ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ବିଜୁ ଜନତା ଦଳ (ବିଜେଡି)କୁ ଫେରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଉଭୟଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ ସାଂଗଠନିକ କାର୍ଯ୍ୟ ବ୍ୟାପକ କରିବାକୁ ପରାମର୍ଶ ଦେଇ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜବୁତ ହେବ।
ଅପରପକ୍ଷରେ, ବିଜେଡିରେ ସେମାନଙ୍କୁ ଗ୍ରହଣ କରିଥିବାରୁ ଶ୍ରୀ ମହାନ୍ତି ଓ ଶ୍ରୀ ଦାସ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଜିଲ୍ଲାର ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେମାନେ କାମ କରିବେ ବୋଲି ଘୋଷଣା କରିଥିଲେ।
ଏହି ମିଶ୍ରଣ ପର୍ବରେ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଗଣ ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର, ଅରୁଣ ସାହୁ, ମାଧବ ଧଡା, ଗୌତମ ବୁଦ୍ଧ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ସୁକାନ୍ତ ନାୟକ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କ ସମେତ ଜିଲ୍ଲାର ବିଜେଡି ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରଘୁନାଥ ମହାନ୍ତି ବିଜେଡି ସରକାରରେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରେ ଉଭୟ ବିଜେପିରେ ଯୋଗ ଦେଇଥିଲେ। ନିକଟରେ, ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପିରୁ ଇସ୍ତଫା ଦେଇଥିଲେ।