କାକଟପୁର: ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରାର ମଙ୍ଗଳବାର ଥିଲା ଦ୍ଵିତୀୟ ପାଳି ଯାତ୍ରା। ରାତ୍ର ୨ ଘଟିକା ଠାରୁ ମଙ୍ଗଳ ଆଳତୀ ପରେ ସ୍ନାନ, ମାର୍ଜନା ଓ ବେଶ ପରେ ସୂର୍ଯ୍ୟପୂଜା, ବଲ୍ଲବ, ସକାଳଧୂପ ନୀତି ଅନୁଷ୍ଠିତ ହେବାପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା।
ମାତୃଭକ୍ତ ମାନେ ଉତ୍ତର ଦ୍ୱାରରେ ପ୍ରବେଶ କରିବା ପରେ ଧାଡ଼ିରେ ଯାଇ ମା ଙ୍କର ମହାଲକ୍ଷ୍ମୀ ବେଶ ଦର୍ଶନ କରି ପରିବାରରେ ଶୁଭ ମନାଶି ଥିଲେ। ମାନସିକ ଧାରୀ ମହିଳା ମାନେ ମନ୍ଦିର ବେଢା ମଧ୍ୟରେ ପନ୍ଥେଇ ପୂଜା କରି ନିଶା ମଙ୍ଗଳବାର ଓଷା ସମ୍ପନ୍ନ କରିଥିଲେ। ଦିନ ୨ ଘଟିକା ସମୟରେ ଝଙ୍କଡ଼ ରୁ ଆସିଥିବା ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ଜଳ ତୋଳି ମନ୍ଦିର ସମ୍ମୁଖରେ ଓ ମନ୍ଦିର ବେଢାରେ ପାରମ୍ପରିକ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ।
ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିର ବାହାର ଓ ଭିତର ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା। କାକଟପୁର ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରାଯିବା ସହିତ ମନ୍ଦିର ଭିତରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଆସନ୍ତା ୨୪ ତାରିଖରେ ମା ଙ୍କର ତୃତୀୟ ପାଳି ଯାତ୍ରା ଅନୁଷ୍ଠିତ ହେବବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି।