ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଭାପୁର ଗ୍ରାମରେ ଜଣେ ଯୁବକ ଗାଁ ନିକଟ ଜଙ୍ଗଲରେ ଗାମୁଛା ବେକରେ ବାନ୍ଧି ଝୁଲି ପଡିଛନ୍ତି । ପରିବାର ଲୋକେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଚିକିସôା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ହେଲେ ଆଲୋକ ଭୋଇ (୨୨) । ଯୁବକଙ୍କ ଆତ୍ମହତ୍ୟା ପଛରେ ନିଶା ମୁଖ୍ୟ କାରଣ ବୋଲି ପରିବାର ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଛି ।
ପରିବାର ଲୋକଙ୍କ ସୂଚନା ଅନୁସାରେ ଭାପୁର ନିବାସୀ କାଶୀନାଥ ଭୋଇଙ୍କ ଏକମାତ୍ର ପୁଅ ଆଲୋକ ଏବଂ ୨ ଝିଅ (ସାନ) । ଆଲୋକ ବିଭିନ୍ନ ମେଳା ମହୋତ୍ସବରେ ମଥୁରା କେକ୍ ଷ୍ଟଲ କରନ୍ତି । ସେ କୁସଙ୍ଗରେ ପଡିଥିଲା । ବ୍ରାଉନ୍ ସୁଗାର କବଳରେ ପଡ଼ିଥିଲା । ସେଥିପାଇଁ ବହୁବାର ଘରୁ କଳିଝଗଡା କରି ଜୋର ଜବରଦସ୍ତ ଟଙ୍କା ପଇସା ନେଉଥିଲା । ପରିବାରରେ ପୁଅ ପାଇଁ ଅଶାନ୍ତି ଲାଗି ରହୁଥିଲା । କିଛି ଦିନ ହେବ ଆଲୋକ ଦୋକାନ କରିବାକୁ ବାପାଙ୍କୁ ୪୦ ହଜାର ଟଙ୍କା ମାଗିଥିଲା ।
ବିଚରା ବାପା ଓ ମାଆ ପୁଅ ପାଇଁ ଟଙ୍କା ଯୋଗାଡ଼ରେ ଲାଗି ପଡିଥିଲେ । ଆଲୋକ ଆଜି ସକାଳୁ ଟଙ୍କା ପାଇଁ ଜିଦ କରିଥିଲା । ଅସହାୟ ବାପା ମଜୁରୀ ଲାଗିବାକୁ ଚାଲି ଯାଇଥିଲେ । ମାଆ ସାଙ୍ଗରେ କଳି ଝଗଡା କରି ଆଲୋକ ମଧ୍ୟାହ୍ନରେ ଘରୁ ବାହାରି ଯାଇଥିଲା । ଗାଁ ନିକଟ ଜଙ୍ଗଲ ଆଡ଼କୁ ଏକାକୀ ଯାଇଥିଲା । ସ୍ଥାନୀୟ ଅଂଚଳର ଜଣେ ଯୁବକ ଆଲୋକଙ୍କୁ ଗଛ ଶାଖାରେ ଝୁଲୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।