ନୂଆଦିଲ୍ଲୀ: ଯୁଦ୍ଧ ଜର୍ଜରିତ ମାହୋଲ ଭିତରକୁ ପ୍ରବେଶ କରି ବିପନ୍ନଙ୍କୁ ଉଦ୍ଧାର ପରେ ସୁରକ୍ଷିତ ସହକାରେ ପ୍ରତ୍ୟାବର୍ତନ ସାଧାରଣ କାମ ନୁହେଁ। ଏପରି କାମକୁ ଦକ୍ଷତାର ସହ ସଂପନ୍ନ କରି ୨୩ ବର୍ଷୀୟା ପାଇଲଟ୍ ଦୀପିକା ଆଧାନା ଭାରତର ନାରୀଶକ୍ତିର ଅନନ୍ୟ ଉଦାହରଣ ପାଲଟିଛନ୍ତି। ‘ମା ମୋତେ ଶେଷଥର ପାଇଁ ଦେଖିନିଅ।’ ଇଏ ଥିଲା ଯୁଦ୍ଧ ଭୂମିକୁ ଯାଉଥିବା ଜଣେ ୨୩ ବର୍ଷୀୟା ପାଇଲଟଙ୍କର ମାଆଙ୍କୁ କୋହଭରା ଭିଡିଓ କଲ। ନାଁ ତାଙ୍କର ଦୀପିକା ଆଧାନା। ପେଶାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ୍ ।
ଇରାନ୍-ଇସ୍ରାଏଲ୍ ଯୁଦ୍ଧ ବିଭୀଷିକା ମଧ୍ୟରେ ୟୁଏଇରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା। ୟୁଏଇ ଅଭିମୁଖେ ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ କଲ କରି ଶେଷ ଥର ତାଙ୍କୁ ଦେଖିବାକୁ କହିଥିଲେ ଦୀପିକା। ଏହି ସାହାସୀ ପାଇଲଟଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ମାର୍ଚ୍ଚ ୬ ତାରିଖ ସକାଳେ ଦୀପିକାଙ୍କୁ ନିର୍ଦ୍ଦେଶ ମିଳିଲା। ତାଙ୍କୁ ମିଶାଇ ବିମାନରେ ୬ ଜଣ ମେମ୍ବର ଥିଲେ। ଯୁଦ୍ଧ ଘନଘଟା ଭିତରେ ସାହସର ସହିତ ବିମାନ ଉଡାଇ ୟୁଏଇ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲେ ଦୀପିକା। ସବୁଦିନ ଅପେକ୍ଷା ସେଦିନ ମାହୋଲ ଖୁବ୍ ଶାନ୍ତ ଥିଲା।
ଘଂଟାଏ ଭିତରେ ସେ ୧୬୯ ଜଣ ଭାରତୀୟଙ୍କୁ ବିମାନରେ ବସାଇ ରେସ୍କ୍ୟୁ କରିଥିଲେ। ଅପରାହ୍ନ ୩ଟାରେ ୟୁଏଇରୁ ଦିଲ୍ଲୀକୁ ଉଡାଣ ଭରିଥିଲା ବିମାନ। ଦୀପିକା କହିଛନ୍ତି ଉଡାଣର କିଛି ସମୟ ପରେ ବିମାନ ଟ୍ରାଫିକ୍ କଂଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେ ଚିନ୍ତିତ ହୋଇପଡିଥିଲେ। କିଛି ସମୟ ପରେ ପୁଣି ଯୋଗାଯୋଗ ସ୍ଥାପନ ହୋଇଥିଲା। ଏବଂ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା।
ଦିଲ୍ଲୀ ପହଂଚିବା ପରେ ଯାତ୍ରୀମାନେ ପାଇଲଟଙ୍କୁ ଧନ୍ୟବାଦ ଜଣାଇଥିଲେ। ହରିୟାଣାର ଫରିଦାବାଦରେ ଦୀପିକାଙ୍କ ଘର। ତାଙ୍କ ଜେଜେବାପାଙ୍କ ଇଚ୍ଛା ଥିଲା ନାତୁଣୀ ପାଇଲଟ ହେଉ। ଜେଜେଙ୍କ ଇଚ୍ଛାକୁ ସ୍ୱପ୍ନ ବନାଇଥିଲେ ଦୀପିକା। ୨୦୨୦ ମସିହାରେ କର୍ମସିଆଲ ପାଇଲଟ୍ ଲାଇସେନ୍ସ ହାସଲ କରିଥିଲେ। ଏହାପରେ ୨୦୨୪ ରେ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ପାଇଲଟ୍ ହୋଇଥିଲେ। ୟୁଏଇରୁ ଭାରତୀୟଙ୍କୁ ଉଦ୍ଧାର କରିବା ପରେ ସାରା ଦେଶରେ ଚର୍ଚ୍ଚା। ତାଙ୍କର ସାହସ, କର୍ତବ୍ୟ ଓ ଦେଶଭକ୍ତିକୁ ସଲାମ କରୁଛନ୍ତି ସମସ୍ତେ।