ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ୟୁରୋପରୁ

ଜାନୁଆରୀ ୨୬, ୨୦୨୬ରେ ଦେଶ ୭୭ତମ ….

ନୂଆଦିଲ୍ଲୀ: ଜାନୁଆରୀ ୨୬, ୨୦୨୬ରେ ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରିବ। ପ୍ରତିବର୍ଷ ଏହି ଦିନଟି ଦେଶ ପାଇଁ ଗର୍ବ ଏବଂ ଉତ୍ସବର ଦିନ, କିନ୍ତୁ ଏହି ବର୍ଷ ଗଣତନ୍ତ୍ର ଦିବସ କେବଳ ଏକ ପରେଡ୍‌ ଏବଂ ଉତ୍ସବ ଅପେକ୍ଷା ଅଧିକ ହେବ; ଏହା ଭାରତର ବିଶ୍ୱ କୂଟନୀତି ଏବଂ ଅର୍ଥନୈତିକ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରିବ। ଏହି ବର୍ଷ, ୟୁରୋପୀୟ ସଂଘର ଶୀର୍ଷ ନେତାମାନେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିବେ, ଯାହା ନିଶ୍ଚିତ ରୂପେ ଏକ ଐତିହାସିକ ଘଟଣା।

ବିନା ଲାଭରେ କେହି କାହାକୁ ଆଦରି ପାରନ୍ତିନି। ଭାରତ ଓ ୟୁରୋପୀୟ ସଂଘ ପ୍ରତି ଆମେରିକା ଓ ଚୀନର ମତିଗତି ଧିରେ ଧିରେ ବଦଳୁଛି। ଆମେରିକା ଓ ଚୀନ ମଧ୍ୟରେ ଅହି-ନକୁଳ ସଂପର୍କ ରହିଥିଲେ ମଧ୍ୟ ଉଭୟ ଶକ୍ତି ନିକଟରୁ ସମାନ ଦୂରତା ବଜାୟ ରଖି ୟୁରୋପୀୟ ସଂଘ ଓ ଭାରତ ମିଳିତ ରାଜିନାମା କରିବାର ଅଛି। ଅପରେସନ୍‌ ସିନ୍ଦୁର ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ପ୍ରତି ଏଭଳି କିଛି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ଯାହା ଭାରତର ଅର୍ଥନୀତିକୁ ଦିଶାହୀନ କରିଦେଇଛି।
ସେହିଭଳି ୟୁରୋପୀୟ ସଂଘ ପ୍ରତି ଆମେରିକାର ଆଭିମୁଖ୍ୟ ଖାପଛଡ଼ା ହୋଇଛି।
ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେଏନ୍‌ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଂଟୋନିଓ କୋଷ୍ଟା ୨୦୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଉଛନ୍ତି।

ପ୍ରଥମ ଥର ବରିଷ୍ଠ ୟୁରୋପୀୟ ୟୁନିଅନ ନେତାମାନେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ଏକାଠି ଯୋଗଦାନ କରୁଛନ୍ତି। ୟୁରୋପୀୟ ୟୁନିଅନ ୨୭ଟି ଦେଶର ଏକ ବ୍ଲକ ଭାବରେ କାର୍ଯ୍ୟ କରେ। ୟୁରୋପୀୟ କମିଶନ ହେଉଛି ୟୁରୋପୀୟ ୟୁନିଅନର କାର୍ଯ୍ୟନିର୍ବାହୀ ଶାଖା, ବାଣିଜ୍ୟ ଚୁକ୍ତି ଆଲୋଚନା ଏବଂ ନିୟମାବଳୀ କାର୍ଯ୍ୟକାରୀ କରେ।
ଆଂଟୋନିଓ କୋଷ୍ଟା ସମସ୍ତ ୨୭ଟି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ପ୍ରତିନିଧିତ୍ୱ କରନ୍ତି ଏବଂ ରଣନୈତିକ ଦିଗ ନିର୍ଣ୍ଣୟ କରନ୍ତି। ଭାରତର ଏହି ନିଷ୍ପତି କେବଳ ଆନୁଷ୍ଠାନିକ ନୁହେଁ। ଏହା ପଛରେ ଏକ ଗଭୀର ଅର୍ଥନୈତିକ ଏବଂ ରଣନୈତିକ ବିଚାର ରହିଛି।

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (ୠଞଇ) ଉପରେ ଆଲୋଚନା ଅନେକ ବର୍ଷ ଧରି ଚାଲିଛି। ସରକାର ଚାହୁଁଛନ୍ତି ଯେ ଏହି ଚୁକ୍ତି ଶୀଘ୍ର ଚୂଡ଼ାନ୍ତ ହେଉ। ଗଣତନ୍ତ୍ର ଦିବସ ନିକଟରେ ଏକ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ମଧ୍ୟ ସ୍ଥିର କରାଯାଇଛି, ଯେଉଁଠାରେ ୠଞଇ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ। ଏଫଟିଏରୁ ଭାରତକୁ ଏକାଧିକ ଲାଭ ମିଳିବାର ସମ୍ଭାବନା ରହିଛି। ଭାରତୀୟ କମ୍ପାନୀ ଗୁଡିକୁ ୟୁରୋପ ବଜାରରେ ସହଜରେ ପ୍ରବେଶ ପାଇଁ ଅନୁମତି ମିଳିଯିବ। ସେହିପରି ଟେକ୍ସଟାଇଲ, ଆଇଟି, ଅଟୋମୋବାଇ ଓ ମେଡିସିନ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଇବ। ୟୁରୋପିଆନ କମ୍ପାନୀର ଭାରତରେ ନିବେଶ ମଧ୍ୟ ସମାନ୍ତରାଳ ଢଙ୍ଗରେ ବୃଦ୍ଧି ପାଇବ। ଯୁବବର୍ଗଙ୍କ ପାଇଁ ବିଶାଳ କର୍ମନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବ।

ଏହି ପଦକ୍ଷେପ କେବଳ ବାଣିଜ୍ୟ ପର୍ଯ୍ୟନ୍ତ ସୀମିତ ନୁହେଁ। ଆମେରିକା ଏବଂ ଚୀନ୍‌ ମଧ୍ୟରେ ଉତେଜନା ବୃଦ୍ଧି ପାଉଥିବା ସମୟରେ, ଭାରତ ଏବଂ ୟୁରୋପୀୟ ସଂଘ ପରସ୍ପରକୁ ବିଶ୍ୱସ୍ତ ଅଂଶୀଦାର ଭାବରେ ଦେଖନ୍ତି। ଏହା ଭାରତର ବିଶ୍ୱ ପ୍ରଭାବକୁ ବୃଦ୍ଧି କରିବ ଏବଂ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା ଭଳି କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ପାଇଁ ମୁଖ୍ୟ ଅତିଥିଙ୍କ ଚୟନ ଭାରତର ବୈଦେଶିକ ନୀତିକୁ ସୂଚିତ କରେ।

ୟୁରୋପୀୟ ସଂଘର ଶୀର୍ଷ ନେତାମାନଙ୍କୁ ନିମନ୍ତ୍ରଣ କରି, ଭାରତ ସ୍ପଷ୍ଟ କରିଛି ଯେ ଏହା ଦୃଢ଼ ବାଣିଜ୍ୟ ଚାହୁଁଛି, ସନ୍ତୁଳିତ ବିଶ୍ୱ ସମ୍ପର୍କ ବଜାୟ ରଖିଛି ଏବଂ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଶକ୍ତି ଭାବରେ ଉଭା ହେଉଛି। ସାମଗ୍ରିକ ଭାବରେ, ଗଣତନ୍ତ୍ର ଦିବସ ୨୦୨୬ କେବଳ ଏକ ଉତ୍ସବ ନୁହେଁ ବରଂ ଭାରତର ଭବିଷ୍ୟତକୁ ସୂଚିତ କରୁଥିବା ଏକ ଦିନ ପ୍ରମାଣିତ ହୋଇପାରେ।