ଦେବାଳିଆ ହୋଇଯିବ ଆମେରିକା!

ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧରେ ସାରା ବିଶ୍ୱ ଏକପ୍ରକାର ….

ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧରେ ସାରା ବିଶ୍ୱ ଏକପ୍ରକାର ଦେବାଳିଆ ସ୍ଥିତିରେ ପହଂଚିବାକୁ ଯାଉଛି। ଦ୍ୱିତୀୟ ବାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଏକପ୍ରକାର ଅହଂକାରୀ ହୋଇଯାଇଛନ୍ତି। ପାରିବାରିକ ସଂପତି ବୃଦ୍ଧି କରିବାକୁ ଯାଇ ଆମେରିକା ରାଜକୋଷକୁ ଲୁଟୁଛନ୍ତି। ଟ୍ରମ୍ପଙ୍କ ଆଚରଣ ଓ ଉଚ୍ଚାରଣ ଆମେରିକାକୁ ବିଶ୍ୱବାସୀଙ୍କ ଦୃଷ୍ଟିରେ ଖଳନାୟକ କରିଦେଉଛି। ଧିରେ ଧିରେ ଆମେରିକା ବିଶ୍ୱବାସୀଙ୍କ ବିଶ୍ୱାସ ହରାଉଛି। ଆମେରିକାର ଅର୍ଥନୀତି ସୁଦୃଢ଼ ହେଉ କି ନହେଉ, ଟ୍ରମ୍ପଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସୁନିଶ୍ଚିତ।

ଅଧିକରୁ ଅଧିକ ଆମେରିକୀୟ ବେକାର ହୋଇ ସାମାଜିକ ସୁରକ୍ଷାର ଛତ୍ର ତଳେ ଭିଡ ଜମାଉଥିବାରୁ ସେହି ବ୍ୟୟ ତୁଲାଇବା ଲାଗି ସ୍ୱଚ୍ଛଳଙ୍କ ଉପରେ ଟିକସର ବୋଝ ବୃଦ୍ଧି ପାଇବାରେ ଲାଗିଛି। ମୋଟ ଉପରେ ଆମେରିକାର ଦୁର୍ବଳତା ଅଧିକରୁ ଅଧିକ ପରିଦୃଶ୍ୟ ହେବାରେ ଲାଗିଛି। ଏବଂ ଏଭଳି ସ୍ଥଳେ ନିଜକୁ ଏକ ଅସଂଲଗ୍ନ ଦ୍ୱୀପରେ ପରିଣତ କରି ଦେଇଥିବା ଆମେରିକା ନିଃସଙ୍ଗ ଭଳି ମଧ୍ୟ ଦିଶୁଛି। ୨୦୨୫ ମସିହାର ପ୍ରାରମ୍ଭରେ ଡୋନାଲ୍‌ଡ ଟ୍ରଂପ ଦ୍ୱିତୀୟ ଥର ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା ପରେ ଅଧିକରୁ ଅଧିକ ଆମେରିକୀୟ ବିଦ୍ୱାନ ଓ ଚିନ୍ତକ ସେମାନଙ୍କ ରାଷ୍ଟ୍ରର କ୍ରମ ପତନ ନେଇ ଯେମିତି ଚିନ୍ତାକୁଳ ହୋଇ ଉଠିଛନ୍ତି, ପୂର୍ବରୁ ସେମିତି କଦାଚିତ୍‌ ହୋଇଥିବେ ଅବା! ଯଦିଓ ସେମାନେ ପ୍ରାୟ ଦେଢ଼ ଦଶନ୍ଧି ହେବ ଇଙ୍ଗିତ ଦେଇ ଆସୁଛନ୍ତି ଯେ ଆମେରିକାର ସୂର୍ଯ୍ୟ ମଧ୍ୟାହ୍ନ ରେଖା ଅତିକ୍ରମ କରି ଅସ୍ତାଚଳଗାମୀ ହେବା ଆରମ୍ଭ କଲାଣି।

ଅବଶ୍ୟ, ପ୍ରତ୍ୟେକ ସଭ୍ୟତା ଓ ସାମ୍ରାଜ୍ୟ ଉତ୍‌ଥାନର ଶିଖର ସ୍ପର୍ଶ କରିବା ପରେ ନିମ୍ନଗାମୀ ହୁଅନ୍ତି; କିନ୍ତୁ ଅନେକ ସମୟରେ ସହସା ସେହି ପତନ ଦ୍ରୁତତର ହୁଏ, ଯାହା ଆମେରିକା କ୍ଷେତ୍ରରେ ଏବେ ଘଟୁଛି ଏବଂ ତାହା ହିଁ ବିବ୍ରତବୋଧର କାରଣ। ଅନେକଙ୍କ ମତରେ ଟ୍ରଂପଙ୍କ ମାର୍ଫତରେ ଆମେରିକାର ରାଜନୀତି, ଚିନ୍ତାଧାରା, ଦୃଷ୍ଟିକୋଣ, ବିବେଚନାବୋଧ ଇତ୍ୟାଦି ଏଭଳି ବଦଳିଛି ଯେ ଏହି ବେଗରେ ହ୍ରାସ ଘଟିବାର ସମ୍ଭାବନା ମଧ୍ୟ କ୍ଷୀଣ। ଏଭଳି ସ୍ଥଳେ ଅପରାହ୍‌ଣରେ ଅବତୀର୍ଣ୍ଣ ପୃଥିବୀର ଏହି ସର୍ବଶକ୍ତିମାନ ରାଷ୍ଟ୍ରକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ନିକଟରେ ଆମେରିକାର ପ୍ରସିଦ୍ଧ ଜନ ବିଦ୍ୱାନ ଫରିଦ ଜାକାରିଆ ଏକ ଚମତ୍କାର ଆଲୋଚନାରେ ଦର୍ଶାଇଛନ୍ତି କିଭଳି ଅତୀତରେ ଗ୍ରେଟ ବ୍ରିଟେନ ନିଜ ଭାଗ୍ୟର ସଂଧ୍ୟା ଆଡକୁ ଗତି କରିବା ବେଳର ଅପଲକ୍ଷଣମାନ ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଠାରେ ଦେଖିବାକୁ ମିଳୁଛି। ଊନବିଂଶ ଶତାବ୍ଦୀର ଅନ୍ତିମ ଚରଣ ବେଳକୁ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଥିଲା ଗ୍ରେଟ ବ୍ରିଟେନ ଓ ପୃଥିବୀର ଅର୍ଥନୈତିକ ରାଜଧାନୀ ଥିଲା ଲଣ୍ଡନ। ସେହି ସମୟରେ ପୃଥିବୀର ମୋଟ ଜି.ଡି.ପି.ରେ ବ୍ରିଟେନର ଅଂଶ ଥିଲା ପାଖାପାଖି ୨୫%, ଯାହା ସାଂପ୍ରତିକ ଆମେରିକା ସହିତ ପ୍ରାୟ ସମାନ।

ୟୁରୋପ ଉପରେ ନେପୋଲିଅନଙ୍କ ପ୍ରଭୁତ୍ୱ ବିସ୍ତାର ହେଉ ବା କ୍ରିମିଆ ଯୁଦ୍ଧରେ ଦକ୍ଷିଣ-ପୂର୍ବ ଏସିଆ ଉପରେ ରୁଷିଆର ଆଧିପତ୍ୟ ବିସ୍ତାରର ମହତ୍ୱାକାଂକ୍ଷା ହେଉ; ଗ୍ରେଟ ବ୍ରିଟେନ ଦ୍ୱାରା ଚୂର୍ଣ୍ଣ ହୋଇଥିଲା। କିନ୍ତୁ, ଏ ସବୁ ମଧ୍ୟରେ ବ୍ରିଟେନର ଔଦ୍ଧତ୍ୟ ତାକୁ ପତିଆରା ପ୍ରଦର୍ଶନ ସକାଶେ ଅନେକ ଅନାବଶ୍ୟକ ଯୁଦ୍ଧରେ ଲିପ୍ତ କରିଥିଲା; ଯେମିତି କି ୧୮୮୦ ମସିହାରୁ ୧୯୨୦ ମସିହା ମଧ୍ୟରେ ସୋମାଲିଆ, ସୁଦାନ ଭଳି ଆଫ୍ରିକୀୟ ରାଷ୍ଟ୍ର ଠାରୁ ନେଇ ଇରାକ ପର୍ଯ୍ୟନ୍ତ ରାଷ୍ଟ୍ରରେ ଯୁଦ୍ଧ ଓ ବିଦ୍ରୋହ ନିର୍ବାପନରେ ସଂପୃକ୍ତ ହୋଇ ବ୍ରିଟେନ ବିପୁଳ ଅର୍ଥ ଅପଚୟ କରିଥିଲା। ସୁତରାଂ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଔପନିବେଶିକ ରାଷ୍ଟ୍ରଗୁଡିକୁ ଶାସନାଧୀନ କରି ରଖିବା ଲାଗି ମଧ୍ୟ ବ୍ରିଟେନ ତା’ର ସାମର୍ଥ୍ୟ ହରାଇ ସାରିଥିଲା। କିନ୍ତୁ, ଅପର ପକ୍ଷରେ ଏହି ଶୂନ୍ୟତା ପୂରଣ କରିବାରେ ପ୍ରବୃତ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତୀ ପୃଥିବୀର ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି, ଗବେଷଣା ଓ ଉଦ୍ୟୋଗ ଆଦି କ୍ଷେତ୍ରରେ ନିଜ ସ୍ଥିତିକୁ ଦୃଢ଼ କରି ପୃଥିବୀକୁ ନେତୃତ୍ୱ ପ୍ରଦାନ କରିବା ଆରମ୍ଭ କରିଥିଲା।

ଫରିଦ ଜାକାରିଆଙ୍କ ମତରେ ସୋଭିଏତ ରୁଷିଆର ବିଲୟ ପରେ ଏକ ଧ୍ରୁବୀୟ ପୃଥିବୀରେ ଅତୀତର ଗ୍ରେଟ ବ୍ରିଟେନ ଭଳି ନିଜକୁ ନିରଙ୍କୁଶ ମଣୁଥିବା ଆମେରିକା ଅନେକ ଅନାବଶ୍ୟକ ଯୁଦ୍ଧ ଓ ବିଦ୍ରୋହ ସଂରଚନାରେ ଲିପ୍ତ ହୋଇଛି, ଯେମିତି ଏବର ଇରାନ ବିରୋଧୀ ଯୁଦ୍ଧ ଅଭିଯାନ ‘ଏପିକ୍‌ ଫ୍ୟୁରି’! ଜାକାରିଆ କହନ୍ତି ଯେ ଆମେରିକା ଏଭଳି ଭାବେ ସଂଧାଧନ ଓ ଅର୍ଥର ବିପୁଳ ଅପଚୟ କରି ଚାଲିଥିବା ବେଳେ ଚୀନ ନିରବରେ ତା’ର ସମ୍ବଳ ଓ ସାମର୍ଥ୍ୟକୁ ଉଚ୍ଚାଭିଳାଷୀ ଉଦ୍ଦେଶ୍ୟରେ ବିନିଯୋଗ କରି ଶକ୍ତି ବୃଦ୍ଧି କରିବାରେ ନିମଗ୍ନ ଏବଂ ଅନେକ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚୀନ ଅତିକ୍ରମ କରି ସାରିଲାଣି ମଧ୍ୟ। ଜାକାରିଆଙ୍କ ଧାରଣା ଯେ ଇରାନ ଉପରେ ଆମେରିକାର ଆକ୍ରମଣ ମଧ୍ୟ ଚୀନ ସକାଶେ ଏକ ସୁଯୋଗର ଉନ୍ମୋଚନ କରିଛି; କାରଣ ଆମେରିକାର ସମର-ସାମର୍ଥ୍ୟ କଳନା କରିବା ଲାଗି ଏହା ଠାରୁ ଅଧିକ ସହଜ ଅବସର ଚୀନକୁ ହୁଏତ ମିଳନ୍ତା ନାହିଁ।

ଜାକାରିଆଙ୍କ ନିଷ୍କର୍ଷ ହେଲା ଏହା ଯେ ଆମେରିକାର କ୍ଷମତାସୀନ ନେତାମାନଙ୍କ ବିଚାର ବୁଦ୍ଧିରେ ବିଭ୍ରଂଶର ସଂକେତ କେଇ ଦଶନ୍ଧି ପୂର୍ବରୁ ମିଳି ସାରିଥିଲେ ହେଁ ଟ୍ରଂପଙ୍କ ଦ୍ୱାରା ତାହା ତ୍ୱରାନ୍ୱିତ ହୋଇଛି; ଯେମିତି ବିଶ୍ୱ ସ୍ତରୀୟ ଅନୁଷ୍ଠାନଗୁଡିକର ନେତୃତ୍ୱ ନେବା ପରିବର୍ତେ ସେ ସବୁରୁ ନିଜକୁ ଓହରାଇ ଆଣି, ପାରଂପରିକ ମିତ୍ର ରାଷ୍ଟ୍ରଗୁଡିକ ଉପରେ ଟାରିଫ ଆକ୍ରମଣ କରି, ଅତିକ୍ରମଣର ଧମକ ଦେଇ, ବିଶ୍ୱ ଶୃଙ୍ଖଳାକୁ କ୍ଷୁଣ୍ଣ କରି ଆମେରିକା ନିଜ ଲାଗି ଏକ ଉପଦ୍ରବୀ ଦେଶର କୁଖ୍ୟାତି ଅର୍ଜନ କଲାଣି; ଯେଉଁ କାରଣରୁ ଆମେରିକୀୟ ଆଘାତଜନିତ ଯନ୍ତ୍ରଣାର ଉପଶମ ଲାଗି କାନାଡା ଭଳି ସହୋଦର ସୁଲଭ ପ୍ରିୟ ରାଷ୍ଟ୍ର ମଧ୍ୟ ଚୀନ ନିକଟରେ ଉପସ୍ଥିତ ହେଲାଣି। ସୁତରାଂ, ଚୀନର ସୂର୍ଯ୍ୟୋଦୟ ତା’ର ଆକାଶକୁ ଫର୍ଚ୍ଚା କରି ଦେଉଥିବା ବେଳେ ଆମେରିକାର ଆଲୋକ ମଳିନ ପଡିବାରେ ଲାଗିଛି!

ଏହି ପରିପ୍ରେକ୍ଷୀରେ ଆମେରିକାର ପ୍ରସିଦ୍ଧ ଇତିହାସକାର ଓ ଲେଖକ ଆଲଫ୍ରେଡ୍‌ ମକ୍‌କୟଙ୍କ ଦ୍ୱାରା ରଚିତ ଓ ନିକଟରେ ପ୍ରକାଶିତ ପୁସ୍ତକ ‘କୋଲ୍‌ଡ୍‌ ୱାର୍‌ ଅନ୍‌ ଫାଇଭ୍‌ କଂଟିଜେନ୍‌ସ’ ବିଶେଷ ପ୍ରଣିଧାନଯୋଗ୍ୟ, ଯହିଁରେ ଆମେରିକାର କ୍ରମ-ଅଧଃପତନ ଉପରେ ଗୋଟିଏ ଅଧ୍ୟାୟ ରହିଛି। ତାଙ୍କ ମତରେ ଏବର ଆମେରିକାରେ ରାଜନୈତିକ ଧ୍ରୁବୀକରଣ ଏଭଳି ଗଭୀର ହୋଇଛି ଯେ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ ଦଳ ପାରସ୍ପରିକ ଆଲୋଚନା ଲାଗି ଆଗ୍ରହୀ ନ ହୋଇ ସଂଘର୍ଷ ପ୍ରମତ ଅବସ୍ଥାରେ ବିଦ୍ୟମାନ। ସେ କହନ୍ତି ଯେ ସାଂପ୍ରତିକ ଆମେରିକା ଏକ କ୍ରୋଧ ଫଣଫଣ ରାଷ୍ଟ୍ର ଭଳି ଦିଶିଥାଏ ଏବଂ ଆବେଗ ଦୃଷ୍ଟିରୁ କ୍ରୋଧ କଦାପି ଏକ ଧାରଣକ୍ଷମ ଶକ୍ତି ହୋଇ ନ ଥାଏ।

ଏହା ମଧ୍ୟ ଏକ ବାସ୍ତବତା ଯେ ଧାରଣାର ପ୍ରତିଫଳନ କେତେକ ପରିସଂଖ୍ୟାନରେ ମଧ୍ୟ ସ୍ପଷ୍ଟ ହେଉଛି; ଯେମିତି ‘ୱର୍ଲଡ ଟ୍ରଭେଲ୍‌ସ ଏଣ୍ଡ ଟୁରିଜମ ସେଂଟର’ର ରିପୋର୍ଟ ଅନୁସାରେ ଆମେରିକାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ତୀବ୍ର ସଂକୋଚନ ଘଟିଥିବାରୁ, ୨୦୨୫ ମସିହାରେ, ଆମେରିକା ୧୨.୫ ବିଲିଅନ ଡଲାର ହରାଇଛି; ୨୦୨୨ ମସିହାର ହିସାବ ଅନୁସାରେ ଆମେରିକୀୟମାନଙ୍କ ହାରାହାରି ଆୟୁଷ ୭୬ ବର୍ଷ, ଯାହା କ୍ୟୁବା (୭୯ ବର୍ଷ) ଠାରୁ ମଧ୍ୟ କମ୍‌; ଆମେରିକାର ଋଣ ଭାର ହେଉଛି ୩୭ ଟ୍ରିଲିଅନ ଡଲାର, ଯାହା ତା’ର ବାର୍ଷିକ ବଜେଟ ସହିତ ପ୍ରାୟ ସମାନ ଏବଂ ତାହା ଅଚିରେ ଅସହନୀୟ ହୋଇ ଉଠିବା ସୁନିଶ୍ଚିତ; ପ୍ରାୟ ୭୨% ଆମେରିକୀୟ ଏଥି ଜନିତ ଆର୍ଥିକ ବିଭୀଷିକା ନେଇ ସଂତ୍ରସ୍ତ; ସେଠାରେ ଉଚ୍ଚଶିକ୍ଷା ବ୍ୟୟ ମାତ୍ରାଧିକ ହେବା ସହିତ ଆୟରେ ଘଟିଥିବା ସଂକୋଚନ ହେତୁ ପ୍ରାୟ ୧.୮ ନିୟୁତ ଆମେରିକୀୟ ଛାତ୍ର ଶିକ୍ଷା ଋଣର ଗୋଟିଏ କିସ୍ତି ମଧ୍ୟ ପରିଶୋଧ କରିପାରି ନାହାନ୍ତି; ସଂପ୍ରତି ୧୮% ଆମେରିକୀୟଙ୍କ ବୟସ ୬୫ ବର୍ଷରୁ ଅଧିକ ଏବଂ ୫୦%ଙ୍କ ବୟସ ୪୦ ବର୍ଷ ଉପରେ, ଯଦ୍ଦ୍ୱାରା ଆମେରିକାର ଉତ୍ପାଦନଶୀଳତା ମଧ୍ୟ ପ୍ରଭାବିତ ହେଉଛି।

ଏଣେ ଅଧିକରୁ ଅଧିକ ଆମେରିକୀୟ ବେକାର ହୋଇ ସାମାଜିକ ସୁରକ୍ଷାର ଛତ୍ର ତଳେ ଭିଡ ଜମାଉଥିବାରୁ ସେହି ବ୍ୟୟ ତୁଲାଇବା ଲାଗି ସ୍ୱଚ୍ଛଳଙ୍କ ଉପରେ ଟିକସର ବୋଝ ବୃଦ୍ଧି ପାଇବାରେ ଲାଗିଛି। ମୋଟ ଉପରେ ଆମେରିକାର ଦୁର୍ବଳତା ଅଧିକରୁ ଅଧିକ ପରିଦୃଶ୍ୟ ହେବାରେ ଲାଗିଛି। ଏବଂ ଏଭଳି ସ୍ଥଳେ ନିଜକୁ ଏକ ଅସଂଲଗ୍ନ ଦ୍ୱୀପରେ ପରିଣତ କରି ଦେଇଥିବା ଆମେରିକା ନିଃସଙ୍ଗ ଭଳି ମଧ୍ୟ ଦିଶୁଛି।

ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ‘ରାଇସେନା ଡାଇଲଗ୍‌ସ’ରେ ଅଂଶ ଗ୍ରହଣ କରିବା ସକାଶେ ଭାରତ ଆସିଥିବା ଆମେରିକାର ଜନେ?କ ମନ୍ତ୍ରୀ ଖ୍ରୀଷ୍ଟଫୋର ଲାନ୍‌ଡୋ କହିବା ଶୁଣିବାକୁ ମିଳିଥିଲା ଯେ ଆମେରିକାକୁ ଅତିକ୍ରମ କରିବାର ସୁଯୋଗ ଭାରତକୁ ଦିଆଯିବ ନାହିଁ; ଯେଉଁ ଭୁଲ୍‌ ଚୀନ ସହିତ ହୋଇଛି ଆମେରିକା ତା’ର ପୁନରାବୃତି କରିବ ନାହିଁ। ଲାନ୍‌ଡୋ ମହାଶୟ କିଭଳି ଅନ୍ତର୍‌ଦୃଷ୍ଟି-ବାଧିତ ତାହା ଏହି ମନ୍ତବ୍ୟରୁ ସ୍ପଷ୍ଟ। ଲାନ୍‌ଡୋଙ୍କୁ ପଚରାଯିବା ଉଚିତ ଯେ ଆମେରିକା ଚୀନକୁ ସୁଯୋଗ ଦେଇଥିଲା ନା ଆମେରିକାର ଅପରିଣାମଦର୍ଶିତା ହେତୁ ଚୀନ ଲଂଫ ପ୍ରଦାନ କରିବାର ସୁଯୋଗ ପାଇଲା? ଏହାର ଅର୍ଥ ଭାରତ ତା’ର ଧ୍ୟେୟରେ ନିରବତାର ସହ ଅଟଳ ରହିଲେ କୌଣସି ଶକ୍ତି ତାହାର ପ୍ରାପ୍ତି ପଥରେ ପ୍ରତିବନ୍ଧକ ହୋଇପାରିବ ନାହିଁ।

ଖ୍ରୀଷ୍ଟୋଫର ଲାନ୍‌ଡୋ ହେଉଛନ୍ତି ଆମେରିକାର ଶାସନରେ ଅଧିଷ୍ଠିତ ଗର୍ବୀ ନେତାମାନଙ୍କ ଜଣେ ପ୍ରତିନିଧି, ଯିଏ ଆମେରିକାର ଅସ୍ତାଚଳ ଗମନକୁ ଏ ଯାଏ ଦେଖି ପାରି ନାହାନ୍ତି। ହୁଏତ ଫରିଦ ଜାକାରିଆ ବା ଆଲଫ୍ରେଡ୍‌ ମକ୍‌କୟଙ୍କ ଭଳି ବିଦ୍ୱାନଙ୍କ ବିଚାରକୁ କର୍ଣ୍ଣପାତ କଲେ ଦୃଷ୍ଟି ସ୍ପଷ୍ଟ ହୁଅନ୍ତା। ସେ ସମୟ ଏବେ ମଧ୍ୟ ଅଛି, ଯଦ୍ଦ୍ୱାରା ଆମେରିକାର ଅବକ୍ଷୟ ମନ୍ଥର ହୁଅନ୍ତା। କିନ୍ତୁ, ଥରେ ଗୋଧୂଳି ବେଳ ଗଡିଗଲେ ସ୍ପଷ୍ଟ ଦେଖିବାର ସୁଯୋଗ ମଧ୍ୟ ମିଳିବ ନାହିଁ।