ଗୁଆହାଟୀ: ଆସାମରେ ବିଧାନସଭା ନିର୍ବାଚନରେ ନବୀନ ପିଢ଼ି ପରିବର୍ତନର ବାର୍ତାବହ ହୋଇପାରନ୍ତି। ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଛଅଲକ୍ଷରୁ ଅଧିକ ଯୁବ ଭୋଟର ପ୍ରଥମ ଥର ମତଦାନ କରିବେ। ସେମାନେ ରାଜ୍ୟରେ ଜେନ୍-ଜି ଯୁବ ଚେହେରାଙ୍କୁ ଚୟନ କରିବେ। ରାଜ୍ୟ ରାଜନୀତିରେ ବୃଦ୍ଧି ପାଉଥିବା ଜେନ୍-ଜିଙ୍କ ପ୍ରଭାବ ନୂଆ ସମୀକରଣ ସୃଷ୍ଟି କରିବା ଆଶା କରାଯାଏ। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ୩୪ ବର୍ଷ ବୟସ ପର୍ଯ୍ୟନ୍ତ ଯୁବବର୍ଗ ପ୍ରାର୍ଥୀଙ୍କୁ ବହୁ ସଂଖ୍ୟକ ଟିକେଟ୍ ଦେଇଛନ୍ତି। ଏହା କେବଳ ଯୁବ ମୁହଁର ଉପସ୍ଥିତି ନୁହେଁ, ବରଂ ଜେନ୍-ଜି ତଥା ନୂତନ ଯୁଗର ନେତୃତ୍ୱର ଆବିର୍ଭାବ କରିବ ବୋଲି ଚର୍ଚ୍ଚା ହେଉଛି।
ରାଜ୍ୟ ରାଜନୀତି ଏବେ ବଂଶାନୁକ୍ରମିକ ଶାସନକୁ ମୂଳପୋଚ୍ଛ କରିବା ସ୍ଥିତିରେ ଅଛି। ପ୍ରାର୍ଥୀଙ୍କ ଯୋଗ୍ୟତା, ଶିକ୍ଷା ଏବଂ ତୃଣମୂଳ ସ୍ତରର ସଂଯୋଗ ଆଡ଼କୁ ଗତି କରୁଥିବା ପରି ମନେ ହେଉଛି। ଏହି ନୂଆ ମୁହଁଗୁଡ଼ିକ ରାଜନୈତିକ ପରିବାରରୁ ନୁହଁନ୍ତି, ନା ସେମାନେ ପ୍ରମୁଖ ନେତାଙ୍କ ପୁଅ କିମ୍ବା ଝିଅ, ନା ସେମାନେ ପାରମ୍ପରିକ କ୍ଷମତା ଗଠନର ଅଂଶ ନୁହନ୍ତି। ସେମାନେ ଛାତ୍ର ଆନ୍ଦୋଳନ, ସାମାଜିକ କାର୍ଯ୍ୟ ଏବଂ ବୃତିଗତ ଅଭିଜ୍ଞତା ମାଧ୍ୟମରେ ଏହି ପଦବୀରେ ପହଂଚିଛନ୍ତି। ଏପରି ନେତାମାନେ କେବଳ ସ୍ଲୋଗାନ ଦେଇ ନୁହେଁ, ବରଂ ଅଭିଜ୍ଞତା ଏବଂ ପ୍ରସ୍ତୁତି ସହିତ ରାଜନୀତିରେ ପ୍ରବେଶ କରୁଛନ୍ତି।
ପରିବର୍ତନ କେବଳ ପ୍ରାର୍ଥୀଙ୍କଠାରେ ନୁହେଁ, ବରଂ ମାନସିକତାରେ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ରାଜନୈତିକ ଦଳଗୁଡ଼ିକ ଏବେ ବିଜୟ ପାଇଁ ନୂଆ ମୁହଁ ଏବଂ ନୂଆ ଶକ୍ତି ଉପରେ ବାଜି ଲଗାଉଛନ୍ତି। ଚା ବଗିଚାରୁ ବେକାରୀ ସ୍ୱର ଉଠିଛି। ମାର୍ଗେରିଟିର ରାଇଜୋର ଦଳ ପ୍ରାର୍ଥୀ ରାହୁଲ ଛେତ୍ରୀ, ଏକ ସାଧାରଣ ଚା ବଗିଚା ପୃଷ୍ଠଭୂମିରୁ ଆସିଛନ୍ତି। ଛାତ୍ର ଆନ୍ଦୋଳନ ମାଧ୍ୟମରେ ସେ ଉଠିଥିଲେ। ଡିବ୍ରୁଗଡ଼ ବିଶ୍ୱବିଦ୍ୟାଳୟର ସ୍ନାତକ, ରାହୁଲ ବେକାରୀ, ଶିକ୍ଷା ଏବଂ ଭିତିଭୂମିକୁ ନିର୍ବାଚନ ବିତର୍କର କେନ୍ଦ୍ରକୁ ଆଣିଛନ୍ତି।
ଛାତ୍ର ରାଜନୀତିରେ ନିଜର ଛାପ ସୃଷ୍ଟି କରିଥିବା ଜୁବୈର ଅନାମ ମଜୁମଦାର ଆଲଗାପୁର-କଟଲିଚେରାରୁ କଂଗ୍ରେସ ପ୍ରାର୍ଥୀ। ଯୁବ କଂଗ୍ରେସର ରାଜ୍ୟ ସଭାପତି ଜୁବୈର ଜଣେ ସ୍ପଷ୍ଟବାଦୀ ଏବଂ ଆକ୍ରମଣାତ୍ମକ ଯୁବନେତା ଭାବରେ ଉଭା ହୋଇଛନ୍ତି। ସେ ସାଂଗଠନିକ କାର୍ଯ୍ୟକଳାପ, ଡିଜିଟାଲ ପ୍ରସାର ଏବଂ ପ୍ରତିବାଦ ରାଜନୀତିରେ ତାଙ୍କର ସକ୍ରିୟ ଅଂଶଗ୍ରହଣକୁ ପ୍ରଦର୍ଶନ କରନ୍ତି।
ରାଇଜୋର ଦଳ ମାରିଆନିରୁ ଡାକ୍ଟର ଜ୍ଞାନଶ୍ରୀ ବୋରାଙ୍କୁ ମନୋନୀତ କରିଛି। ସେ ରାଜନୀତିରେ ପ୍ରବେଶ କରିବା ପାଇଁ ଏକ ସୁରକ୍ଷିତ କ୍ୟାରିୟର ଛାଡିଛନ୍ତି। ରସାୟନ ବିଜ୍ଞାନରେ ପିଏଚ୍ଡି କରିଥିବା ଜ୍ଞାନଶ୍ରୀ, କଲେଜ ଚାକିରି ଛାଡି ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସିଏଏ ବିରୋଧୀ ଆନ୍ଦୋଳନରେ ସକ୍ରିୟ ବ୍ୟକ୍ତି ଥିଲେ। ବେକାରୀ, ସ୍ୱାସ୍ଥ୍ୟସେବା ଏବଂ ମହିଳାମାନଙ୍କ ଅଂଶଗ୍ରହଣ ତାଙ୍କର ପ୍ରମୁଖ ପ୍ରସଙ୍ଗ। ବିଏଚ୍ୟୁରେ ପାଠପଢ଼ା ପରେ ଜିଲ୍ଲା ସ୍ୱୟଂଶାସିତ ପରିଷଦରେ ସକ୍ରିୟ ଥିବା ପାହାଡ଼ର ଆଦିବାସୀ ବ୍ୟକ୍ତି ରୂପାଲି ଲାଙ୍ଗଥାସା ଆଦିବାସୀ ସମାଜର ନୂତନ ପିଢ଼ିର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ଧ୍ୟାନ ଆଂଚଳିକ ବିକାଶ ଏବଂ ସାଂସ୍କୃତିକ ପରିଚୟକୁ ସନ୍ତୁଳିତ କରିବା ଉପରେ।
ବିଜେପି ହାଫଲଙ୍ଗରୁ ରୂପାଲିଙ୍କୁ ପ୍ରାର୍ଥୀ କରିଛି। ଆସାମ ଜାତୀୟ ପରିଷଦ ଟିକେଟରେ କେନ୍ଦ୍ରୀୟ ଗୌହାଟିରୁ ପ୍ରାର୍ଥୀ ହୋଇଥିବା କୁଙ୍କି ଚୌଧୁରୀ ବିଶ୍ୱ ଅଭିଜ୍ଞତା ଏବଂ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଆଲୋଚନାରେ ଆଣୁଛନ୍ତି। ଲଣ୍ଡନରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା କୁଙ୍କି ରାଜନୀତିରେ ପ୍ରବେଶ କରିବା ପାଇଁ କର୍ପୋରେଟ୍ କ୍ୟାରିୟର ଛାଡି ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ବ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି। ସେ ସଂଗଠନରୁ ଜଣେ ତୃଣମୂଳ ସ୍ତରରେ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇଛନ୍ତି।
ବିଜେପି ଗୋଲପାରା ପଶ୍ଚିମରୁ ପବିତ୍ର ରାଭାଙ୍କୁ ପ୍ରାର୍ଥୀ କରିଛି। ଛାତ୍ର ରାଜନୀତିରୁ ଆରମ୍ଭ କରି ଯୁବ ମୋର୍ଚ୍ଚାର ପଦପଦବୀ ଦେଇ ଆଗକୁ ବଢ଼ିବା ପରେ, ପବିତ୍ର ରାଭା ସଂଗଠନ ମାଧ୍ୟମରେ ନିଜର ପରିଚୟ ପ୍ରତିଷ୍ଠା କରିଥିଲେ। ତାଙ୍କର ଏଜେଣ୍ଡା ସ୍ଥାନୀୟ ବିକାଶ ଏବଂ ନିଯୁକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ମଧ୍ୟମ ବର୍ଗର ପ୍ରତିନିଧିତ୍ୱ କରୁଥିବା ଡେଭିଡ୍ ଟି. ଫୁକାନଙ୍କୁ କଂଗ୍ରେସ ତିନିସୁକିଆରୁ ପ୍ରାର୍ଥୀ କରିଛି। ପରିଚାଳନା ପାଠପଢ଼ା କରିଥିବା ଏବଂ ସାମାଜିକ କାର୍ଯ୍ୟରେ ଜଡିତ ଫୁକାନ ଶିଳ୍ପ ଏବଂ ଚା ବଗିଚା ସମସ୍ୟା, ଶିକ୍ଷା, ନିଯୁକ୍ତି ଏବଂ ଭିତିଭୂମିକୁ ପ୍ରାଥମିକତା ଦେଉଛନ୍ତି।