ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଂଟା ଭିଡ଼ିଛି ଶିଳ୍ପ ବିଭାଗ । ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଭାଗୀୟ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି । ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇଡକୋ ଏବଂ ଇପିକଲର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତୃପକ୍ଷ (ଐଖଉଇ) ଏବଂ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଝଖଝଡଉଇ) ଦ୍ୱାରା ଅନୁମୋଦିତ ଶିଳ୍ପ ପ୍ରକଳ୍ପଗୁଡ଼ିକର କିପରି ଶୀଘ୍ର ବାସ୍ତବ ରୂପାୟନ କରାଯାଇପାରିବ, ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ସମସ୍ତ ବିଭାଗୀୟ ଅଧିକାରୀ ଏକ ଟିମ୍ ହୋଇ ଏବଂ ସମୟବଦ୍ଧ ଭାବେ କାର୍ଯ୍ୟ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ ଏଥିରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଜେପି ସରକାରକୁ ୨ ବର୍ଷ ପୂର୍ତି ତଥା ଜୁନ୍ ୨୦୨୬ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବା ପାଇଁ ସେ ଶିଳ୍ପ ବିଭାଗକୁ ଟାର୍ଗେଟ୍ ଦେଇଛନ୍ତି ।
ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପାୟନ ହିଁ ରାଜ୍ୟର ଅର୍ଥନୈତିକ ପ୍ରଗତିର ମୂଳଦୁଆ । ଝଖଝଡଉଇ ଏବଂ ଐଖଉଇ ଦ୍ୱାରା ମୋଟ ୩୯୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏଥିରେ ମୋଟ ୮.୧୫ ଲକ୍ଷ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ୫ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି ।
ବର୍ତମାନ ସୁଦ୍ଧା ୨.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶରେ ୧୦୮ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କିମ୍ବା ଉଦଘାଟନ ସରିଛି, ଯାହା ମାଧ୍ୟମରେ ପ୍ରାୟ ୧.୭୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ବାକି ରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ରାଜ୍ୟର ଯୁବପିଢ଼ିଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି କରିବାକୁ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।