ବିଜ୍ଞାନ ଯୁଗରେ ପଣା ହାଣ୍ଡି ଓ କୁକୁଡ଼ା ପୂଜାର୍ଚ୍ଚନା
ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର। ଦୃଢ଼ ବିଶ୍ୱାସ ମଣିଷକୁ ମାନସିକ ସ୍ତରରେ ମଜଭୁତ କରିଥାଏ।
ରୋଗ ବ୍ୟାଧି ହେଉ କି ହାଡଫୁଟି …..
ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି ଭୁତାଣୁ ଜନିତ ରୋଗ ପାଇଁ ବିଜ୍ଞାନ ଯୁଗରେ ଅନେକ ପ୍ରକାର ପ୍ରତିଷେଧକ ଟିକାକରଣ ପଦ୍ଧତି ରହିଛି।
ରୋଗ ଶରୀରକୁ ଗ୍ରାସ ନକରିବା ପାଇଁ ନାନା ପ୍ରତିକାର ବ୍ୟବସ୍ଥା ରହିଛି। କିନ୍ତୁ ବିଜ୍ଞାନ ଯୁଗରେ ମଣିଷ ପାରମ୍ପରିକ ରୀତିନୀତି ଅନୁସାରେ ଭୂତାଣୁଜନିତ ରୋଗ ଦାଉରୁ ମୁକ୍ତି ପାଇବା ପାଇଁ ଅଦୃଶ୍ୟ ଶକ୍ତି ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରୁଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଅଂଚଳରେ କାହିଁ କେଉଁ ପୁରାତନ ଅମଳରୁ ରହି ଆସିଥିବା ଏହି ପରମ୍ପରାକୁ ଏବେ ମଧ୍ୟ ଗ୍ରାମବାସୀ ପାଳନ କରିଆସୁଛନ୍ତି। ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଯେ କୌଣସି ମଙ୍ଗଳବାର ଦିନ ଏହି ପୂଜା କରାଯାଏ।
ଗାଁର ଗୁଣିଆ ପୂଜାରୀଙ୍କ ଦ୍ୱାରା ଘଟ ଧରି ଘରକୁ ଘର ବୁଲି ମା’ ପାଟ୍ଟଖଣ୍ଡା, ଗ୍ରାମଦେବତାଙ୍କୁ ସ୍ମରଣ କରି ଘଟକୁ ଘରର ଛପରକୁ ଛୁଆଁଇ ଭୂତାଣୁ ନଆସିବା ପାଇଁ ମା’ଙ୍କୁ ପ୍ରାର୍ଥନା କରିବା ସହ ଖରାପ ଶକ୍ତିକୁ ଗାଁରୁ ବାହାର କରାଯିବା ପାଇଁ ପଣା ହାଣ୍ଡି, କୁକୁଡ଼ା, ଛେଳି ଆଦିକୁ ଗାଁଠାରୁ ଦୂର ଘଂଚ ଜଙ୍ଗଲରେ ପୂଜାର୍ଚ୍ଚନା କରାଯାଇଥାଏ।
ପରେ ଗାଁ ଲୋକ ଏକାଠି ହୋଇ ପ୍ରସାଦ ସେବନ କରି ଗୁଣିଆଙ୍କ ଦ୍ୱାରା ପବିତ୍ର ପୂଜା କରାଯାଇଥିବା ପାଣି ସିଂଚନ ପରେ ଘରକୁ ଫେରୁଥିବା ନଜିର ରହିଛି। ବିଶ୍ୱାସ ରହିଛି ଏଭଳି ବଲାଣି ପୂଜା କରାଯିବା ଦ୍ୱାରା ଗାଁକୁ ଭୁତାଣୁ ଜନିତ କୌଣସି ରୋଗ ଆସି ନ ଥାଏ। ସିମନବାଡିରେ ଏହି ବଲାଣି ପୂଜା ପାଇଁ ସ୍ଥାନୀୟ ସମିତି ସଭ୍ୟ ସାଧୁ ନାୟକଙ୍କ ନେତୃତ୍ୱରେ ରମା ଦେହୁରୀ, ଚିତରଞ୍ଜନ ନାୟକ, ନାଥ ମାଝୀ, ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।