ପ୍ରଶିକ୍ଷଣରୁ ଫେରିଲେ ପଦୋନ୍ନତି ପ୍ରାପ୍ତ ୬ ମହିଳା ଆଇଏଏସ୍‌

ଓଡ଼ିଶା ପ୍ରଶାସନିକ ସେବାରୁ ଭାରତୀୟ ପ୍ରଶାସନିକ …..

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାରୁ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ପାଇଥିବା ୬ ଜଣ ମହିଳା ଆଇଏଏସ୍‌ ଅଧିକାରୀ (୨୦୧୪ ଓ ୨୦୧୫ ବ୍ୟାଚ୍‌) ଉତରାଖଣ୍ଡ ମସୁରୀସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସ୍‌ଏନଏଏ), ଠାରେ ଅନୁଷ୍ଠିତ ୧୨୮ତମ ନିଯୁକ୍ତି ପରବର୍ତୀ ପ୍ରଶିକ୍ଷଣ (ଇଣ୍ଡକ୍ସନ ଟ୍ରେନିଂ)ରେ ଯୋଗଦେଇ ଓଡ଼ିଶାକୁ ଫେରିବା ପରେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଅଧିକାରୀମାନେ ପ୍ରଶିକ୍ଷଣ ଅବସରରେ ବିଭିନ୍ନ ଦକ୍ଷତା କାର୍ଯ୍ୟକ୍ରମ ଓ ‘ଭାରତ ଦର୍ପଣ’ ପରିଭ୍ରମଣ ସଂପର୍କିତ ସେମାନଙ୍କର ଉପସ୍ଥାପନାରେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଂଚାଇ ନିଜର ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରି ପ୍ରଶଂସା ସାଉଁଟିଥିବାରୁ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ସଫଳତାର ସହ ପ୍ରଶିକ୍ଷଣ ନେଇଥିବା ଏହି ଅଧିକାରୀମାନେ ହେଲେ ଆରାଧନା ଦାସ, ଲିଲି କୁମାରୀ କୁଲୁ, ନିବେଦିତା ମିଶ୍ର, ଯୁଗଳେଶ୍ୱରୀ ଦାଶ, ରେଗା ଗୀତାରାଣୀ ପଟ୍ଟନାୟକ ଏବଂ ସ୍ୱୟଂପ୍ରଭା ମହାନ୍ତି।

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସୁପାରିଶ ଅନୁସାରେ ଏହି ଅଧିକାରୀମାନେ ଗତ ଫେବୃଆରୀ ୨୭ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ନିଯୁକ୍ତି ପରବର୍ତୀ ପ୍ରଶିକ୍ଷଣ ନେଇ ବିଭିନ୍ନ ଦକ୍ଷତା କାର୍ଯ୍ୟକ୍ରମ, ଭାରତ ଦର୍ପଣ କାର୍ଯ୍ୟକ୍ରମ, ବିଭିନ୍ନ କେସ୍‌ ଷ୍ଟଡି ଉପସ୍ଥାପନା, ଦଳଗତ ଉପସ୍ଥାପନା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସହ ଅନ୍ୟ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ପରସ୍ପରିକ ଜ୍ଞାନ, ଅନୁଭୂତି ଓ ଦକ୍ଷତା ଶିଖିବା (ପିଅର ଲର୍ଣ୍ଣି) କାର୍ଯ୍ୟକ୍ରମରେ ସଫଳତାର ସହ ଅଂଶ ଗ୍ରହଣ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି।

ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏକି ପଦୋନ୍ନତି ପାଇଥିବା ଏହି ସମସ୍ତ ମହିଳା ଅଧିକାରୀ ମାନଙ୍କୁ ଏଲଏବିଏସଏନ୍‌ଏ ପ୍ରଶିକ୍ଷଣ ପାଇଁ ପଠାଇ ଥିଲା, ଯାହା ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କ ଅଂଶଗ୍ରହଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି। ବିଭିନ୍ନ ପ୍ରଦେଶରୁ ଏହି ପ୍ରଶିକ୍ଷଣରେ ୮୩ ଜଣ ଉଭୟ ପୁରୁଷ ଓ ମହିଳା ଅଧିକାରୀମାନେ ନିଯୁକ୍ତି ପରବର୍ତୀ ପ୍ରଶିକ୍ଷଣ ନେଇଥିବା ବେଳେ ଚଳିତ ଥର ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଏହି ସମସ୍ତ ମହିଳା ଅଧିକାରୀମାନଙ୍କୁ ପଦୋନ୍ନତି ପରବର୍ତୀ ପ୍ରଶିକ୍ଷଣ ପାଇଁ ପଠାଯାଇଥିଲା। ଏହି ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।