ମେଗା ଷ୍ଟିଲ ପ୍ଲାଣ୍ଟ ଗ୍ରାମସଭାରୁ ଫେରୁଥିବା ବେଳେ ବାଇକ ଦୁର୍ଘଟଣାରେ ସାମ୍ବାଦିକ ଆହତ

ମେଗା ଷ୍ଟିଲ ପ୍ଲାଣ୍ଟ ସମ୍ବନ୍ଧୀୟ ଗ୍ରାମସଭାର ଖବର ସଂଗ୍ରହ …

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଆୟୋଜିତ ମେଗା ଷ୍ଟିଲ ପ୍ଲାଣ୍ଟ ସମ୍ବନ୍ଧୀୟ ଗ୍ରାମସଭାର ଖବର ସଂଗ୍ରହ କରି ଫେରୁଥିବା ବେଳେ ଜଣେ ସାମ୍ବାଦିକ ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି। ଆହତ ସାମ୍ବାଦିକ ହେଲେ ବିଜୟ କୁମାର ମହାନ୍ତ।

ସୂଚନା ଅନୁଯାୟୀ, ଚେମେଣା ପଞ୍ଚାୟତର ୮ଟି ଏବଂ ଯମୁନାପଶି ପଞ୍ଚାୟତର ୪ଟି ଗ୍ରାମକୁ ନେଇ ମୋଟ ୧୨ଟି ଗ୍ରାମର ଲୋକଙ୍କ ଉପସ୍ଥିତିରେ କଡଖମଣ ଗ୍ରାମରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ ସମ୍ପର୍କିତ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମସଭାର ଖବର କଭରେଜ ପାଇଁ ସାମ୍ବାଦିକ ବିଜୟ କୁମାର ମହାନ୍ତ ସେଠାକୁ ଯାଇଥିଲେ।

ଖବର ସଂଗ୍ରହ କାର୍ଯ୍ୟ ଶେଷ କରି ସେ ବାଇକ ଯୋଗେ ଫେରୁଥିବା ବେଳେ ରାଇକଳା ଗ୍ରାମ କସର ନିକଟସ୍ଥ ଏକ ବୁଲାଣିରେ ଦୁର୍ଘଟଣା ଘଟିଥିଲା। ସାମ୍ନା ପଟରୁ ଏକ ବସ ହଠାତ୍ ଆସୁଥିବା ଦେଖି ସେ ବାଇକରେ ଜୋରରେ ବ୍ରେକ ମାରିଥିଲେ। ଫଳରେ ବାଇକର ଚକ ଖସିଯାଇ ସେ ରାସ୍ତା ଉପରେ ପଡ଼ିଯାଇଥିଲେ। ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସାମାନ୍ୟ ଆଘାତ ଲାଗିଛି। ଘଟଣା ପରେ ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦୁଝରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ପାଟଣା ଅଞ୍ଚଳର ସାମ୍ବାଦିକ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ବିଜୟ କୁମାର ମହାନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।