ନାଟକର ଅନ୍ୟ ନାମ କ୍ରିକେଟ୍‌

ନିକଟ ଅତୀତରେ ଭାରତ ପୁରୁଷ ଟି-୨୦ ବିଶ୍ୱକପ୍‌ ….

ନିକଟ ଅତୀତରେ ଭାରତ ପୁରୁଷ ଟି-୨୦ ବିଶ୍ୱକପ୍‌ ଜିଣିବା ନିଶ୍ଚୟ ଆନନ୍ଦର ବିଷୟ। ପଡିଆରେ ମୁଷ୍ଟିମେୟଙ୍କ ଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଖୋଲାଖୋଲି ପ୍ରଦର୍ଶନ ନେଇ ଭିନ୍ନ ମତ ପ୍ରକାଶ ପାଉଛି। କ୍ରୀଡାରେ ଯଶ, ଧନ ଓ ଗ୍ଲାମର ମାତ୍ରାଧିକ ଗୁରୁତ୍ୱ ପାଇଲେ କ’ଣ ହୁଏ ତାହା ଇମ୍ରାନ ଖାଁଙ୍କ ଜୀବନ ଇତିହାସରେ ପ୍ରତିଫଳିତ, ଯାହାର କେତୋଟି ବିନ୍ଦୁ ହେଲା ତାଙ୍କ ଅକ୍‌ସଫୋର୍ଡ ପଢ଼ା, ପ୍ଲେବୟ ଭାବମୂର୍ତି, ନିଜ ଦେଶର କ୍ରିକେଟ୍‌ ଅଧିନାୟକ ସାଙ୍ଗକୁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ଏବଂ କାରାବରଣ। ମଣିଷକୁ ଓ ମଣିଷମାନଙ୍କୁ ନେଇ ଗଠିତ ସମାଜକୁ ବୁଝିବାରେ ବେଶ୍‌ ସହାୟକ ହୋଇଥାନ୍ତି ଧର୍ମ, ବିଜ୍ଞାନ, ପ୍ରଯୁକ୍ତି, ରାଜନୀତି, ଚଳଚ୍ଚିତ୍ର, ସଂଗୀତ, ସାହିତ୍ୟ, ସ୍ଥାପତ୍ୟ, ସଂସ୍କୃତି ଓ ଚିତ୍ରକଳା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ତଥା ମାଧ୍ୟମ।

ସେମିତିଆ ମୋଟାମୋଟି ଆଉ ଏକ କ୍ଷେତ୍ର ବା ମାଧ୍ୟମ ହେଉଛି ଖେଳ। ସେଇ କ୍ରୀଡା ଜଗତର କ୍ରିକେଟ୍‌ ବିଷୟ ନିଆଯାଉ। ୧୯୬୩ ମସିହାର କଥା। ସେଇ ବର୍ଷ ପ୍ରକାଶ ପାଇଥିଲା ଏକ ବହୁଚର୍ଚ୍ଚିତ ପୁସ୍ତକ ‘ବିୟଣ୍ଡ୍‌ ଏ ବାଉଣ୍ଡେରି’ ଯାହାର ଲେଖକ ଥିଲେ ୱେଷ୍ଟଇଣ୍ଡିଜ ପତ୍ରକାର, ଐତିହାସିକ, କର୍ମୀ ଓ ମାର୍କ୍ସବାଦୀ ବିଦ୍ୱାନ ସି. ଏଲ୍‌. ଆର୍‌. ଜେମ୍‌ସ। ସେଥିରେ ତାଙ୍କର ଏକ ସ୍ୱାକ୍ଷର ଓ ବାରମ୍ବାର ଉଦ୍ଧୃତ ବକ୍ତବ୍ୟ ଥିଲା ଏଇଆ- ସେମାନେ କ୍ରିକେଟ୍‌ ବାବଦରେ କ’ଣ ଜାଣନ୍ତି ଯେଉଁମାନେ ଖାଲି କ୍ରିକେଟ୍‌ ଜାଣନ୍ତି! ସିଏ ଆହୁରି ଲେଖିଛନ୍ତି- କ୍ରିକେଟ୍‌ ଏକ ମଂଚ ନାଟକ, ନୃତ୍ୟ, ଯାତ୍ରା ଓ ବାଲେ। ତାହା ମୂଳତଃ ଏକ ନାଟକୀୟ ଦୃଶ୍ୟ ଓ ପରିବେଷଣ। ଜଣେ କ୍ରିକେଟ୍‌ ଖେଳାଳି କେବଳ ନିଜ ପକ୍ଷର ପ୍ରତିନିଧିତ୍ୱ କରୁ ନଥାନ୍ତି।

ଖେଳିବା ମୁହୂର୍ତରେ ସିଏ ନିଜେ ହିଁ ନିଜ ଦଳ ବା ପକ୍ଷ ପାଲଟି ଯାଆନ୍ତି। ଜେମ୍‌ସ ପୁସ୍ତକଟି ସମ୍ବନ୍ଧରେ କହିଥିଲେ ଯେ ତାହା କ୍ରିକେଟ୍‌କୈନ୍ଦ୍ରିକ ସ୍ମୃତିଲିପି କିମ୍ବା ଆତ୍ମକାହାଣୀ ଧରଣର ନୁହେଁ। କାରଣ, କ୍ରିକେଟ୍‌ ପଡିଆର ନିର୍ଦ୍ଧାରିତ ସୀମାୟତନ ଭିତରେ ଯାହା ଘଟେ ତାହା ବାହାରର ଜୀବନକୁ ମଧ୍ୟ ପ୍ରଭାବିତ କରେ। ସେମିତି ବାହାରେ ଯାହା ଘଟୁଥାଏ ତାହା କ୍ରିକେଟ୍‌ ପଡିଆରେ ଓ ଖେଳରେ ବି ପ୍ରତିଫଳିତ ହୁଏ। ଜେମ୍‌ସଙ୍କ ମତରେ ରାଜନୀତି ଭିତରକୁ ତାଙ୍କୁ ନେଇ ନିମଗ୍ନ କରିଦେଇଥିଲା କ୍ରିକେଟ୍‌ ଏବଂ ଯେତେବେଳେ ସିଏ ରାଜନୀତି ଆଡକୁ ସଚେତନ ଭାବେ ଢଳିଥିଲେ ସେତେବେଳେ ସେଠୁ ତାଙ୍କର ସେତେ ଅଧିକ କିଛି ଶିଖିବାର ନ ଥିଲା। ଜଣେ କ୍ରିକେଟ୍‌ ଖେଳାଳି, ଭାଷ୍ୟକାର ଓ ଲେଖକ ଭାବେ ସିଏ ଜାଣିଥିଲେ କ୍ରିକେଟ୍‌ କେମିତି ଜାତୀୟ ସଂସ୍କୃତି ତିଆରି କରେ ଏବଂ କ୍ରିକେଟ୍‌ ବାଟେ କିଭଳି ଶିକ୍ଷା, ପରିବାର, ବର୍ଣ୍ଣ, ଶ୍ରେଣୀ ଓ ଉପନିବେଶବାଦ ଆଦିର ତର୍ଜମା କରିହେବ।

ଅନେକ ଜେମ୍‌ସଙ୍କୁ ଇଂଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଓ ଆମେରିକାର ରାଷ୍ଟ୍ରପତି ରୁଜଭେଲ୍‌ଟଙ୍କ କାଟର ଜଣେ ଅସାଧାରଣ ବାଗ୍ମୀର ମାନ୍ୟତା ଦିଅନ୍ତି। ଜେମ୍‌ସଙ୍କ ପ୍ରଚେଷ୍ଟାରେ ଫ୍ରାଙ୍କ ଓରେଲ ୱେଷ୍ଟଇଣ୍ଡିଜର ପ୍ରଥମ କୃଷ୍ଣକାୟ କ୍ରିକେଟ୍‌ ଅଧିନାୟକ ହୋଇପାରିଥିଲେ। ଆଶା କରାଯାଉଥିଲା ସ୍ୱତନ୍ତ୍ର ଦ୍ୱୀପ ଦେଶ ଓ ଆଶ୍ରିତ କ୍ଷେତ୍ରମାନଙ୍କୁ ନେଇ ତିଷ୍ଠି ଆସିଥିବା ୱେଷ୍ଟଇଣ୍ଡିଜ ଏକ ପ୍ରକୃତ ସଂଘୀୟ ରାଷ୍ଟ୍ରରେ ପରିଣତ ହେବ। ତାହା ସମ୍ଭବ ହେଲାନି। ସେଇ ୧୯୬୩ରେ, ଯେଉଁ ବର୍ଷ ଜେମ୍‌ସଙ୍କ ଆଲୋଚ୍ୟ ପୁସ୍ତକ ଆତ୍ମପ୍ରକାଶ କରିଥିଲା, ତଥାକଥିତ ୱେଷ୍ଟଇଣ୍ଡିଜ ଫେଡେରସନ ଭାଙ୍ଗିଗଲା। ସେତେବେଳେ ଜେମ୍‌ସ କହିଥିଲେ: ଆମକୁ ସଂଘୀୟ, ଫେଡେରାଲ କରିଛି ଅସଲରେ କ୍ରିକେଟ୍‌।

ବ୍ରାଜିଲ ପାଇଁ ଫୁଟ୍‌ବଲ୍‌ ଯାହା ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ୍‌ ତାହା। ‘ସାମ୍ବା’ ବ୍ରାଜିଲରେ ତ ‘କାଲିପ୍‌ ସୋ’ ୱେଷ୍ଟଇଣ୍ଡିଜରେ। ଏକଦା କ୍ରିକେଟ୍‌ର ବୃହତ୍‌ ଶକ୍ତି କହିଲେ ୱେଷ୍ଟଇଣ୍ଡିଜକୁ ବୁଝାଯାଉଥିଲା। କ୍ରିକେଟ୍‌ ଖେଳାଳି ଓ ଅନୁରାଗୀ ଜନସାଧାରଣଙ୍କ ସଂପର୍କ ଅତି ଘନିଷ୍ଠ ତଥା ଏକାତ୍ମ ହୋଇପାରିଥିଲା କ୍ରିକେଟ୍‌ ଯୋଗୁଁ, ଯାହା ଫଳରେ ସର୍ବନିମ୍ନ ସମ୍ବଳ ସତ୍ୱେ ସର୍ବାଧିକ ସଫଳତା ମିଳିପାରିଥିଲା। କ୍ରିକେଟ୍‌ ଏକ ଅସ୍ମିତା ଅଠାର କାମ ଦେଇଥିଲା ୱେଷ୍ଟଇଣ୍ଡିଜର ଦ୍ୱୀପ ଓ କ୍ଷେତ୍ରମାନଙ୍କ ଭିତରେ। ସ୍ଥିର ହେଲା ଯିଏ ଯେଉଁ ସ୍ୱତନ୍ତ୍ର ଦ୍ୱୀପର ହେଉ ପଛକେ କ୍ରିକେଟ୍‌ ଖେଳିଲା ବେଳେ କେହି କାହାକୁ ରନ୍‌ ଆଉଟ୍‌ କରିବେନି। ଉଭୟ ସାଲାଡ ଓ ସରବତର ଉପକାରିତା ତଥା ଉପଯୋଗିତା ସେମାନେ ମନେ ରଖିବେ।

ଏମିତି ଆଉ କେଉଁ ଠିକଣା ଅଛି ଯେଉଁଠୁ ସମ୍ଭବ ହୋଇଛନ୍ତି ଭିଭିଆନ ରିଚାର୍ଡସ୍‌, ବ୍ରିଆନ ଲାରା, ଗ୍ୟାରି ସୋବର୍ସ, ଲାନ୍‌ସ ଗିବ୍‌ସ, ରୋହଣ କହ୍ନାଇ, କ୍ଲାଇବ ଲଏଡ, ମାଇକେଲ ହୋଲ୍‌ଡିଂ, ମାଲକମ ମାର୍ଶାଲ, ଆଣ୍ଡି ରବର୍ଟସ୍‌, ଜୁଏଲ ଗାର୍ଣ୍ଣର, ଆମ୍ବ୍‌ରୋଜ, ୱାଲ୍‌ସ, ଦେଶମଣ୍ଡ ହେନ୍‌ସ ଓ ଗର୍ଡନ ଗ୍ରିନିଜ ପ୍ରଭୃତିଙ୍କ ଭଳି ଖେଳାଳି କହ୍ନାଇ ଥରେ କହିଥିଲେ- କ୍ରିକେଟ୍‌ ତାଙ୍କ ପାଇଁ ଅବସର ବିନୋଦନ ନୁହେଁ; ତାହା ଅମ୍ଳଜାନ। ରିଚାର୍ଡସ୍‌ଙ୍କ ଚାଲି, ଠାଣି ଓ ଚିୟୁଙ୍ଗମ ଚୋବାକୁ ଜଣେ ଉପେକ୍ଷା କରିପାରେ। ହେଲେ ତାଙ୍କ ବ୍ୟାଟିଂର ଦର୍ପ, ସାହସ, ସନ୍ଦେଶ ଓ ପରାକ୍ରମ କେହି ଭୁଲିପାରିବେନି। ଲାରାଙ୍କ ଶୈଳୀ ଓ ଲାବଣ୍ୟ ତ ମହାନ ଚିତ୍ରଶିଳ୍ପୀଙ୍କ କଳାନୈପୁଣ୍ୟକୁ ବଳିଯିବ। ନୋବେଲ ବିଜେତା ଭି. ଏସ୍‌. ନାଇପଲ ସହଜରେ ଅନ୍ୟ କାହାର ଲେଖାରେ ଭଳି ଯାଆନ୍ତିନି। କିନ୍ତୁ ସେଇ ନାଇପଲ ଅଭିଭୂତ ହୋଇ ଜେମ୍‌ସଙ୍କ ‘ବିୟଣ୍ଡ୍‌ ଏ ବାଉଣ୍ଡେରି’ ବହିକୁ ଏକ ଚମତ୍କାର ଓ ପୂର୍ଣ୍ଣାଙ୍ଗ କୃତି ଭାବେ ପରିଗଣିତ କରିଥିଲେ।

କ୍ରୀଡା ସାହିତ୍ୟ ଅବଗତ ସଭିଏଁ ଅବଶ୍ୟ ସ୍ୱୀକାର କରିବେ ଯେ ଜେମ୍‌ସଙ୍କ ପୁସ୍ତକ ଭଳି ଫୁଟ୍‌ବଲ୍‌କୁ ନେଇ ଏକ ଅତି ପ୍ରଭାବଶାଳୀ ବହି ହେଉଛି ଉରୁଗୁଏର ଐତିହାସିକ, ପତ୍ରକାର, ଲେଖକ ଓ କର୍ମୀ ଏଡୁଆର୍ଡ ଗାଲିଆନୋଙ୍କ ରଚିତ ‘ଫୁଟ୍‌ବଲ୍‌ ଇନ୍‌ ସନ୍‌ ଆଣ୍ଡ୍‌ ସ୍ୟାଡୋ’ (୧୯୯୫)। ଏ ପୁସ୍ତକ ଦ୍ୱୟର ମାନ ଓ ଆକର୍ଷଣ ଏମିତି ଯେ କୁହାଯାଏ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ସମସ୍ତେ ଖେଳି ନ ପାରନ୍ତି; ହେଲେ ଏ ବହି ଦୁଇଟି ନ ପଢ଼ିଲେ ଚଳିବନି ଏବଂ ପଢ଼ିଲେ ନ ଖେଳିବା ଜନିତ ଗ୍ଳାନି ସାଙ୍ଗେ ସାଙ୍ଗେ ଦୂର ହୋଇଯିବ।

କେତେଜଣ ଭାରତୀୟ ଲେଖକ ମଧ୍ୟ ଅତି ଉକ୍ରୃଷ୍ଟ କ୍ରିକେଟ୍‌ ସାହିତ୍ୟର ସର୍ଜନା କରିଛନ୍ତି ଏବଂ ସେମାନଙ୍କ ଭିତରେ ଅନ୍ତର୍ଭୁକ୍ତ ରାମଚନ୍ଦ୍ର ଗୁହା, ସୁଜିତ ମୁଖାର୍ଜୀ, ଡମ୍‌ ମୋରେସ, ବୋରିଆ ମଜୁମଦାର, ରାହୁଳ ଭଟ୍ଟାଚାର୍ଯ୍ୟ, ମୁକୁଳ କେଶବନ୍‌, ସମ୍ବିତ ବଳ, ନିର୍ମଳ ଶେକର, ଶାରଦା ଭଗ୍ରା। ମୁଖାର୍ଜୀ ଠାଏ ଲେଖିଥିଲେ: ଯେତେ କ୍ରିକେଟ୍‌ ଦେଖିଲେ କ’ଣ ହେବ, ଜଣେ ନିଜେ ଖେଳିଥିବା କ୍ରିକେଟ୍‌ – ତାହା ଯେଉଁ ସ୍ତରର ହୋଇଥାଉ ପଛକେ – ଠାରୁ ବଳି ସ୍ମରଣୀୟ ଆଉ କିଛି ନାହିଁ! କବି ଓ ପତ୍ରକାର ଡମ୍‌ ମୋରେସଙ୍କ ଗାଭାସ୍କର ଆକଳନର ସର୍ବଦା ଉଲ୍ଲେଖ କରାଯାଏ। ସିଏ ଲେଖିଥିଲେ ଗାଭାସ୍କରଙ୍କ ଢଳିଢଳି ଚାଲି, ଢିଲା ଧଳା ଟୋପି, ହାତୀ କେଶର କଡ଼ା ଓ ସୁନାର ବେକହାର ସାଙ୍ଗକୁ ସନ୍ତୁଳିତ ଶରୀର ସମ୍ବନ୍ଧରେ ଯାହାଙ୍କ ବ୍ୟାଟ୍‌ ବଲ୍‌କୁ କଭରର ବାମ ତଥା ଡାହାଣ ପଟେ ରକେଟ ବେଗରେ ସିଧା ସୀମା ବାହାରକୁ ପଠେଇଦିଏ। ଲେଖା ପ୍ରସ୍ତୁତ କରିବା ପାଇଁ ଡମ୍‌ ମୋରେସ ଯାଇଥିଲେ ବମ୍ବେର ଦାଦର ଅଂଚଳକୁ ଯେଉଁଠି ସିଏ ଭେଟି କଥା ହୋଇଥିଲେ ଗାଭାସ୍କରଙ୍କ ପିଲାଦିନର ସାଙ୍ଗମାନଙ୍କ ସହ।

ବିଶିଷ୍ଟ ଔପନ୍ୟାସିକ ଆର୍‌. କେ. ନାରାୟଣଙ୍କ ଉପନ୍ୟାସ ‘ସ୍ୱାମୀ ଆଣ୍ଡ୍‌ ଫ୍ରେଣ୍ଡ୍‌ସ’ (୧୯୩୫)ର ପ୍ରଚ୍ଛଦ ଚିତ୍ରରେ ଅଛି ଜଣେ ଚରିତ୍ରଙ୍କ ଛବି ଯିଏ ହାତରେ ବ୍ୟାଟ୍‌ ଧରିଛନ୍ତି। ଉପନ୍ୟାସର ଚରିତ୍ର ଅନ୍ୟ କ୍ରିକେଟ୍‌ ଖେଳାଳିଙ୍କ ଭିତରେ ଡୋନାଲ୍‌ଡ ବ୍ରାଡମ୍ୟାନଙ୍କୁ ଓ ଦୁଲିପ ସିଂହଜୀଙ୍କୁ ଜାଣିଥିଲେ। କିଂବଦନ୍ତି କାଳ୍ପନିକ ସ୍ଥାନ ମାଲ୍‌ଗୁଡିର ସେମାନେ ଏମ୍‌.ସି.ସି. ଗଢ଼ିଥିଲେ- ମେରିଲବୋନ ନୁହେଁ, ମାଲ୍‌ଗୁଡି କ୍ରିକେଟ୍‌ କ୍ଲବ୍‌।

ପ୍ରଥମ ଥର ପାଇଁ ଭାରତ ୧୯୮୩ ମସିହାରେ ବିଶ୍ୱକପ୍‌ କ୍ରିକେଟ୍‌ ଜିତିଥିଲା। ସେ ବିଜୟ ପାଇଁ କପିଳ ଦେବଙ୍କ ସର୍ବଗୁଣସଂପନ୍ନ ପ୍ରଦର୍ଶନ ପ୍ରମୁଖ ଭୂମିକା ନିର୍ବାହ କରିଥିଲା, ଯାହା ଭିତରେ ସାମିଲ ଜିମ୍ବାୱେ ବିରୋଧରେ ଅପରାଜିତ ୧୭୫, ଫାଇନାଲରେ ଅନେକ ଦୂର ଦୌଡି ଦୌଡି ରିଚାର୍ଡସ୍‌ଙ୍କ ଅସମ୍ଭବ ମନେ ହେଉଥିବା କ୍ୟାଚ୍‌ ନେବା ଏବଂ ତାଙ୍କ ପ୍ରେରଣାଦାୟୀ ଅଧିନାୟକତ୍ୱ, ଯାହା କହୁଥିଲା ନେତୃତ୍ୱ ମାନେ ଉପରେ ନୁହେଁ ସହିତ ଆଉ ଆଗରେ ରହିବା। ସେହି କପିଳ ଦେବ ଥରେ ଗଣମାଧ୍ୟମ ଉପସ୍ଥିତିରେ ଆବେଗ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ ଏବଂ ଆରୋପକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟୀକରଣରେ କହିଥିଲେ- ମରିଯିବି ପଛେ ଜୀବନରେ କେବେ ଠକାଠକି କି ଗୁନ୍ଦୁରା ଗୁନ୍ଦୁରି କରିବିନି। କରିନି ମଧ୍ୟ। ହରିଆଣା ହରିକେନ ଭାବେ ଖ୍ୟାତ କପିଳ ଦେବ ବମ୍ବେ, ଦିଲ୍ଲୀ, କଲିକତା, ମାନ୍ଦ୍ରାଜ କି ବାଙ୍ଗାଲୋରରୁ ନ ଥିଲେ।

ସେଭଳି ମହାନଗରୀ ପରିସର ବାହାରୁ, ସିଏ ଥିଲେ ଚଣ୍ଡୀଗଡରୁ, ଯେମିତି ଧୋନୀ ଥିଲେ ରାଂଚିରୁ। ଯେତେବେଳେ ଗତ ବର୍ଷ ଭାରତୀୟ ମହିଳା ଦଳ ବିଶ୍ୱକପ୍‌ ମହିଳା କପ୍‌ ଜିଣିଲେ ସେତେବେଳେ କୁହାଯାଇଥିଲା ଯେ ତାହା ହେଉଛି ଭାରତୀୟ ମହିଳା କ୍ରିକେଟ୍‌ ଇତିହାସରେ ୧୯୮୩ ସମ ମୁହୂର୍ତ। ସେ ଟୁର୍ନାମେଂଟରେ ଦଳକୁ ସେମିଫାଇନାଲରେ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜେମିମା ରୋଡ୍ରିଗ୍‌ସ କହିଥିଲେ- ମୁଁ ବ୍ୟାଟିଂ କରି ଶତକ ଲାଭ ପ୍ରକ୍ରିୟାରେ ମୋ ସହ ଥିଲେ ଭଗବାନ। କିଛି ବର୍ଷ ପୂର୍ବେ ମହିଳା କ୍ରିକେଟ୍‌ ଖେଳିଥିବା ମିତାଲି ରାଜ୍‌ ଓ ଝୁଲଣ ଗୋସ୍ୱାମୀଙ୍କୁ ଯଥାକ୍ରମେ ତେନ୍ଦୁଲକର ଓ କପିଳଦେବଙ୍କ ସ୍ତରର କୁହାଯାଏ। ଆହୁରି ଆଗରୁ ଭାରତୀୟ ମହିଳା କ୍ରିକେଟ୍‌ରେ ନିଅଁ ସୁଦୃଢ଼ କରିଥିଲେ ଶାନ୍ତା ରଙ୍ଗାସ୍ୱାମୀ ଓ ଡାଏନା ଲଦୁଲ୍‌ଜୀ ପ୍ରମୁଖ।

ଅନେକ ଦୁଃସ୍ଥିତି ଦେଇ ଯାଇଛି ଭାରତୀୟ ମହିଳା କ୍ରିକେଟ୍‌- ଦିନ ଥିଲା ଖେଳାଳିମାନେ ଡରମିଟୋରିର ଚଟାଣରେ ଶୋଉଥିଲେ, ନିଜ ଗଣ୍ଠିଲିପତ୍ର ନିଜେ ବୋହୁଥିଲେ ଗୋଟିଏ ହାତରେ ଓ ଅନ୍ୟ ହାତରେ ବ୍ୟାଟ୍‌-ବଲ୍‌-ଆନୁଷଙ୍ଗିକ ସରଞ୍ଜାମ ଏବଂ ଅସଂରକ୍ଷିତ ଟ୍ରେନ୍‌ ଡବାରେ ଯାତ୍ରା କରୁଥିଲେ। କୋଚ୍‌ ଅମୋଲ ମଜୁମଦାରଙ୍କ ଗୋଟିଏ ଗୁରୁମନ୍ତ୍ର ଅସାଧ୍ୟ ସାଧନ କରିଦେଲା- ମାତ୍ର ଗୋଟିଏ ଅଧିକା ରନ୍‌ ଦରକାର ପ୍ରତିପକ୍ଷର ମୋଟ ରନ୍‌ସଂଖ୍ୟା ଠାରୁ। ନେଲସନ ମାଣ୍ଡେଲା, ଦେସମଣ୍ଡ ଟୁଟୁ ଓ ତେମ୍ବା ବାଭୁମା ହେଉଛନ୍ତି ଦକ୍ଷିଣ ଆଫ୍ରିକାର ତିନି ଲୋକପ୍ରତିମା। ସେମାନଙ୍କ କ୍ଷେତ୍ର ଅବଶ୍ୟ ଅଲଗା ଅଲଗା, ଯଥାକ୍ରମେ ରାଜନୀତି, ଧର୍ମ ଓ ଖେଳ। ତିନିହେଁ ସେଇ ଏକା ପ୍ରଜାତିକ ଗୋଷ୍ଠୀର- ଝୋସା।

ମାଣ୍ଡେଲା ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି, ଟୁଟୁ ପ୍ରଥମ କୃଷ୍ଣକାୟ ବିଶପ୍‌ ଓ ବାଭୁମା ପ୍ରଥମ କୃଷ୍ଣକାୟ କ୍ରିକେଟ୍‌ ଅଧିନାୟକ। ସିଏ ପ୍ରଥମ ଦକ୍ଷିଣ ଆଫ୍ରିକୀୟ କୃଷ୍ଣକାୟ କ୍ରିକେଟ୍‌ ଖେଳାଳି ଯିଏ କି ଶତକ ହାସଲ କରିଥିଲେ।
ତାଙ୍କୁ କେହି କେହି କ୍ରିକେଟ୍‌ ପଡିଆର ମାଣ୍ଡେଲା କହନ୍ତି। ‘ତେମ୍ବା’ ମାନେ ଆଶା ଓ ଆସ୍ଥା। କହିବା ବାହୁଲ୍ୟ ୱଲର୍ଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଜିଣିବାରେ (୨୦୨୫) ତେମ୍ବା ବାଭୁମାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।