‘ବାଳୁଙ୍ଗା ଟୋକା’ ଅଭିଜିତ ମଜୁମଦାର ଅମର ରହେ

ସିଏ ଥିଲେ ବାଳୁଙ୍ଗା ଟୋକା। ତାଙ୍କ ବାଳୁଙ୍ଗାମି ….

ଭୁବନେଶ୍ୱର: ସିଏ ଥିଲେ ବାଳୁଙ୍ଗା ଟୋକା। ତାଙ୍କ ବାଳୁଙ୍ଗାମି ଅନେକଙ୍କୁ ମନପ୍ରାଣ ହୃଦୟକୁ ଜିତିଥିଲା। ତାଙ୍କ ମୁଚୁକୁନ୍ଦି ହସ ଥରେ ଯିଏ ଦେଖିଛି, ସିଏ ପାଗଳ ହୋଇଛି। ତାଙ୍କ ନଖରାମିର ଶିକାର ଯିଏ ହୋଇଛି, ସିଏ ବାରମ୍ବାର ତାଙ୍କ ନିକଟକୁ ଯାଇଛି ନଖରାମିର ଶିକାର ହେବାକୁ। ସିଏ ଯେତେବେଳେ ମଂଚ ଉପରକୁ ଚଢ଼ନ୍ତି। ସଙ୍ଗୀତପ୍ରେମୀଙ୍କ ମନରେ ଝଡ଼ ଉଠେ। କଳାଜଗତକୁ ଏମିତି ଅଲ୍‌ବିଦା କରିବେ ବୋଲି କେହି ଆଶା କରି ନଥିଲେ। ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଦୀର୍ଘ ଦିନ ଧରି ଲିଭର ଜନିତ ରୋଗରେ ପୀଡିତ ଥାଇ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ନିକଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ବେଳେ ରବିବାର ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ସଂଗୀତ ଜଗତ ପାଇଁ ବିରାଟ କ୍ଷତି। ମାତ୍ର କ’ଣ କରାଯାଇପାରେ। ମର୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ଓଲିଉଡ଼ର ବେଶ ଚର୍ଚ୍ଚିତ ସଂଗୀତ ନିର୍ଦ୍ଦେଶକ ଥିଲେ ଅଭିଜିତ ମଜୁମଦାର। ଲିଭର ସିରୋସିସ ଭଳି ଗୁରୁତର ରୋଗରେ ପୀଡିତ ହେବା ପରେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ପରେ ଏମ୍‌ସରେ ଭର୍ତି କରାଯାଇଥିଲା। ଗତ ସେପ୍‌ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ଓଉଟରେ ଭର୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାରିଖରୁ ଓଉଟରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ।

କୋମାରେ ଥିବା ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଧିରେ ଧିରେ ସୁସ୍ଥ ହେଉଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ କିଛିଦିନ ତଳେ ଘରକୁ ଫେରିଥିଲେ। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତି କରାଯାଇଥିଲା। ସମ୍ବଲପୁରୀ ଗୀତରୁ କ୍ୟାରିଅର ଆରମ୍ଭ କରିଥିବା ଅଭିଜିତ ମଜୁମଦାର ଓଲିଉଡ ତଥା ଓଡିଆ, ସମ୍ବଲପୁରୀ ଫିଲ୍ମ ଏବଂ ଆଲବମରେ ଅନେକ ହିଟ ଗୀତ ଦେଇଛନ୍ତି। ଏପରିକି ସେ ନିଜେ ଗୀତ ଗାଇବା ସହ ନିର୍ଦ୍ଦେଶନା ଦେଇଛନ୍ତି। ସେ ଗାଇଥିବା ଅନେକ ଗୀତ ସୁପର ହିଟ୍‌ ହୋଇଛି। ୨୦୦୦ ମସିହାରେ ଆସିଥିବା କାଶିଆ କପିଳା ସିନେମା ଜରିଆରେ ସିନେ ଜଗତରେ ପାଦ ଥାପିଥିଲେ।
୨୦୦୦ ମସିହା ପରଠାରୁ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ସେ ଶହେରୁ ଊର୍ଦ୍ଧ୍ୱ ଆଲବମ୍‌ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ‘ମାଧବ ହେ ମାଧବ’, ‘ଟ୍ୱିଙ୍କଲ୍‌ ଟ୍ୱିଙ୍କ୍‌ଲ ଲିଟିଲ୍‌ ଷ୍ଟାର୍‌’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’ ପରି ଦାଦାଙ୍କର ହିଟ ଗୀତ ଚିର ସବୁଜ ହୋଇରହିଛି। ସେହିପରି କିଛି ଆଇଟମ ଗୀତ ମଧ୍ୟରେ ‘ତୋର କଂଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ କରିଛନ୍ତି। ଅଭିଜିତ୍‌ଙ୍କ ‘ରାତି ସାରା ବାର୍‌ଲାଇଟ୍‌ ଦୁକୁ ଦୁକ’ ଗୀତ ତାଙ୍କ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା । ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ସ୍ୱର ଓ ଭେଟି ଦେଇଥିବା ସଙ୍ଗୀତ ଦର୍ଶକଙ୍କ ହୃଦୟରେ ସଦା ରହିବ।

ଏଠାରେ କହି ରଖୁ କି ଅଭିଜିତ ମଜୁମଦାର ୧୯୭୧ ମସିହାର ସେପ୍‌ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଅଧ୍ୟାପକ ଥିଲେ, ମାତ୍ର ୧୯୯୬ ମସିହାରେ ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇ କଟକ ଯାଇଥିଲେ।