ନବୀନଙ୍କୁ ଚିହ୍ନିବା ଆଉ ରାଜ୍ୟବାସୀଙ୍କ ପକ୍ଷେ ଦରକାର ନାହିଁ। ଯୋଉମାନେ ନବୀନଙ୍କୁ ଓଡ଼ିଶାର ରାଜନୀତି ଭିତରକୁ ଟାଣି ଆଣିଥିଲେ। ସେମାନଙ୍କ ଭିତରୁ ଅନେକ ଧରାଧାମରୁ ବିଦାୟ ନେଲେଣି। ଯୋଉମାନେ ଅଛନ୍ତି ସେମାନେ ଏବେ ବିଜେପିର ବିଶ୍ୱାସୀ ହେବାକୁ ଅପପ୍ରୟାସ ଚଳାଇଛନ୍ତି। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟଙ୍କୁ ବିଜୟୀ କରିବା ପଛରେ ଯୋଉ ବିଧାୟକମାନେ ବାହାଦୁରି ନେବାକୁ ଯାଇ ନବୀନଙ୍କ ଗାତ୍ର ଦାହ କରିଛନ୍ତି। ସେହି ବିଧାୟକଗଣ ବାପାଙ୍କ ପ୍ରତି ହୋଇଥିବା ଅବିଚାରର ପ୍ରତିଶୋଧ ନେଇଥିବା କଥା କହିଛନ୍ତି। ଏପରି ମନ୍ତବ୍ୟ ପ୍ରଦାନ କରି ସେମାନେ ଦିଲ୍ଲୀପ ଅବା ବିଜେପିର ପ୍ରିୟଭାଜନ ହେବାକୁ ପ୍ରୟାସ କରିପାରନ୍ତି। ମାତ୍ର ସାଧାରଣ ଭୋଟରଙ୍କ ଦୃଷ୍ଟିରେ ଆଦୌ ମହାନ ହୋଇପାରିବେନି। ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ଭଳି ଚରିତ୍ରମାନେ ଓଡ଼ିଶାବାସୀଙ୍କ ପ୍ରତି କେବେ ସମର୍ପିତ ନଥିଲେ।
ଦିଲ୍ଲୀପଙ୍କୁ ବିଜେପି ଭଲ ଭାବନରେ ଜାଣିଛି। ଦିଲ୍ଲୀପ ମଧ୍ୟ ବିଜେପିକୁ ଭଲ ଭାବରେ ଜାଣିଛନ୍ତି। ଅମିତ ଶାହ ଓ ନରେନ୍ଦ୍ର ମୋଦି କାହାର ନୁହନ୍ତି? ଦରକାର ପଡ଼ିଲେ ଦଳର ସ୍ୱାର୍ଥ ପାଇଁ ଅମିତ ଶାହ ଓ ନରେନ୍ଦ୍ର ମୋଦି ରାଜ୍ୟ ବିଜେଡିର ଯେକୌଣସି ବିଧାୟକ ଅବା ସାଂସଦଙ୍କୁ ବଳି ପକାଇପାରନ୍ତି।
ନବୀନଙ୍କ ଉପରକୁ ଅଙ୍ଗୁଳି ଉଠାଉଥିବା ଲୋକ ପ୍ରଥମେ ନିଜ ମୁହଁକୁ ଆଇନାରେ ଦେଖନ୍ତୁ। ନବୀନଙ୍କୁ ଓଡ଼ିଶାବାସୀଙ୍କ ଦୃଷ୍ଟିରେ ନୀଚ କରିବା ପୂର୍ବରୁ ପ୍ରଥମେ ନିଜକୁ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତନ୍ତୁ। ସନାତନ ମହାକୁଡ଼ ତାଙ୍କ ବଳରେ ବଳୀୟାନ। ମାତ୍ର ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଆଦୌ ଆପଣା ବଳରେ ବଳିୟାନ ନୁହନ୍ତି। ଦଳ ବିନା ସେମାନଙ୍କର ଅସ୍ତିତ୍ୱ ନାହିଁ। ଚୋରଙ୍କୁ ଦଳ ଦରକାର। ଭଲ ଲୋକଙ୍କୁ ଦଳର ଆବଶ୍ୟକତା ନଥାଏ। ଦଳେ ଚୋର ଏକାଠି ହେଲେ ଚୋରି କରିବାକୁ ଅଂଟା ଭିଡନ୍ତି। ଆଜିର ଗଣତନ୍ତ୍ର ଆଉ ଭଦ୍ରଲୋକଙ୍କୁ ଦରକାର କରୁନି। ଆଜିର ଭୋଟର ଆଉ ଭଦ୍ରଲୋକଙ୍କୁ ଭୋଟ ଦେବାକୁ ଚାହୁଁନି। ଯୋଉ ଗଣତନ୍ତ୍ରରେ ଭୋଟର ଭୋଟ ଦେବା ପୂର୍ବରୁ ପ୍ରାର୍ଥୀଙ୍କୁ ପଚାରୁଛି, ତମକୁ ଭୋଟ ଦେଲେ ମୋତେ କ’ଣ ମିଳିବ? ସେଭଳି ଗଣତନ୍ତ୍ରରେ ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଶାସନ ଆଶା କରିବା ବୃଥା। ତେଣୁ ଏଭଳି ସମୟରେ ନବୀନ ପଟ୍ଟନାୟକଙ୍କ ଧୋବ ଫରଫର କମିଜରୁ ଦାଗ ଦେଖାଇବା ଅତ୍ୟନ୍ତ ହାସ୍ୟାସ୍ପଦ। ଯୋଉ ସମୟରୁ ନବୀନ ପଟ୍ଟନାୟକ ଚିଟ୍ଫଣ୍ଡ ସଂସ୍ଥାର ବ୍ରାଣ୍ଡ ଆମ୍ବାସାଡ଼ାରମାନଙ୍କ ପୁଅମାନଙ୍କୁ ଦଳୀୟ ଟିକେଟ୍ ଦେଇ ବିଧାନସଭାରେ ବସାଇଲେ, ସେହିଦିନଠାରୁ ତାଙ୍କର ଧୋବ ଫରଫର କମିଜରେ ଦାଗ ଲାଗିଛି। ସଂତୃପ୍ତଙ୍କ ଭଳି ଲୋକଙ୍କୁ ରାଜ୍ୟସଭାକୁ ପଠାଇ ନବୀନ କିଛି ଭୁଲ କରିନାହାନ୍ତି। ରାଜ୍ୟବାସୀଙ୍କୁ ଆଦୌ ଧୋକା ଦେଇନାହାନ୍ତି। ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କଠାରୁ ଯୋଉ ବ୍ୟବହାର, ଆଚରଣ ଓ ଉଚ୍ଚାରଣ ଆଶା କରୁଥିଲେ, ନବୀନ ପଟ୍ଟନାୟକ ସେଇଆ ଦେଖାଇଛନ୍ତି। ଦିଲ୍ଲୀପ ରାୟଙ୍କ ଭଳି ଚରିତ୍ରକୁ ରାଜ୍ୟସଭାକୁ ପଠାଇ ବିଜେପି ଯଦି ଠିକ କରିଛି। ସଂତୃପ୍ତକୁ ପଠାଇ ନବୀନ କ’ଣ ଭୁଲ କରିପକାଇଲେ?
ଯାହା ଚାଲିଛି ଠିକ ଚାଲିଛି। ଯାହା ଆଗକୁ ହେବ, ଠିକ ହେବ। ସବୁ ଭଗବାନଙ୍କ ଲୀଳା। ଖୋଦ ପ୍ରଧାନମନ୍ତ୍ରୀ ମୋଦିଜୀ କହିଛନ୍ତି ଯେ ସେ ଜଣେ ଅବତାରୀ ପୁରୁଷ। ଅଯୋନିସମ୍ଭୁତ। ଆକାଶରୁ ଖସି ପଡ଼ିଛନ୍ତି। ତାଙ୍କ ଶାସନରେ ଯାହା କିଛି ଘଟୁଛି, ସବୁ ଭଗବାନଙ୍କ ଲୀଳା। ବିହାରରେ ପୋଲ ଭୁଶୁଡ଼ିଲେ, ସେଇଟା ଭଗବାନଙ୍କ ଲୀଳା। ପଶ୍ଚିମବଙ୍ଗରେ ପୋଲ ଭୁଶୁଡ଼ିଲେ, ସେଇଟା ଠକ ଠିକାଦାରଙ୍କ ଲୀଳା। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଶାସନ କରୁଛି। ଏଠି ଯାହା ଚାଲିଛି ସେଥିରେ ଦୋଷ ବାଛିଲେ ଖୋଦ ଭଗବାନ ରାଗିବେ। ଭଗବାନ ରାଗିଲେ କ’ଣ କରନ୍ତି, ତାହା କାହାକୁ ଅଛପା?
୨୦୧୪ ପୂର୍ବରୁ ବିଜେପି ପାଣ୍ଠିରେ ମାତ୍ର ୩୦୦ କୋଟି ଟଙ୍କା ଥିଲା। ୨୦୨୪ ବେଳକୁ ତା’ର ପରିମାଣ ୭୦୦୦ କୋଟି ଟଙ୍କାରେ କେମିତି ପହଂଚିଲା ପ୍ରଶ୍ନ କଲେ, ତା’ର ଜବାବରେ ଅମିତ ଶାହ କି ନରେନ୍ଦ୍ର ମୋଦି ସତ କହିବେ କି? ଟ୍ରମ୍ପଙ୍କ ୫୦ ପ୍ରତିଶତ ଟିକସ ମାଡ଼ ଖାଇବା ପରେ ମୋଦିଜୀଙ୍କ ମୁଣ୍ଡ ଠିକ କାମ କଲା, ଟ୍ରମ୍ପଙ୍କ ଟିକସ ଛାଟ ଖାଇବା ପରେ ମୋଦିଜୀ ଗାଇଲେ କ’ଣ ନା ଟଙ୍କାର କୌଣସି ରଙ୍ଗ ନଥାଏ। ମାତ୍ର ତା’ ପୂର୍ବରୁ ମୋଦିଙ୍କୁ ଟଙ୍କା ଭିତରେ କଳାଧଳା ରଙ୍ଗ ଦିଶୁଥିଲା। ବିଦେଶରୁ କଳାଧନ ଆଣି ପ୍ରତି ଖଟିଖିଆଙ୍କ ଜମାଖାତାରେ ୧୫/୨୦ ଲକ୍ଷ ଟଙ୍କା ଜମା କରିଦେବାର ହଲପ।
ନବୀନଙ୍କ ମାୟା ଦଳୀୟ ବିଧାୟକଙ୍କୁ ଅଗୋଚର। ତେଣୁ ସେମାନେ ନବୀନଙ୍କ ଦୋଷକୁ ଘୋଡ଼ାଇବାକୁ ଚେଷ୍ଟା କରୁଥିଲେ। ନୂଆଦିଲ୍ଲୀରେ ‘ବିଜୁ-ନବୀନ ଇନ୍ସ୍ପିରେସ୍ନାଲ୍ ଫାଉଣ୍ଡେସନ୍’ ଗଠନ ସଂପର୍କରେ ଦଳର ବିଧାୟକମାନେ ଫାଙ୍କି ଚାଲିଥିଲେ। ମାତ୍ର ଖୋଦ ନବୀନ ଯେତେବେଳେ ଅନୁଭବ କଲେ ଯେ ପାଣି ନାକ ଉପରକୁ ଚାଲିଗଲାଣି। କଥାଟିକୁ ଲୁଚାଇଲେ ଆଉ ଲୁଚି ରହିବନି, ସେତେବେଳେ ବାଧ୍ୟ ହୋଇ ସତ ମାନିଲେ। ତାଙ୍କରି ଦ୍ୱାରା ହିଁ ଟ୍ରଷ୍ଟ ଗଠନ ହୋଇଛି ବୋଲି ସ୍ୱୀକାର କରିଛନ୍ତି। ତେବେ ବିଜେଡି ପାଣ୍ଠିରୁ ଗୋଟିଏ ଟଙ୍କା ସେଠିକି ଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କିନ୍ତୁ ତାଙ୍କ ସ୍ପଷ୍ଟୀକରଣ ଆହୁରି ରହସ୍ୟ ବଢ଼ାଇଦେଇଛି। ବିଜେଡି ମାଧ୍ୟମରେ ସେ ରାଜ୍ୟବାସୀଙ୍କ ସେବା କରୁଥିଲା ବେଳେ ହଠାତ୍ ଟ୍ରଷ୍ଟ କାହିଁକି ଆବଶ୍ୟକ ପଡିଲା, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଗଣମାଧ୍ୟମକୁ ନବୀନ କହିଛନ୍ତି, ‘ମୁଁ ଅପରେସନ୍ ପାଇଁ ମୁମ୍ବାଇ ଯିବା ପୂର୍ବରୁ ପରାମର୍ଶ ନିମନ୍ତେ ଦିଲ୍ଲୀ ଯାଇଥିଲି। ସେଠାରେ କିଛି ବରିଷ୍ଠ ଆଇନଜୀବୀ ଓ ଚାଟାର୍ଡ ଆକାଉଂଟାଂଟ୍ ମୋତେ ଟ୍ରଷ୍ଟ ଖୋଲିବାକୁ ପରାମର୍ଶ ଦେଇଥିଲେ। ମୁଁ ନିଜସ୍ୱ ପାଣ୍ଠିରୁ ମାତ୍ର ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହ ଏହାକୁ ଆରମ୍ଭ କରିଥିଲି। ଏହା ଓଡିଶାର ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ। ଟ୍ରଷ୍ଟକୁ କୌଣସି ଟଙ୍କା ବିଜେଡି କିମ୍ବା କୌଣସି ପାର୍ଟି ପାଣ୍ଠିରୁ ଆସି ନାହିଁ। ବିଜୁ ବାବୁ ତାଙ୍କର ପରୋପକାରୀ କାର୍ଯ୍ୟ ପାଇଁ ଜଣାଶୁଣା ଥିଲେ ଓ ଜୀବନରେ ଅନେକ ଭଲ କାର୍ଯ୍ୟ କରିଛନ୍ତି। ତାଙ୍କ ନାମରେ ହିଁ ଟ୍ରଷ୍ଟ ଗଠନ କରାଯାଇଛି। ଆମେ ମଧ୍ୟ ଆମ କଟକର ପୈତୃକ ବାସଭବନକୁ ଓଡିଶାବାସୀଙ୍କ ବ୍ୟବହାର ପାଇଁ ଦାନ କରିଛୁ। ଗଣମାଧ୍ୟମରେ ନକାରାତ୍ମକ ଖବର ଆସୁଥିବାରୁ ମୁଁ ଏହା ସ୍ପଷ୍ଟ କରିବାକୁ ଉଚିତ ମଣିଲି।’ ତେବେ ଭିକେ ପାଣ୍ଡିଆନଙ୍କୁ ସଭାପତି ଓ ସଂତୃପ୍ତ ମିଶ୍ରଙ୍କୁ ସମ୍ପାଦକ ଭାବେ କାହିଁକି ଚୟନ କଲେ, ସେ ସମ୍ପର୍କରେ କିଛି କହିନାହାନ୍ତି।
ନୂଆଦିଲ୍ଲୀରେ ୮ ମାସ ତଳୁ ଟ୍ରଷ୍ଟ ପଞ୍ଜୀକରଣ ହୋଇଥିଲେ ବି କେହି ବିନ୍ଦୁବିସର୍ଗ ଜାଣି ନଥିଲେ। କୌଣସି ବ୍ୟକ୍ତି ଟ୍ରଷ୍ଟ ଗଠନ କରିବା ବଡ କଥା ନୁହେଁ, କିନ୍ତୁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଟ୍ରଷ୍ଟ ଗଠନ ଏବଂ ସେଥିରେ ପାଣ୍ଡିଆନ ଆଜୀବନ ସଭାପତି ରହିବା ନିଶ୍ଚିତ ରାଜ୍ୟବାସୀଙ୍କ ପାଇଁ ଏକ ଆଲୋଚ୍ୟ ବିଷୟ। ବିଜେଡି ମାଧ୍ୟମରେ ନବୀନ ରାଜନୀତି ଓ ଜନସେବା କରୁଛନ୍ତି ବୋଲି ନିଜେ କହିଛନ୍ତି। ସେ ଚାହୁଥିବା ପର୍ଯ୍ୟନ୍ତ ନିଜେ ବିଜେଡିର ସଭାପତି ରହିବେ। ତାହା ସତ୍ୱେ ପରିଣତ ବୟସରେ ହଠାତ୍ ଟ୍ରଷ୍ଟ ପାଇଁ ନବୀନ ମନ ବଳାଇବା ଘଟଣାକୁ ଦଳୀୟ ନେତାମାନେ ହାଲୁକା ଭାବେ ନେଇ ପାରୁନାହାନ୍ତି। ଯଦି ରାଜ୍ୟବାସୀଙ୍କ ହିତ ପାଇଁ ଏକ ଟ୍ରଷ୍ଟ ଗଠନ କରାଗଲା, ତେବେ ଖୋଲାଖୋଲି ଭାବେ ଏହା ଘୋଷଣା କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହାକୁ ୮ ମାସ ଧରି ଲୁଚାଇ ରଖିବା ପଛର କାରଣ କ’ଣ ବୋଲି ଅନେକ ନେତା ପ୍ରଶ୍ନ କରିଛନ୍ତି।
ରାଜ୍ୟସଭା ନିର୍ବାଚନର ଠିକ୍ ପୂର୍ବରୁ ପ୍ରଭାତ ବିଶ୍ୱାଳ ଟ୍ରଷ୍ଟ ପ୍ରସଙ୍ଗ ଉଠାଇ ଘଟଣାକୁ ଲୋକଲୋଚନକୁ ଆଣିଥିଲେ। ସଂତୃପ୍ତଙ୍କୁ ହିଁ ସେ ଟାର୍ଗେଟ୍ କରିଥିଲେ। କିନ୍ତୁ ନବୀନ-ସଂତୃପ୍ତ ଏହାକୁ ଅସ୍ୱୀକାର କରିଥିଲେ। ଏହା ପରେ ଶ୍ରୀମୟୀ ମିଶ୍ର ଟ୍ରଷ୍ଟର କାଗଜପତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପୂରା ଘଟଣାକୁ ବିବାଦ ଭିତରକୁ ନେଇଯାଇଥିଲେ। କିନ୍ତୁ ଟ୍ରଷ୍ଟ ଗଠନକୁ ଦଳର ଦୁଇ ଜଣ ବିଧାୟକ ଗଣମାଧ୍ୟମରେ ସିଧା ଅସ୍ୱୀକାର କରିଥିଲେ। ଓଲଟା ଏହାର ଦସ୍ତାବିଜକୁ ଜାଲ୍ ବୋଲି କହିଥିଲେ। କିନ୍ତୁ ଆଜି ନବୀନ ଏହାକୁ ସ୍ୱୀକାର କରି ସେମାନଙ୍କ ମିଛ ଧରା ପକାଇ ଦେଇଛନ୍ତି।