ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୧୮ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଭିଡ ଜମାଇଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି। ଅର୍ଥାତ ଗତବର୍ଷ ଠାରୁ ଚଳିତବର୍ଷ ଭିତରକନିକାକୁ ୧୧୪୮ ଟି ପକ୍ଷୀ ଅଧିକ ଆସିଥିବା ଜଣାପଡିଛି।
ଭିତରକନିକାରେ ଗତ ୪ ବର୍ଷ ହେଲା ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ପକ୍ଷୀଙ୍କ ପ୍ରଜାତି ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି। ୨୦୨୩ ମସିହାରେ ୧୩୯ ପ୍ରଜାତିର ବିଦେଶୀ ପକ୍ଷୀ ଭିତରକନିକାକୁ ଆସିଥିବା ବେଳେ ୨୦୨୪ ମସିହାରେ ୧୨୧ ପ୍ରଜାତିର, ୨୦୨୫ରେ ୧୧୮ ପ୍ରଜାତିର ଓ ଚଳିତବର୍ଷ ୧୦୬ ପ୍ରଜାତିର ବିଦେଶୀ ପକ୍ଷୀ ଭିତରକନିକାକୁ ଆସିଥିବା ଗଣନା ରିପୋର୍ଟରୁ ଜଣାପଡିଛି। କ୍ରମାଗତ ଭାବେ ପକ୍ଷୀଙ୍କ ପ୍ରଜାତି କମିବା ଶୁଭ ଲକ୍ଷଣ ନୁହେଁ ବୋଲି କୁହାଯାଉଛି। ଯେତେ ଅଧିକ ପ୍ରଜାତିର ପକ୍ଷୀ ଭିତରକନିକାକୁ ଆସିବେ ଭିତରକନିକାର ଜୈବ ବିବିଧତା ସେତେ ସୁଦୃୃଢ ବୋଲି ଧରାଯାଏ।
ଚଳିତବର୍ଷ ଭିତରକନିକାରେ ଗ୍ରେଟ ବିଟର୍ଣ୍ଣ ଜାତୀୟ ପକ୍ଷୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଲିଛି। ଗହୀରମଥା ଅଂଚଳରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ, କମନ ଟିଲ, ଆବୋସେଟ ଓ ଗଡୱିକ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗଡୱିକ ଜାତୀୟ ପକ୍ଷୀ ଅନ୍ୟ ସ୍ଥାନରେ କମ୍ ଦେଖାଯାଉଥିବା ବେଳେ ଭିତରକନିକାରେ ଏମାନଙ୍କ ସଂଖ୍ୟା ଅଧିକ ରହିଛି। ଏହାବାଦ ଭିତରକନିକାରେ କମନ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଗ୍ରେବସ ଗୋଟିଏ ପ୍ରଜାତିର ୨୫୯ଟି, କରମୋରାନ୍ଟସ ଆଣ୍ଡ ଡାର୍ଟର ଜାତୀୟ ୪ ପ୍ରଜାତିର ୬୧୨୧ଟି, ହେରନଓ ଓ ଇଗ୍ରେଟ୍ସ ଜାତୀୟ ୧୪ ପ୍ରଜାତିର ୧୩୧୮୩ଟି, ଷ୍ଟୋର୍କସ ଜାତୀୟ ୪ ପ୍ରଜାତିର ୩୫୩୩ଟି, ଇବିସେସ ଏବଂ ସ୍ପୁନବିଲ ଜାତୀୟ ୨ ପ୍ରଜାତିର ୧୯୭୨ଟି , ଗିଜ ଏବଂ ଡକସ ଜାତୀୟ ୧୪ ପ୍ରଜାତିର ୯୩୮୨୧ଟି , ରେଲସ, ଗାଲିନଲସ ଏବଂ କୁଟ ଜାତୀୟ ୬ ପ୍ରଜାତିର ୨୨୯୬ଟି ଫିନଫୁଟ ଏବଂ ଜାକାନାସ ୨ ପ୍ରଜାତିର ୭୨୪ ଟି, ସୋରବାର୍ଡ ୱାଡର୍ସ ଜାତୀୟ ୨୬ ପ୍ରଜାତିର ୯୦୯୩ ଟି, ଗଲ୍ସ, ଟରନ୍ସ ଏବଂ ସ୍କିମରସ ଜାତୀୟ ୯ ପ୍ରଜାତିର ୧୭୬୪୩ ଟି ଏବଂ ଅନ୍ୟାନ୍ୟ ୨୪ ପ୍ରଜାତିର ବିଦେଶୀ ପକ୍ଷୀ ୪୦୦୨ଟି ଗଣନା ବେଳେ ଚିହ୍ନଟ କରାଯାଇଛି। ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାୟରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ, ଲଦାଖ, ସାଇବେରିଆ, ଚୀନ, ରୁଷିଆ, ଉତର ଗୋଲାର୍ଦ୍ଧରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଆସିଥାନ୍ତି। ସେମାନେ ରହୁଥିବା ଦେଶର ହ୍ରଦ ଓ ଜଳାଶୟ ଗୁଡିକ ବରଫ ପାଲଟିଯାଏ । ସେମାନେ ସେଠାରେ ଖାଇବାକୁ ନପାଇ ଭାରତ ଭଳି ଗରମ ପ୍ରବଣ ଦେଶକୁ ଶୀତଋତୁରେ ଆସିଥାନ୍ତି। ଶୀତ ପରେ ପୁଣି ସେମାନେ ସେମାନଙ୍କ ଦେଶକୁ ଫେରି ଯାଇଥାନ୍ତି । ପୂର୍ବରୁ ଆସିଥିବା ପକ୍ଷୀ ଅଧିକାଂଶ ସମୟରେ ପୁନର୍ବାର ସେହି ସ୍ଥାନକୁ ଆସିଥାନ୍ତି। ୧୮ଟି ଟିମ ଭିତରକନିକା ଅଭୟାରଣ୍ୟର ମହାନଦୀ ଡେଲଟା ସମେତ ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଁଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁରମୁହାଁଣ, ଲକ୍ଷ୍ମୀପ୍ରସାଦ ଡିଆଁ, କାଳିଭଂଜଡିଆଁ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ରାଜଗଡ ପ୍ରଭୃତି ସ୍ଥାନ ମାନଙ୍କରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା। ସେହି ସ୍ଥାନ ମାନଙ୍କରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା।
ସାଧାରଣତଃ ଖୋଲାଜାଗା, ଧାନବିଲ, ନଦୀପଠା ଓ ଜଳାଶୟ ଗୁଡିକରେ ଅଧିକ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଛି।
ଗତ ୧୦ ବର୍ଷର ଭିତରକନିକାରେ ଭିଡ ଜମାଇଥିବା ବିଦେଶୀ ପକ୍ଷୀଙ୍କ ଗଣନା ରିପୋର୍ଟ ଅନୁସାରେ ଚଳିତବର୍ଷ ସର୍ବାଧିକ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି। ସାତଭାୟା, ଗହୀରମଥାର ଚଟକା ଓ ଶାସନପେଟା ଫରେଷ୍ଟ ବ୍ଲକ ଅଂଚଳରେ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି।