍କା)। ଅଧିକ ଟଙ୍କା ଦେଇ ଯାତ୍ରା କରୁଥିବା ବ୍ୟକ୍ତିମାନେ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ ନଥିବାରୁ ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ଭିଡିଓ ଭାଇରାଲ୍‌ ହେବା ପରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ରେଳ ସମ୍ପତି ହେଉଛି ଜନସାଧାରଣଙ୍କ ସମ୍ପତି, ଏହାର ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ।

ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ‘ବିଶ୍ୱସ୍ତରୀୟ ଭିତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ସାଧାରଣ ଜ୍ଞାନ ନାହିଁ।’ ଅନ୍ୟ ଜଣେ ବ୍ୟକ୍ତି କଟାକ୍ଷ କରି ଲେଖିଛନ୍ତି, ‘ଏବେ କେବଳ ପାନ/ଗୁଟଖା ଦାଗ ଲାଗିବା ବାକି ଅଛି।’
ଜାନୁଆରୀ ୨୨ରୁ ଏହି ଟ୍ରେନ ନିୟମିତ ଚଳାଚଳ ଆରମ୍ଭ କରିବ। ମାତ୍ର ପ୍ରଥମ ଦିନରୁ ଯାତ୍ରୀଙ୍କ ଏଭଳି ଆଚରଣ ଭାରତୀୟ ରେଳବାଇର ଆଧୁନିକୀ କରଣ ପଥରେ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।