ହର୍ମୁଜରେ ପାକିସ୍ତାନ ଜାହାଜ ହଟହଟା

ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ମାଲବାହୀ ଜାହାଜକୁ …..

ତେହେରାନ: ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ମାଲବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀରେ ଅଟକାଇ ଇରାନ କଡ଼ା ଝଟ୍‌କା ଦେଇଛି। ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ନୌସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ଶି-ଲେନ୍‌’ ନାମକ ଏହି କଂଟେନର ଜାହାଜଟି ଆବଶ୍ୟକୀୟ ଆଇନଗତ ଅନୁମତି ଓ ପ୍ରୋଟୋକଲ୍‌ ପାଳନ କରି ନଥିବାରୁ ଏହାକୁ ସୀମାରୁ ଫେରାଇ ଦିଆଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସରୁ ପାକିସ୍ତାନର କରାଚୀ ଅଭିମୁଖେ ଯାଉଥିବା ଏହି ଜାହାଜକୁ ପ୍ରତିହତ କରାଯିବା ଫଳରେ ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି।

ଆଇଆରଜିସି କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କ ସୂଚନା ମୁତାବକ, ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ପାଇଁ ଇରାନର ସାମୁଦ୍ରିକ କର୍ତୃପକ୍ଷଙ୍କ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷା କରିବା ଜରୁରୀ। ଶି-ଲେନ୍‌ ଜାହାଜଟି ଏହି ନିୟମ ଉଲ୍ଲଂଘନ କରିଥିବାରୁ ଏହାକୁ ପ୍ରଣାଳୀ ପାର ହେବାକୁ ଅନୁମତି ଦିଆଯାଇ ନଥିଲା। ସେଂଟ୍‌ କିଟ୍ସ ଏବଂ ନେଭିସର ପତାକା ତଳେ ଯାତ୍ରା କରୁଥିବା ଏହି ୬,୮୫୦ ଟନ୍‌ ବିଶିଷ୍ଟ ଜାହାଜଟିକୁ ଇରାନୀ ନୌସେନା ବାଧ୍ୟ କରି ପଛକୁ ଫେରାଇ ଦେଇଛି। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ପାକିସ୍ତାନ, ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛି।

ଜାହାଜକୁ ଫେରାଇ ଦେବା ଇରାନର ଏକ କଠୋର ଆଭିମୁଖ୍ୟ ବୋଲି ବିଚାର କରାଯାଉଛି। ଏହା ବ୍ୟତୀତ, ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ପ୍ରାୟ ୨ ମିଲିୟନ ଡଲାର ପର୍ଯ୍ୟନ୍ତ ‘ଟ୍ରାଞ୍ଜିଟ୍‌ ଫି’ ବା ଟୋଲ୍‌ ଆଦାୟ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଯେଉଁ ଜାହାଜଗୁଡ଼ିକ ଏହି ଦେୟ ପ୍ରଦାନ କରୁନାହାନ୍ତି, ସେମାନଙ୍କ ସୁରକ୍ଷା ନେଇ ଇରାନ କୌଣସି ଗ୍ୟାରେଂଟି ଦେଉନାହିଁ।