ଭଦ୍ରକ: ଭଦ୍ରକ ଜିଲ୍ଲାରେ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାରେ ଅଚଳାବସ୍ଥା ଲାଗି ରହୁଛି। ଧାନ ବିକ୍ରି କରିବା ପାଇଁ ୩ ମାସ ହେଲା ମଣ୍ଡି ଖୋଲା ହୋଇଥିବା ବେଳେ ଆଜି ସୁଦ୍ଧା ବହୁ ମଣ୍ଡିରୁ ଚାଷୀଙ୍କର ଧାନ କିଣା ଶେଷ ହୋଇପାରି ନାହିଁ।
ସେହିପରି ଜିଲ୍ଲାରେ ଏବେ ପ୍ରାୟ ୨୦ ହଜାରରୁ ଅଧିକ ଚାଷୀ ଯେଉଁମାନେ ଧାନ ଦେଇ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଚାଷୀ ଧାନ ଦେବାରେ ବିଳମ୍ବ ହେଉଥିବା ବେଳେ ପ୍ରାପ୍ୟ ପାଇବାରେ ମଧ୍ୟ ବିଳମ୍ବ ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ତାଗିଦ କରା ଯାଇଥିବା ବେଳେ ମିଲର ସେମାନଙ୍କର ମନମାନିରେ ଧାନ ଉଠାଉଛନ୍ତି। ପ୍ରକାଶ ଥାଉ କି, ଭଦ୍ରକ ବ୍ଲକ ଅନ୍ତର୍ଗତ ଆମ୍ବରୋଳି ସମବାୟ ସମିତି ଧାନ ମଣ୍ଡିରୁ ୨୦ ଦିନ ଧରି ଧାନ ଉଠୁ ନଥିବା ପ୍ରତିବାଦରେ ବାଷୀମାନେ ମଣ୍ଡିରେ ତାଲା ପକାଇଛନ୍ତି। ଉକ୍ତ ସମିତିରେ ଆହୁରି ୬୭୧ ଜଣ ଚାଷୀ ଧାନ ବିକିବା ଅପେକ୍ଷାରେ ଅଛନ୍ତି।
ମଣ୍ଡି କର୍ତୃପକ୍ଷ ୬ ହଜାର ୯ ଶହ କ୍ୱିଂଟାଲ ଧାନ କିଣି ରଖୁଛନ୍ତି, ଅଥଚ ଧାନ ମଣ୍ଡିରୁ ଉଠୁ ନାହିଁ ଓ ମିଲରଙ୍କ ଗାଡି ମଣ୍ଡିରେ ପହଂଚୁ ନଥିବାରୁ ଏମିତି ଅବସ୍ଥା ଉପୁଜିଛି। ଚାଷୀମାନେ ଆହୁରି ୩ ହଜାର କୁଇଂଟାଲରୁ ଅଧିକ ଧାନ ଆଣି ମଣ୍ଡିରେ ବିକ୍ରି ଲାଗି ଅପେକ୍ଷା କରିଥିବା ବେଳେ ଯୋଗାଣ ବିଭାଗ ଏଥିପ୍ରତି ଧ୍ୟାନ ଦେଉନି ଫଳରେ ଚାଷୀ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। ଚାଷୀଙ୍କ କହିବା ଅନୁଯାୟୀ, ଗତବର୍ଷ ଖରିଫ ଋତୁରେ ଜିଲାର ସର୍ବାଧିକ ଧାନ କିଣି ପ୍ରଥମ ହୋଇଥିଲା ଏହି ସମିତି।
ଚଳିତ ବର୍ଷ ଏହି ମଣ୍ଡିରେ ୧୩୫୧ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ଏବେ ସୁଦ୍ଧା ମଣ୍ଡିକୁ ୩୮ ହଜାର ୬୦୦ କ୍ୱିଂଟାଲ ଟାର୍ଗେଟ ଧାନ ମିଳିଛି। ଟାର୍ଗେଟ ଅନୁସାରେ ମଣ୍ଡିରେ ଆହୁରି ୩ ହଜାର ଅଧୂକ ଧାନ ଗଚ୍ଛିତ ଅଛି। ସେହିଭଳି ଏବେ ଫେବ୍ରୁଆରି ୨ ତାରିଖ ଟୋକନର ଧାନକିଣା ଚାଲିଛି। ମାର୍ଚ୍ଚ ମାସରେ ଚାଷୀଙ୍କୁ ଯେଉଁ ଟୋକନ ମିଳିଛି। ସେମାନେ କେବେ ମଣ୍ଡିରେ ଧାନ ବିକ୍ରି କରିବେ ବୋଲି ପ୍ରଶ୍ନ ଉଠୁଛି। ମଣ୍ଡିକୁ ଆଉ ୨୨ ହଜାର କ୍ୱିଂଟାଲ ଧାନ ମିଳିଲେ ସବୁ ଚାଷୀଙ୍କ ଧାନ କିଣାଯାଇ ପାରିବ ବୋଲି ସୂଚନା ମିଳିଛି।
ମଣ୍ଡିକୁ ଅଧିକ ଟାର୍ଗେଟ ତୁରନ୍ତ ନମିଳିଲେ ବହୁ ଚାଷୀଙ୍କ ଟୋକନ ବାତିଲ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଟୋକନ ଅବଧି ସରିବା ପୂର୍ବରୁ ପ୍ରଶାସନ ଧାନ କିଣିବା ସଂପର୍କରେ ସୁଯୋଗ ସୃଷ୍ଟି କରନ୍ତୁ। ଚାଷୀର ଧାନ ବିକ୍ରି ନହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ। ମଣ୍ଡି ସମସ୍ୟା ନେଇ ଅବଗତ ହେବା ପରେ ଧାନ ଉଠାଇବା ବ୍ୟବସ୍ଥା ହେଉଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।