ଭୁବନେଶ୍ୱର: ଓଡିଶା ହେଉଛି ରତ୍ନଗର୍ଭା। ଏହାର ମାଟି ତଳେ ଅନେକ ମୂଲ୍ୟବାନ ରତ୍ନ ରହିଛି। କେବଳ ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ ନୁହେଁ, ସୁନା ଓ ହୀରା ମଧ୍ୟ ରହିଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ହୀରା ଖଣିର ସନ୍ଧାନ ମିଳିଛି।
ନୂଆପଡା ବ୍ଲକ୍ର କଲମିଦାଦର ଅଂଚଳରେ ହୀରା ସନ୍ଧାନ କରାଯାଇଛି। ବିଶେଷଜ୍ଞମାନେ ବର୍ତମାନ ତାହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗର ଅନୁଶୀଳନ କରୁଛନ୍ତି। ମନ୍ତ୍ରୀଙ୍କ ଉତର ଅନୁସାରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ୍ ଅନ୍ତର୍ଗତ ହିଞ୍ଜିଳିବାହାଳ-ଜିଲିଙ୍ଗବରରେ ମାଣିକର ସନ୍ଧାନ ମିଳିଛି। କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ କେ?ଣସି ମୋତି ଖଣିର ସନ୍ଧାନ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି। ଦେବଗଡର ରିଆମାଳ ବ୍ଲକ୍ରେ ତମ୍ବା ପଥର, ଗ୍ରାଫାଇଟ୍ ଓ ନିକେଲ୍ ଠାବ କରାଯାଇଛି। ସେହିପରି ଅଡସ-ରାମପଲ୍ଲୀ ଅଂଚଳରେ ସୁନା ଖଣିର ସନ୍ଧାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ୍ର ମଦନସାହି-କାଞ୍ଜିଆରେ ସୁନା ଓ ତମ୍ବା ଥିବା ପଥର ଠାବ କରାଯାଇଛି।
କେନ୍ଦୁଝରର ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଗୋପୁର-ଜଳଡିହରେ ସୁନା ଖଣିର ସନ୍ଧାନ ମିଳିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ପୂର୍ବ ସୂଚନା ଅନୁସାରେ ରାଜ୍ୟ ମାଟି ତଳେ ୧୫୮୬ କେଜି ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି। ଏହି ସମ୍ପଦର ଅନୁସନ୍ଧାନ ଓ ବାଣିଜ୍ୟିକ ବ୍ୟବହାର ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରୁଛନ୍ତି। ସୁନା ଖଣି ନିଲାମ କରିବା ଉପରେ ମଧ୍ୟ ରାଜ୍ୟ ସରକାର ବିଚାର କରୁଛନ୍ତି।
ରାଜ୍ୟରେ ଗ୍ରାଫାଇଟ, ତମ୍ବା, ନିକେଲ, ରୁପା, ଟାଇଟାନିୟମ, ଭାନାଡିୟମ ଓ ଟିନ୍ ଭଳି ବିରଳ ମୃତିକା ଖଣିଜ ପଦାର୍ଥ ମଧ୍ୟ ଠାବ କରାଯାଇଛି। ଏହି ଖଣିଜ ପଦାର୍ଥରୁ ପ୍ରସ୍ତୁତ ଉପାଦାନଗୁଡିକୁ ଇଲେକ୍ଟ୍ରିକ୍ ଯାନ (ଇଭି), ସୋଲାର ପ୍ରକଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଅତ୍ୟାଧୁନିକ ବି ନିର୍ମାଣରେ ବ୍ୟବହାର କରାଯାଇଛି।କଳାହାଣ୍ଡି, ରାୟଗଡା, ବଲାଙ୍ଗୀର, ନୟାଗଡ ଓ ଦେବଗଡ ଜିଲ୍ଲାରେ ଗ୍ରାଫାଇଟ୍ ଠାବ କରାଯାଇଛି। ଅଧିକାଂଶ ସ୍ଥାନରେ ଜି୨ ଓ ଜି୩ ସ୍ତରର ଅନୁସନ୍ଧାନ ଜାରି ରହିଛି।