ରାଉରକେଲା: ନୂଆ ରୂପ ନେବାକୁ ଯାଉଛି ପରିତ୍ୟକ୍ତ ଟିସ୍କୋ ପୋଖରୀ । ଏହାକୁ ସହରର ପ୍ରମୁଖ ପର୍ଯ୍ୟଟନସ୍ଥଳ କରିବାକୁ ଲକ୍ଷ୍ୟ ରଖିଛି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଞ୍ଜୁର ହୋଇଛି ୨୦ କୋଟି । ଖୁବ୍ ଶୀଘ୍ର ଟେଣ୍ଡର କରାଯିବ । ସୌନ୍ଦର୍ଯ୍ୟକରଣ କାମ କରୁଥିବା ଦକ୍ଷ ଠିକାସଂସ୍ଥାକୁ କାମ ଦିଆଯିବ, କହିଛି ଆର୍ଏମ୍ସି । ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ ଏଠାରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିବ । ଏଥିସହ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ଝୁଲାପୋଲ ନିର୍ମାଣ ହେବାର ମଧ୍ୟ ଯୋଜନା ରହିଛି । କେବଳ ଏତିକି ନୁହେଁ, ଟିସ୍କୋ ପୋଖରୀଠୁ କିଛି ଦୂରରେ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ନିର୍ମାଣ ହେବାକୁ ଯାଉଛି ବଜାର ପିଣ୍ଡି ।
ଦୁଇମହଲା ବିଶିଷ୍ଟ କୋଠାଘରେ ୪୫୦ରୁ ଅଧିକ ପିଣ୍ଡି ଉପଲବ୍ଧ ରହିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମାର୍କେଟ ନିର୍ମାଣ ହେବ କଳିଙ୍ଗ ବିହାର ପ୍ରମୁଖ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦୂର ହେବ । ରାସ୍ତା ପାର୍ଶ୍ୱରେ ବସୁଥିବା ବ୍ୟବସାୟୀଙ୍କୁ ସ୍ଥାୟୀ ଦୋକାନ ମିଳିବ । ବଜାର ପିଣ୍ଡିରେ ଫୁଡ୍ଜୋନ୍ଠୁ ଆରମ୍ଭ କରି ବିଶୁଦ୍ଧ ପାନୀୟ ଜଳ ସୁବିଧା, ଶୌଚାଳୟ, ରାସ୍ତା ସହ ପୃଥକ ଆମିଷ ବଜାର ନିର୍ମାଣ ହେବାକୁ ଯାଉଛି । କେବଳ ଦୁଇଟି ପ୍ରକଳ୍ପ ନୁହେଁ ବେଦବ୍ୟାସ ଦୟାନନ୍ଦ ନଗରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆର୍ଏମ୍ସି ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ପ୍ରକଳ୍ପ ବାବଦରେ ପ୍ରାୟ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ ରଖାଯାଇଛି ।
ବର୍ଷାଦିନେ ଜଳବନ୍ଦୀ ସମସ୍ୟାର ଦୂର କରିବାକୁ ଆର୍ଏମ୍ସି ପକ୍ଷରୁ ଗ୍ରହଣ କରାଯାଇଥବା ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି । ବାଲୁଘାଟ ବିସର୍ଜନ ପୋଖରୀକୁ ନଦୀକୂଳ ପ୍ରକଳ୍ପ ସହର ଆଉ ଏକ ପିକ୍ନିକ୍ ସ୍ପଷ୍ଟ ହେବାକୁ ଯାଉଛି ।ସହରରେ ବଣଭୋଜି ପାଇଁ ସ୍ଥାନ ଅଭାବ ଥିବାରୁ ଏହି ଅଂଚଳକୁ ବଣଭୋଜି ରୂପ ଦିଆଯିବ । ବଣଭୋଜି ସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ମିଆୱାକି ଭଳି ଆଧୁନିକ ପ୍ରଣାଳୀରେ ଚାରାରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯିବ ।