କଟକ: କଟକ ଏସ୍ସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ଗୋଟିଏ ୱାର୍ଡରେ ନିଆଁ ଲାଗି ୧୦ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ୍. ଡି ନ୍ୟୁମ, ଗୌରାଙ୍ଗ ବାରିକ, ଏସ୍କେ ଅବଦୁଲ୍ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ା ଏବଂ ମେନକା ରାଉତ।
ଟ୍ରମା କେୟାର ଆଇସିୟୁରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପରେ ଆଇସିୟୁରେ ସାଂଘାତିକ ସ୍ଥିତି ଉପୁଜିଥିଲା। ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କର ସୁରକ୍ଷିତ ସ୍ଥାନାନ୍ତର ପାଇଁ ସମୟ ମିଳି ନଥିଲା। ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ମେଡିକାଲ ବୁଲି ଦେଖିବା
ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। କଟକ ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ନିଜର ଏକ୍ସ ଆକାଉଂଟ୍ ଜରିଆରେ ପୋଷ୍ଟ କରି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (ଚଗଘଜୠ) ରୁ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି, ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି।