କତର ଚେତାବନୀ: ୧୫୦ ଡଲାର ଟପିବ ତେଲ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଲେ ଅଶୋଧିତ ତୈଳ ….

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଲେ ଅଶୋଧିତ ତୈଳ ବଜାରରେ ନିଆଁ ଲାଗିଯିବ । ତେଲ ବ୍ୟାରେଲ ପିଛା ଦାମ୍ ୧୫୦ ଡଲାରରୁ ଅଧିକ ହୋଇଯିବ ବୋଲି କତର ସତର୍କ କରିଛି । କତର ଶକ୍ତି ମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଯୁଦ୍ଧ ଲାଗିରହିଲେ ତେଲ ଉତ୍ପାଦନ ବନ୍ଦ କରିବାକୁ ଦେଶଗୁଡିକ ବାଧ୍ୟ ହେବ । ତାହା ସାରା ବିଶ୍ୱ ପାଇଁ ଏକ ଶକ୍ତ ଧକ୍କା ହେବ । ଏହାର ପ୍ରଭାବରେ ତେଲ ମହଙ୍ଗା ହେବାର ଆଶଙ୍କା ରହିଛି । ସେ ଗୁରୁତ୍ୱପୂର୍ଣ୍ଣ ହରମୁଜ୍ ପ୍ରଣାଳୀ ସମ୍ପର୍କରେ କହିଛନ୍ତି ଯେ ଯଦି ଏହି ପଥ ଦେଇ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେବ ତେବେ ଦୁବାଇରୁ ତିନି ସପ୍ତାହ ଭିତରେ ଅଶୋଧିତ ତୈଳ ମୂଲ୍ୟ ୧୫୦ ଡଲାର ଅତିକ୍ରମ କରିବ ।

ଯୁଦ୍ଧ ବନ୍ଦ ନ ହେଲେ ମଧ୍ୟପ୍ରାଚ୍ୟର ତୈଳ ଉତ୍ପାଦନକାରୀ ଦେଶଗୁଡିକ ଫୋର୍ସ ମାଜିୟୁର ଘୋଷଣା କରିବେ ଓ ତେଲ ଯୋଗାଣ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ତୈଳ ଦର ବଢ଼ିଲେ ତାହା ବିଶ୍ୱ ଅର୍ଥନୀତିକୁ ତଳକୁ ଟାଣିବ । ସାରା ବିଶ୍ୱର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ପ୍ରଭାବିତ ହେବ । ଉପସାଗରୀୟ ଦେଶଗୁଡିକ ପେଟ୍ରୋକେମିକାଲ୍ ଓ ସାରରେ ବ୍ୟବହାର କରାଯାଉଥିବା ଉପାଦାନ ବିପୁଳ ପରିମାଣରେ ଯୋଗାଇଥାନ୍ତି । ଯଦି ସେହି ସବୁ ସାମଗ୍ରୀ ଅନ୍ୟ ଦେଶରେ ପହଂଚିବାରେ ଅସୁବିଧା ହେବ ତେବେ ବିଶ୍ୱବ୍ୟାପୀ କାରଖାନାଗୁଡିକରେ ଉତ୍ପାଦନ କମିଯିବ ।

ନିକଟରେ ଇରାନର ଡ୍ରୋନ୍ ଆକ୍ରମଣ ପରେ କତର ଏହାର ତରଳୀକୃତ ପ୍ରାକୃତିକ ଗ୍ୟାସ୍ (ଏଲ୍ଏନ୍ଜି)ର ସର୍ବବୃହତ୍ କାରଖାନା ରାସ୍ଲାଫାନକୁ ବନ୍ଦ କରିଦେଇଛି । କତର ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ ତୈଳ ଉତ୍ପାଦନକାରୀ ଦେଶ । ଇରାନ ଆକ୍ରମଣ ଦ୍ୱାରା କେତେ କ୍ଷତି ହୋଇଛି ତାହାକୁ ବର୍ତମାନ ଆକଳନ କରାଯାଉଛି । ମରାମତି ପାଇଁ କେତେ ସମୟ ଲାଗି ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡି ନଥିବା କାବି କହିଛନ୍ତି । ଯଦି କୌଣସି ସମୟରେ ଯୁଦ୍ଧ ବନ୍ଦ ହୋଇଯାଏ ତେବେବି ଯୋଗାଣ ସ୍ୱାଭାବିକ ହେବା ଲାଗି ଏକ ମାସରୁ ଅଧିକ ସମୟ ଲାଗିଯିବ ।

ବିଶ୍ୱର ଏକ ପଂଚମାଂଶ ତୈଳ ଓ ଗ୍ୟାସ୍ ହରମୁଜ୍ ପ୍ରଣାଳୀ ଦେଇ ପରିବହନ ହୋଇଥାଏ । ଏହା ହେଉଛି ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ଯାହା ପାରସ୍ୟ ଉପସାଗରକୁ ଅନ୍ତର୍ଜାତୀୟ ଜାହାଜ ଜଳପଥ ସହ ଯୋଡୁଛି । କାବି ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ ଯୁଦ୍ଧ ପ୍ରଭାବରେ ପ୍ରାକୃତିକ ଗ୍ୟାସ୍ ବି ମହଙ୍ଗା ହେବ । ଏହାର ଏମ୍ଏମ୍ ବିଟିୟୁ ପିଛା ଦାମ୍ ୪୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଯାହା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୧୦ ଡଲାର ପାଖାପାଖି ରହିଥିଲା । ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିବା ପରେ ହରମୁଜ୍ ପ୍ରଣାଳୀ ଦେଇ ପରିବହନ ଯଥେଷ୍ଟ ହ୍ରାସ ପାଇଛି । ଅତିକମ୍ରେ ୧୦ଟି ଜାହାଜ ପ୍ରଭାବିତ ହୋଇଛି । ସାମୁଦ୍ରିକ ପରିବହନ ବୀମା ମୂଲ୍ୟ ବଢ଼ିଛି ଓ ଜାହାଜ କମ୍ପାନିଗୁଡିକ ଏହି ପଥ ଦେଇ ନିଜ ଜାହାଜ ପଠାଇବାକୁ ଚାହୁନାହାନ୍ତି ।