ଆଜି ରାଜ୍ୟସଭା ଭୋଟ୍‌, ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଆଜି ରାଜ୍ୟସଭା ନିର୍ବାଚନ ….

ଆଜି ରାଜ୍ୟସଭା ନିର୍ବାଚନ । ଦେଶର ମୋଟ ୩୭ଟି ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ଟି ଆସନ ପାଇଁ ପଡ଼ିବ ଭୋଟ୍‌ । ୫ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ମଇଦାନରେ ଅଛନ୍ତି ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର । ସେହିପରି ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଦିଲୀପ ରାୟଙ୍କୁ ସମର୍ଥନ କରୁଛି ବିଜେପି । ସେପଟେ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି ସଂତୃପ୍ତ ମିଶ୍ର । ଏଥିସହ ଉଭୟ କଂଗ୍ରେସ ଏବଂ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା । ଆଜି ବିଧାନସଭାରେ ୫୪ ନମ୍ବାର ପ୍ରକୋଷ୍ଟରେ ମତଦାନ ହେବ ।

ଓଡ଼ିଶା ବିଧାନସଭାର ୧୪୭ ଜଣ ବିଧାୟକ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ତେବେ ଯେଉଁ ସଂଖ୍ୟା ଗଣିତ ରହିଛି, ସେଥିରେ ବିଜେପିର ଦୁଇ ପ୍ରାର୍ଥୀ ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟ ହେବା ସ୍ପଷ୍ଟ । ହେଲେ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଥିବା ଦିଲୀପ ରାୟ ଓ ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ ହେବ କଡ଼ା ଫାଇଟ୍‌ । ଚତୁର୍ଥ ଆସନକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ପାରାଦୀପ, ନବୀନ ନିବାସ ଓ ବେଙ୍ଗାଳୁରୁର ହୋଇଛି ଆକ୍ସନ ପ୍ଲାନ । ତେବେ କିଛି ଏମଏଲଏଙ୍କ ଅନୁପସ୍ଥିତିକୁ ନେଇ ବଢିଛି ଟେନସନ ।

ବିଶେଷକରି କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦୋସ, ବିଜେଡିର ସୌଭିକ ବିଶ୍ବାଳ, ଚକ୍ରମଣି କୁଅଁର ଏବଂ ନବ ମଲ୍ଲିକଙ୍କୁ ନେଇ ସସ୍‌ପେନ୍ସ୍‌ ଜାରି ରହିଛି । ସେହିପରି ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ କାହାକୁ ଭୋଟ୍‌ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି । ଆଜି ଭୋଟ ସରିବା ପରେ ସନ୍ଧ୍ୟାରେ ଗଣତି ହେବ ଏବଂ ଏହା ପରେ ସ୍ପଷ୍ଟ ହୋଇଯିବ କିଏ ମାରୁଛି ବାଜି ।